ଭଦ୍ରକ (ପାର୍ଥ ସାରଥୀ ନାୟକ): ୨ ବର୍ଷ ପୂର୍ବେ ଭଦ୍ରକ ଜିଲ୍ଲା ଧାମନଗର ଥାନ ଅଧିନ ପାଇକସାହି ଗ୍ରାମରୁ ଶହ ଶହ ସଂଖ୍ୟାରେ ନାଗ ସାପ ବାହାରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଥିଲା। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ପହଞ୍ଚି ବହୁ ସଂଖ୍ୟାରେ ସାପ ଉଦ୍ଧାର କରିଥିବା ବେଳେ ଗ୍ରାମବାସୀ କିନ୍ତୁ ନାଗ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ପୂଜାର୍ଚ୍ଚନା କରିଥିଲେ। ଏବେ ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଛି।
ଗତ ୫ ତାରିଖରେ ସାପ କାମୁଡ଼ାରେ ଗ୍ରାମର ମାନସୀ ସାହୁ ନାମ୍ନୀ ମହିଳାଙ୍କର ଜୀବନ ଯାଇଥିଲା। ଏହାପରେ ଭୟଭୀତ ହୋଇ ପଡ଼ିଥିବା ଗ୍ରାମବାସୀ ସାପ ଧରିବା ପାଇଁ ଜାଲ ବିଛାଇଥିଲେ। ଉକ୍ତ ଜାଲରେ ଦୁଇଟି ନାଗ ନାଗୁଣୀ ଛନ୍ଦି ହୋଇପଡିଥିଲେ। କିନ୍ତୁ ଗୋଟିଏ ସାପ ଖସି ଯାଇଥିବା ବେଳେ, ଆଉ ଗୋଟିଏ ସାପ ଜାଲରେ ଫସି ଯାଇଛି। ସ୍ନେକ ହେଲପ୍ ଲାଇନ୍ ସଦସ୍ୟ ପହଞ୍ଚି ଉକ୍ତ ସାପଟିକୁ ଉଦ୍ଧାର କରିବା ସହ ଅନ୍ୟ ସାପଙ୍କୁ ଧରିବା ପାଇଁ ଚେଷ୍ଟା କରୁଛନ୍ତି।
ଫଳରେ ପୁଣି ଥରେ ବହୁ ସଂଖ୍ୟାରେ ସାପ ବାହାରିବା ଆଶଙ୍କାରେ ଗ୍ରାମର ବହୁ ଲୋକ ଆଉ ଘରେ ପଶୁ ନାହାନ୍ତି। ବର୍ଷାରେ ବି ପିଲାଛୁଆ ଧରି ବାହାରେ ପଡ଼ି ରହୁଛନ୍ତି।
ଗ୍ରାମବାସୀ ବିଦ୍ୟାଧର ସାହୁ କହିଛନ୍ତି, ସାପ ଭୟରେ ଆମେ ଘରେ ପଶିପାରୁନୁ। ପିଲା ଛୁଆ ଧରି ବର୍ଷାରେ ବାହାରେ ପଡ଼ି ରହିଛି। ସରକାର ସାପ ବାହାର କରିବା ନିମନ୍ତେ ବ୍ୟବସ୍ଥା ନ କଲେ ଆମେ ପର ଦୁଆରେ ମୁଣ୍ଡ ଗୁଞ୍ଜୁଥିବୁ। ସରକାର ଦୁଃଖ ଶୁଣିବାକୁ ଗୁହାରି ଜଣାଇଛନ୍ତି ବିଦ୍ୟାଧର।
from Odisha Reporter https://ift.tt/2UncOU6
No comments:
Post a Comment