ଉମରକୋଟ(କାର୍ତ୍ତିକ ମଲ୍ଲିକ): ଗୁରୁ ଶିଷ୍ୟ ପରମ୍ପରାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ। ମହିମା ଧର୍ମ ପ୍ରଚାରକ ଧନୁର୍ଯ୍ୟୟ ବାବାଙ୍କୁ ତାଙ୍କ ଶିଷ୍ୟମାନେ ଭାରରେ ବୋହି ୫୪୦ କି.ମି. ରାସ୍ତା ଅତିକ୍ରମ କରି ୨୧ ଦିନ ପରେ ଉମରକୋଟ ପହଞ୍ଚିଛନ୍ତି। ଗତକାଲି ସେମାନେ ଉମରକୋଟର ସାନଭରଣ୍ଡିସ୍ଥିତ ଶିବ ମନ୍ଦିରଠାରେ ଆଶ୍ରୟ ନେଇଥିଲେ। ଆଜି ସେମାନେ ତାଙ୍କ ପଡ଼ାଗୋଡ଼ସ୍ଥିତ ଆଶ୍ରମକୁ ଯିବେ।
ସାଧୁ ଧନୁର୍ଯ୍ୟୟ ବାବା ଜଣେ ବକଳଧାରୀ ହୋଇଥିବାରୁ ସେ କୌଣସି ଯାନବାହନରେ ଯାତାୟତ କରନ୍ତି ନାହିଁ। ସେ ଜିଲ୍ଲା ତଥା ଜିଲ୍ଲା ବାହରେ ରହିଥିବା ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ନିକଟକୁ ଖାଲି ପାଦରେ ଚାଲିଚାଲି ଯାତ୍ରା କରିଥାଆନ୍ତି। ହେଲେ ସେ ପ୍ରତିବର୍ଷ ପୌଷମାସ ପୂର୍ଣ୍ଣମୀ ପରେ ଖାଲି ପାଦରେ ଚାଲି ଚାଲି ଅନେକ ସନ୍ଥ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମେଳରେ ଯୋରନ୍ଦାକୁ ଯାଇଥାଆନ୍ତି। ସେଠାରେ ଏକ ମାସ ରହିବା ପରେ ମାଘ ମେଳା ସମ୍ପୂର୍ଣ୍ଣ କରି ପୁନର୍ବାର ନବରଙ୍ଗପୁର ଜିଲ୍ଲା ଉମରକୋଟର ପଡ଼ାଗୋଡ଼ସ୍ଥିତ ଆଶ୍ରମକୁ ଫେରିଥାଆନ୍ତି। ହେଲେ ଚଳିତ ବର୍ଷ ଧନୁର୍ଯ୍ୟୟ ବାବାଙ୍କ ଶରୀର ଅସୁସ୍ଥ ଥିବାରୁ ଶିଷ୍ୟମାନେ ତାଙ୍କୁ ଭାରରେ ବୋହି ଯୋରନ୍ଦା ଆଶ୍ରମକୁ ଆଣିଥିଲେ। ସେହିପରି ଫେରିବା ସମୟରେ ମଧ୍ୟ ଶିଷ୍ୟମାନେ ନିଜ କର୍ତ୍ତବ୍ୟ ଠିକ୍ ଭାବେ ସମ୍ପାଦନ କରିଛନ୍ତି। ଦୀର୍ଘ ୨୧ ଦିନ ଧରି ବଣପାହାଡ ଘେରା ରାସ୍ତାରେ ବାବା ବୋହି ବୋହି ଆଶ୍ରମକୁ ନେଉଛନ୍ତି।
ସାଧୁ ଧନୁର୍ଯ୍ୟୟ ବାବା ସମଗ୍ର ଅଞ୍ଚଳ ବୁଲିବୁଲି ଲୋକଙ୍କୁ ନିଶା ନିବାରଣ ଉପରେ ସଚେତନ କରିଥାଆନ୍ତି। ଏଥିସହ ଅଲେଖ ଧର୍ମ ପ୍ରଚାର କରିଥାଆନ୍ତି।
ଏନେଇ ଜଣେ ଶିଷ୍ୟ କହିଛନ୍ତି,“ ବାବାଙ୍କୁ କାନ୍ଧରେ ବୋହି ଆଣିଲୁ ବହୁତ ଖୁସି ଲାଗୁଛି। ଆମେ ଆଦିବାସୀ ଲୋକ । ମଦ ଓ ମାଂସ ଖାଉଥିଲୁ। ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ମହିମାଧର୍ମ ଗ୍ରହଣ କଲା ପରେ ଶାନ୍ତି ଶୃଙ୍ଖଳାରେ ରହୁଛୁ। ”
The post ଗୁରୁ ଭକ୍ତିର ଅନନ୍ୟ ନିଦର୍ଶନ: ଗୁରୁଙ୍କୁ ଭାରରେ ବୋହି ଚାଲିଲେ ୫୪୦ କି.ମି appeared first on Odisha Reporter.
from Odisha Reporter https://ift.tt/2VxgDH9
No comments:
Post a Comment