ବାଲିଗୁଡ଼ା (ଅଜିତ୍ ନାୟକ): ଫୁଲବାଣୀର କଳିଙ୍ଗା ଘାଟିରେ ଆଜି ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍ଟି ବି ଗୁଜରାଟର ସୁରତରୁ ଆସୁଥିଲା ଓ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ମୋଟ ୩ ଜଣ ଆହତ ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ସୋରଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।
ଜି. ଉଦୟଗିରି ଏସ୍ଡିପିଓ ଜେ.କେ ବେହେରା କହିଛନ୍ତି ଯେ ବସ୍ଟିରେ ୫୭ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିଲେ। ବସ୍ଟି ଘାଟି ରାସ୍ତାର ଗାର୍ଡୱାଲ୍ରେ ପିଟି ହୋଇଯାଇଥିଲା। ଡ୍ରାଇଭର ନୂଆ ହୋଇଥିବାରୁ ଦୁର୍ଘଟଣା ଘଟିଛି। କାଲି ସନ୍ଧ୍ୟା ପରେ ଆଜି ପୁଣି ଦୁର୍ଘଟଣା ଘଟିଛି। ଅନେକ ଗାଡ଼ି ଏହି ରାସ୍ତାରେ ଯାଉଛନ୍ତି। ସମସ୍ତଙ୍କୁ ସତର୍କରେ ଯିବାକୁ କୁହାଯାଉଛି।
ଗତକାଲି ମଧ୍ୟ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଆସୁଥିବା ଏକ ବସ୍ ଏହି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ବସ୍ରେ ୬୦ରୁ ଅଧିକ ଯାତ୍ରୀ ଥିଲେ। ବସ୍ଟି ଫୁଲବାଣୀରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ଏସ୍କର୍ଟରେ ନିଆଯାଉଥିଲା। ତେବେ କଳିଙ୍ଗା ଘାଟି ଉପରେ ହଠାତ୍ ବସ୍ଟି ପାହାଡ଼ ପାର୍ଶ୍ୱରେ ପିଟି ହୋଇଯାଇଥିଲା। ଜି.ଉଦୟିଗିରି, ଟିକାବାଲି ଓ ଫିରିଙ୍ଗିଆରୁ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀଙ୍କର ମୃତ୍ୟୁ ହୋଇସାରିଥିଲା। ସେହିପରି ସନ୍ତୋଷ ସେଠୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ୧୦୮ ଆମ୍ୱୁଲାନ୍ସରେ ଭଞ୍ଜନଗର ମେଡିକାଲ୍କୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ଆଉ ଏକ ବସ୍ ଆଜି ସକାଳେ ମହାରାଷ୍ଟ୍ରର ନାଗପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହଠାତ୍ ରାସ୍ତା ଉପରକୁ କୌଣସି ବନ୍ୟଜନ୍ତୁ ଚାଲି ଆସିବାରୁ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଅମରାବତୀ ନିକଟସ୍ଥ କରଞ୍ଜା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
from Odisha Reporter https://ift.tt/2WoBP1x
No comments:
Post a Comment