ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବ୍ରହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ। ଘଟଣାଟି ଘଟିଛି ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟରେ।
ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୃଦ୍ଧା ତାଙ୍କର ଦୁଇ ନାତିନାତୁଣୀଙ୍କୁ ଧରି ଟିମଜୋର ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ସେଠାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା। ସେମାନେ କାଠ ପୋଲ ଦେଇ ଫେରୁଥିବା ବେଳେ ହଠାତ୍ ଏକ ସ୍ଥାନରୁ କାଠ ଖସି ପଡ଼ିଥିଲା। ଫଳରେ ତିନି ଜଣ ଯାକ ନଦୀରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଉକ୍ତ ବୃଦ୍ଧା ଓ ତାଙ୍କ ନାତିଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ହେଲେ ତାଙ୍କର ୪ ବର୍ଷର ନାତୁଣୀ ଭାସି ଯାଇଥିଲା। ଗତକାଲି ରାତିରେ ସ୍ଥାନୀୟ ଲୋକେ ଓ ପୁଲିସ୍ ଶିଶୁ କନ୍ୟାଟିକୁ ଖୋଜିଖୋଜି କରିଥିଲେ। ତେବେ ପାଇ ନଥିଲେ। ଆଜି ସକାଳେ ପୁଲିସ୍ ଓ ଅଗ୍ନିଶମ ବାହିନୀ ଆସି ପୁଣି ଖୋଜାଖୋଜି କରୁଛି।
ସୂଚନାଯୋଗ୍ୟ, ଏହି କାଠ ପୋଲଟି ଗ୍ରାମ ପଞ୍ଚାୟତ ଦ୍ୱାରା ଟିମଜୋରରୁ ଟାଇଁସର ପର୍ଯ୍ୟନ୍ତ ନିର୍ମାଣ କରାଯାଇଛି। ବାଉଁଶ ଏବଂ କାଠରେ ନିର୍ମିତ ଏହି ପୋଲଟି ଦୁର୍ବଳ ହୋଇଗଲାଣି। ଏଣୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ନଦୀର ଉଭୟ ପାର୍ଶ୍ୱରେ ବସବାସ କରୁଥିବା ଲୋକେ ବହୁ ଦିନ ହେଲା ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଆସୁଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହେଉଛି।
from Odisha Reporter https://ift.tt/2XOJGGs
No comments:
Post a Comment