ନୂଆଦିଲ୍ଲୀ: କୋଟା ବା ସଂରକ୍ଷଣକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ତାମିଲନାଡ଼ୁରେ ନିଟ୍ ପୋଷ୍ଟ ଗ୍ରାଜିଏସନ ସଂରକ୍ଷଣ ମାମଲାରେ ମାନ୍ୟବର କୋର୍ଟ କହିଛନ୍ତି ଯେ, ସଂରକ୍ଷଣ ଏକ ଜନ୍ମସିଦ୍ଧ ଅଧିକାର ନୁହେଁ। ଏହାସହ ତାମିଲନାଡ଼ୁର ଅନେକ ରାଜନୈତିକ ଦଳର ଆବେଦନକୁ ମଧ୍ୟ ଖାରିଜ କରିଦେଇଛନ୍ତି ସୁପ୍ରିମକୋର୍ଟ।
ଡିଏମକେ-ସିପିଆଇ-ଏଆଇଡିଏମକେ ସମେତ ତାମିଲନାଡ଼ୁର ଅନ୍ୟ ବହୁ ରାଜନୈତିକ ଦଳ ମେଡିକାଲ ପାଠ୍ୟକ୍ରମରେ ୫୦ ପ୍ରତିଶତ କୋଟା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ଗୁରୁବାର ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି, ଏହି ମାମଲାରେ କାହାର ମୌଳିକ ଅଧିକାର ଛଡ଼ାଇ ନିଆଯାଇଛି? ଆପଣଙ୍କ ଆବେଦନ ଦେଖିଲେ ଲାଗୁଛି, ଆପଣ କେବଳ ତାମିଲନାଡ଼ୁର କେତେଜଣ ଲୋକଙ୍କ ମଙ୍ଗଳ କଥା ହିଁ ଚିନ୍ତା କରୁଛନ୍ତି।
ଏନେଇ ଡିଏମକେ ନିଜ ପକ୍ଷ ରଖି କହିଛି ଯେ, ଆମେ ଅଧିକ ସଂରକ୍ଷଣ ବା କୋଟା ବଢ଼ାଇବାକୁ କୋର୍ଟଙ୍କୁ ନିବେଦନ କରୁନାହୁଁ। ବରଂ ଯାହା ଅଛି, ତାହାକୁ ଲାଗୁ କରିବାକୁ ନିବେଦନ କରୁଛୁ। ଡିଏନକେର ଏହି ପକ୍ଷ ପରେ ଜଷ୍ଟିସ୍ ରାଓ କହିଛନ୍ତି ଯେ, କୋଟା କାହାର ମୌଳିକ ବା ଜନ୍ମସିଦ୍ଧ ଅଧିକାର ନୁହେଁ। ଆପଣ ସୁପ୍ରିମକୋର୍ଟଙ୍କ ନିକଟରୁ ଆବେଦନ ଫେରାଇ ନିଅନ୍ତୁ ଏବଂ ହାଇକୋର୍ଟରେ ଦାଖଲ କରନ୍ତୁ।
ଏହାପରେ ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଆମେ ଖୁସି ଯେ ଏହି ମାମଲା ନେଇ ସମସ୍ତ ରାଜନୈତିକ ଦଳ ଏକାଠି ଆସିଛନ୍ତି। ହେଲେ ଆମେ ଏହି ଯାଚିକାକୁ ଗ୍ରହଣ କରିବୁନି। ତେବେ ଏହାକୁ ଖାରିଜ୍ ମଧ୍ୟ କରାଯାଇ ନାହିଁ ବୋଲି ସପ୍ରିମକୋର୍ଟ କହିଛନ୍ତି। ଏନେଇ ଆବେଦନକାରୀ ଦଳଗୁଡ଼ିକ ହାଇକୋର୍ଟଙ୍କ ନିକଟକୁ ଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/30y0yEm
No comments:
Post a Comment