ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାବାତ୍ୟାର ରୂପ ନେବା ପରେ ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ‘ଅମ୍ଫାନ’। ଏହା ଏବେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଏ ନେଇ ସୂଚନା ଦିଆଯାଇଛି।
ଆଇଏମ୍ଡିର ସୂଚନା ଅନୁଯାୟୀ, ‘ଅମ୍ଫାନ’ ଲ୍ୟାଣ୍ଡଫଲ୍ କରିବା ବେଳେ ସମୁଦ୍ରରୁ ଦୁଇ ମହଲା କୋଠା ଉଚ୍ଚରେ ଜୁଆର ମାଡ଼ି ଆସିବ। ବିଶେଷ କରି ପଶ୍ଚିମବଙ୍ଗର ସାଉଥ ପ୍ରଗଣା ଓ ନର୍ଥ ପ୍ରଗଣା ଅଞ୍ଚଳରେ ଦୁଇ ମହଲା କୋଠା ଉଚ୍ଚର ଜୁଆର ଆସିବ। ସେହିପରି ମେଦିନାପୁର ଅଞ୍ଚଳରେ ୩ରୁ ୪ ମିଟର ଉଚ୍ଚର ଜୁଆର ଆସିବ। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ଲୁଣାପାଣି ଯୋଗୁ ସ୍ଥାନୀୟ ଅଞ୍ଚଳର ପିଇବା ପାଣି ନଷ୍ଟ ହୋଇଯିବ। ଚାଷ ଜମି କ୍ଷତିଗ୍ରସ୍ତ ହେବ ଓ ଦୁର୍ବଳ ଘର ଭାଙ୍ଗିଯିବ ବୋଲି ଆଶଙ୍କା କରାଯାଉଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ, ‘ଅମ୍ଫାନ’ ସିଧାସଳଖ ଓଡ଼ିଶାରେ ମାଡ଼ ହେଉ ନଥିଲେ ବି ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲା ଉପରେ ଏହାର ପ୍ରଭାବ ରହିବ। ସବୁଠୁ ଅଧିକ ପ୍ରଭାବ ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ଉପରେ ରହିବ। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ଯାଏ ରହିବା ବୋଲି ଆକଳନ କରାଯାଉଛି।
ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ ଏବଂ ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ। ଏହି ବାତ୍ୟା ଓଡ଼ିଶାରେ ମାଡ଼ ହେବନାହିଁ, ବରଂ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଆକଳନ କରିଛି ଆଇଏମ୍ଡି।
ମହାବାତ୍ୟା ସମୟରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ୨୩୦ରୁ ୨୪୦ କିଲୋମିଟର ଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୯୫ କିମି ରହିବ। ତେଣୁ ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ।
from Odisha Reporter https://ift.tt/3cF3Rg2
No comments:
Post a Comment