ନୂଆଦିଲ୍ଲୀ: ଚାଇନା ସହ ବଢ଼ୁଥିବା ତିକ୍ତତାର ମୁକାବିଲା କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରାଯାଇଛି। ସୀମାରେ ଚାଇନାର ମୁକାବିଲା ପାଇଁ ଭାରତ ପକ୍ଷରୁ ଫରୱାର୍ଡ ବେସ୍କୁ ଯୁଦ୍ଧ ବିମାନ ପଠାଇଛି। ଏଥିସହ ସ୍ଥଳ ଭାଗରେ ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯାଇଛି।
୩ ସେନା ବାହିନୀକୁ ହାଇଆଲର୍ଟରେ ରଖାଯାଇଛି। ବାୟୁସେନା ମୁଖ୍ୟ ମଧ୍ୟ ଲଦାଖ ଓ ଲେହ ସୀମାକୁ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି। ଚାଇନାର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି।
ସୀମାରେ ସ୍ଥିତି ବିଗୁଡ଼ୁଥିବାରୁ ଭାରତ ପକ୍ଷରୁ ସୀମାକୁ ଆପାଚେ ହେଲିକପ୍ଟର ପଠାଯାଇଛି। ଏହା ଟ୍ୟାଙ୍କରକୁ ଧ୍ୱଂସ କରିବାର କ୍ଷମତା ରଖିଛି। ସେହିପରି ଚିନୁକ ହେଲିକପ୍ଟର ମଧ୍ୟ ପଠାଯାଇଛି। ଏହାଦ୍ୱାରା ଜରୁରୀ ପରିସ୍ଥିତିରେ ଅଧିକ ସଂଖ୍ୟକ ଯବାନ ଓ ଯୁଦ୍ଧ ସାମାଗ୍ରୀ ପଠାଯାଇ ପାରିବ।
ଏହାବାଦ ସୁଖୋଇ-୩୦ଏମକେଆଇ, ମିଗ-୨୯ ଓ ଜାଗୁଆର ଯୁଦ୍ଧ ବିମାନ ଦ୍ୱାରା ଭାରତ ପକ୍ଷରୁ ସୀମାରେ ନଜର ରଖାଯାଇଛି। ସି-୧୭ ଗ୍ଲୋବ ମାଷ୍ଟର -୩, ସି ୧୩୦ଜେ ସୁପର ହର୍କୁଲେସ ଓ ଏଏନ ୩୨ ଦ୍ୱାରା ଚଣ୍ଡିଗଡ଼ ଠାରୁ ଲଦାଖ ଯାଏ ଏୟାର ବ୍ରିଜ୍ ନିର୍ମାଣ କରାଯାଇଛି। ଫଳରେ ଦରକାର ପଡ଼ିଲେ ଅଧିକ ସଂଖ୍ୟକ ଯବାନ ଓ ସାମଗ୍ରୀକୁ ତୁରନ୍ତ ସୀମାକୁ ପଠାଯାଇ ପାରିବ।
ଅନ୍ୟପକ୍ଷରେ ଚାଇନ ମଧ୍ୟ ଭାରତୀୟ ସୀମାକୁ ଲାଗିଥିବା ଅଞ୍ଚଳରେ ଫୋର୍ସ ମୁତୟନ କରିବା ଆରମ୍ଭ କରିଦେଇଛି। ଗଲୱାନ ଓ ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରେ ଚାଇନା ଜେ-୧୧ ଓ ଜେ-୮ ଯୁଦ୍ଧ ବିମାନ ସହ ଲଙ୍ଗ ରେଞ୍ଜ ବମର୍କୁ ତିବ୍ବତରେ ଥିବା ହୋଟନ ଏବଂ କାସଘର ଏୟାରବେସ୍ରେ ପ୍ରସ୍ତୁତ କରି ରଖିଛି।
ପଙ୍ଗୋଙ୍ଗର ଉତ୍ତର ଭାଗରେ ଭାରତୀୟ ସୀମା ଠାରୁ ମାତ୍ର ୮ କିମି ଦୂରରେ ପିଏଲଏ ପକ୍ଷରୁ ନୂଆ ନିର୍ମାଣ କାମ ଆରମ୍ଭ କରାଯାଇଛି। ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ସ୍ଥିତି ବେଶ ଉତ୍ତେଜନାପୂର୍ଣ୍ଣ ରହିଥିବା କୁହାଯାଉଛି।
from Odisha Reporter https://ift.tt/2zKUjSq
No comments:
Post a Comment