ଗଜପତି (ଆଦର୍ଶ ଦାସ): ସବୁବେଳେ କିଛି ନିଆରା କାମ କରି ଚର୍ଚ୍ଚାରେ ରୁହନ୍ତି ଗଜପତି ଏସ୍ପି ସାରା ଶର୍ମା। କେତେବେଳେ ଭୋକିଲାଙ୍କୁ ଖାଦ୍ୟ ଦେଇ ତ’ ଆଉ କେତେବେଳେ ମହିଳାଙ୍କ ସୁରକ୍ଷା ପାଇଁ ଗୀତ ଗାଇ ସେ ଚର୍ଚ୍ଚାରେ ରହନ୍ତି। ହେଲେ ଆଜି ସେ ଜିଲ୍ଲାର ଏକ ଆଦିବାସୀ ଅଧ୍ୟୁକ୍ଷିତ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି। ଗୁମା ବ୍ଲକ ଭୂବୁନୀ ପଞ୍ଚାୟତର ପାହାଡ଼ିଆ ସିଣ୍ଡିବୁର୍ ଗାଁକୁ ସେ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି। ତେବେ ଛତିଶଗଡ଼ ସ୍ଥିତ ହିଦାତୁଲ୍ଲା ନ୍ୟାସନାଲ ଲ’ ବିଶ୍ୱବଦ୍ୟାଳୟର ପୁରାତନ ଛାତ୍ର ସଂଘଙ୍କ ସହ ମିଶି ଏହି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛନ୍ତି।
ଏହି ଗାଁରେ ୧୯ଟି ଆଦିବାସୀ ପରିବାର ରହନ୍ତି। ହେଲେ ଆଜି ଯାଏ ଏହି ଗାଁକୁ ରାସ୍ତା ଖଣ୍ଡିଏ ମଧ୍ୟ ନାହିଁ। ପାଦଚଲା ରାସ୍ତା ହିଁ ସାହା ଭରସା। ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସତସପନ। ଗାଁରେ ଗୋଟିଏ ମାତ୍ର ନଳକୂପ ରହିଛି, ହେଲେ ଖରା ଦିନେ ସେଥିରୁ ପାଣି ବାହାରେ ନାହିଁ। ଗାଁର ସମସ୍ୟା ସମ୍ପର୍କରେ ଲୋକେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ବୁଝି ନାହାନ୍ତି।
ଆଜି ପ୍ରବଳ ବର୍ଷା ସତ୍ତ୍ୱେ ସିଣ୍ଡିବୁର୍ ଗାଁକୁ ଯାଇ ଏସ୍ପି ସାରା ଶର୍ମା ଲୋକଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି। ଏଥିସହ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଗାଁ ଲୋକେ ମଧ୍ୟ ଖୁସି ଅନୁଭବ କରିଛନ୍ତି। ଏବେ ସେମାନଙ୍କ ଦୁଃଖ ଦୂର ହେବ ବୋଲି ଗାଁ ଲୋକେ ଆଶା କରିଛନ୍ତି।
ଗାଁର ଇସାକ ରଇ କହିଛନ୍ତି, “ଆମ ଗାଁକୁ କେହି ଅଫିସର ଆସି ନାହାନ୍ତି। ହେଲେ ଆଜି ବର୍ଷା ହେବା ସତ୍ତ୍ୱେ ଗାଁକୁ ଭଲ ରାସ୍ତା ନଥାଇ ମଧ୍ୟ ଆମ ଗରିବ ଲୋକଙ୍କ କଥା ଚିନ୍ତା କରି ଏସ୍ପି ମ୍ୟାଡମ୍ ଆସିଛନ୍ତି। ତେଣୁ ଗାଁ ଲୋକେ ଖୁସି ଅଛନ୍ତି। ଲୋକମାନଙ୍କର ଯାହା କିଛି ଆବଶ୍ୟକ ତାହା ଦିଆଯିବ ବୋଲି ମ୍ୟାଡମ୍ କହିଛନ୍ତି।”
ଏବେ ସାରା ବିଶ୍ୱ କରୋନା ଲଢ଼େଇ କରୁଛି। ଏଭଳି ସ୍ଥିତିରେ ଗାଁର ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଛତିଶଗଡ଼ ସ୍ଥିତ ହିଦାତୁଲ୍ଲା ନ୍ୟାସନାଲ ଲ’ ବିଶ୍ୱବଦ୍ୟାଳୟର ପୁରାତନ ଛାତ୍ର ସଂଘର ସଦସ୍ୟମାନେ ଗଜପତି ଏସ୍ପିଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାପରେ ଏସ୍ପି ବିଭିନ୍ନ ସୁବିଧାରୁ ବଞ୍ଚିତ ଥିବା ଗାଁ ଖୋଜିଥିଲେ। ସିଣ୍ଡିବୁର ଗାଁକୁ ଦେଖିବା ପରେ ସେ ଏହି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ସହାୟତା କରିବାକୁ ମନସ୍ଥ କରିଥିଲେ। ତେବେ ଏହି ଗାଁ ଲୋକଙ୍କୁ ସହାୟତା କରିବା ପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂଘ କିଛି ଟଙ୍କା ଦେଇଥିବା ବେଳେ ଗଜପତି ପୁଲିସ୍ ମଧ୍ୟ ଆର୍ଥିକ ସହାୟତା କରିଛି।
ଏସ୍ପି ସାରା ଶର୍ମା କହିଛନ୍ତି, “ଆମେ ସିଣ୍ଡିବୁର୍ ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛୁ। ଗାଁରେ ଯାହାକିଛି ଅସୁବିଧା ଅଛି ତାକୁ ଆମେ ପଚାରି ବୁଝିଛୁ। ସେମାନଙ୍କ ଯାହା ଦରକାର ଆମେ ତାଙ୍କୁ ଯୋଗାଇ ଦେବୁ।”
from Odisha Reporter https://ift.tt/3hspROe
No comments:
Post a Comment