ନୂଆଦିଲ୍ଲୀ: ଲଦାଖ ସଂଘର୍ଷ ପରେ ଚାଇନା ଠାରୁ ବଦଲା ନେବା ପାଇଁ ଭାରତ ଭିତରେ ପ୍ରତିଶୋଧର ନିଆଁ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ସୋମବାର ଚାଇନା ସହ ସୀମା ବିବାଦକୁ ନେଇ ଭାରତର ତୀବ୍ର ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ବୀର ଯବାନ ସହିଦ ହୋଇଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ଭାରତରେ ଚାଇନା ବିରୋଧରତ ଯୁଦ୍ଧଂଦେହୀ ଡାକରା ଦିଆଯାଇଛି।
ଚାଇନା ଦ୍ରବ୍ୟକୁ ବୟକଟ କରିବାକୁ ଦେଶର ବିଭିନ୍ନ ପ୍ରାନ୍ତରେ ଦାବି କରାଯିବା ସହ ଆନ୍ଦୋଳନ ମଧ୍ୟ କରାଯାଇଛି। ଦିଲ୍ଲୀର ଡିଫେନ୍ସ କଲୋନୀର ଲୋକମାନେ ଗୋଟିଏ ପାଦେ ଆଗେଇ ଯାଇ ଚାଇନା ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ମଧ୍ୟ ଦେଇଛନ୍ତି।
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଚାଇନା ପତାକା, ଚାଇନା ନିର୍ମିତ ଦ୍ରବ୍ୟ ଓ ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କ କୁଶପୁତ୍ତଳିତା ପୋଡ଼ିଛନ୍ତି। ଉତ୍ତର ପ୍ରଦେଶରୁ ଆସିଥିବା ଏକ ଭିଡିଓରେ ଜଣେ ପୂର୍ବତନ ବିଧାୟକ ରାଷ୍ଟ୍ରପତି ଜିନପିଙ୍ଗଙ୍କ କୁଶପୁତ୍ତଳିକାକୁ କୁରାଢ଼ୀରେ ହାଣୁଥିବା ଦେଖିବାକୁ ମିଳିଛି। ଏହାପରେ ତାଙ୍କ ସମର୍ଥକମାନେ ଏଥିରେ ନିଆଁ ଲଗାଇ ଦେଇଛନ୍ତି।
ଦିଲ୍ଲୀର ଡିଫେନ୍ସ କଲୋନୀରେ ରହୁଥିବା ଅବରପ୍ରାପ୍ତ ମେଜର ରଣଜୀତ ସିଂହ ଓ ତାଙ୍କ ସହଯୋଗୀମାନେ ଚାଇନା ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଇଣ୍ଟରନେଟରେ ଭାଇରାଲ ହୋଇଥିବା ଭିଡିଓରେ ମେଜର ରଣଜୀତ ଚାଇନାର ବର୍ବରତାକୁ ଅତ୍ୟନ୍ତ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ଏଥିସହ ସେ ଲୋକମାନଙ୍କୁ ଚାଇନାର ଦ୍ରବ୍ୟକୁ ବୟକଟ କରିବାକୁ ଦାବି କରିଛନ୍ତି।
ସେ କହିଛନ୍ତି, “ସୀମାରେ କ’ଣ ଘଟିଛି ସେ ବିଷୟରେ ଆପଣମାନେ ଜାଣିବା ଦରକାର। ବିନା ଅସ୍ତ୍ରଶସ୍ତ୍ରରେ ଥିବା ଭାରତୀୟ ସୁରକ୍ଷାକର୍ମୀଙ୍କୁ ଚାଇନା ସେନା ଅତ୍ୟନ୍ତ ବର୍ବରତାର ସହ ହତ୍ୟା କରିଛି। ଏହା ଭାରତ ସହ ଧୋକା। ହତ୍ୟା ଛଡ଼ା ଏହି ଘଟଣାକୁ ଆଉ କିଛି ବି କୁହାଯାଇ ପାରିବ ନାହିଁ।
କଲୋନୀର ସଭାପତି ଭାବେ ମୁଁ ଏକ ବଡ଼ ଘୋଷଣା କରିବାକୁ ଯାଉଛି। ଡିଫେନ୍ସ କଲୋନୀ ପକ୍ଷରୁ ଚାଇନା ବିରୋଧରେ ଯୁଦ୍ଧ ଡାକରା ଦିଆଯାଉଛି। ଆମେ ବନ୍ଧୁକ ଓ ଗୁଳି ଚଳାଇ ପାରିବାନି ସତ। କିନ୍ତୁ ଅନ୍ୟ ଉପାୟରେ ଚାଇନା ସହ ଯୁଦ୍ଧ କରିପାରିବା। ଭାରତୀୟମାନେ ଚାହିଁଲେ, ଚାଇନାକୁ ଅର୍ଥନୀତିକ ସ୍ତରରେ ଦୁର୍ବଳ କରିପାରିବା। ତା’ର ଅର୍ଥନୀତିକ ମେରୁଦଣ୍ଡକୁ ଭାଙ୍ଗି ପାରିବା। ଏବେଠାରୁ ଆମେ ଚାଇନା ଦ୍ରବ୍ୟକୁ ବୟକଟ କରିବା। ଏଥିସହ ଘରେ ପୂର୍ବରୁ ରହିଥିବା ଚାଇନା ଦ୍ରବ୍ୟକୁ ଫୋପାଡ଼ି ଦେବା।”
ଏହା ବ୍ୟତୀତ ଓଡ଼ିଶାଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ, ଗୁଜରାଟ, ଦିଲ୍ଲୀ ଓ ମୁମ୍ବାଇରେ ବି ଶତାଧିକ ଲୋକ ରାଜରାସ୍ତାକୁ ଆସି ଚାଇନା ବିରୋଧରେ ରଣହୁଙ୍କାର ଦେଇଛନ୍ତି।
from Odisha Reporter https://ift.tt/3fyRB1F
No comments:
Post a Comment