ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣର ପ୍ରଭାବ ମହାରାଷ୍ଟ୍ରରେ ସର୍ବାଧିକ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ମହାରାଷ୍ଟ୍ର ରାଜନୀତି ମଧ୍ୟ ଜୋର୍ ଧରିଛି। ନିକଟରେ ବିଜେପି ମହାରାଷ୍ଟ୍ର ଶିବସେନା ସରକାର ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏନେଇ ଆଦିତ୍ୟ ଠାକରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଆଦିତ୍ୟ କହିଛନ୍ତି, ବିଜେପି ସାରା ଦୁନିଆରେ ଏକମାତ୍ର ପାର୍ଟି ଯିଏ ଏଭଳି ସଙ୍କଟ ସମୟରେ ରାଜନୀତି କରୁଛି।
ବିଜେପିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ଏକ ଜାତୀୟ ଗଣମାଧ୍ୟମକୁ ଆଦିତ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଆକ୍ରମଣାତ୍ମକ ଭାବେ କରୋନା ସହ ଯୁଦ୍ଧ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ମିଳିତ ଭାବେ ପ୍ରତ୍ୟକ ମନ୍ତ୍ରୀ ନିଜ ତରଫରୁ ସମ୍ପୂର୍ଣ୍ଣ ପ୍ରୟାସ ଜାରି ରଖିଛନ୍ତି। ସୋଶାଲ ମିଡିଆ ଓ ଗଣମାଧ୍ୟମରେ ରାଜନୈତିକ ଲଢ଼େଇ ଦେଖିବାକୁ ମିଳୁଛି। ହେଲେ ଆମେ ଏସବୁ ଥିରେ ମୁଣ୍ଡ ନ ପୁରାଇ କରୋନା ବିରୁଦ୍ଧରେ ଯୁଦ୍ଧ ଜାରି ରଖିଛୁ ବୋଲି ଆଦିତ୍ୟ କହିଛନ୍ତି।
ବିଜେପି ଏବଂ ଦେବେନ୍ଦ୍ର ଫଡନାଭିସଙ୍କୁ ନେଇ ମଧ୍ୟ ଆଦିତ୍ୟ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ସରକାର ଗଢ଼ିବା ସମୟରେ ଆମର ଲକ୍ଷ୍ୟ ରାଜ୍ୟର ବିକାଶ ଥିଲା। କିନ୍ତୁ ଏହାରି ଭିତରେ କରୋନା ସଙ୍କଟ ଆସିଗଲା। 4 ଘଣ୍ଟାର ନୋଟିସ ଦେଇ ଲକଡାଉନ କରାଯାଇପାରିବ ନାହିଁ। ଲକଡାଉନ୍ ବା ଅନଲକକୁ ନେଇ ପ୍ଲାନ୍ ବା ଯୋଜନା କରାଯିବା ଜରୁରୀ।
ସେହିପରି ଅନଲକ୍-1କୁ ନେଇ ଶିବସେନା ନେତା ଆଦିତ୍ୟ କହିଛନ୍ତି, ଜୀବନ ଆଉ ଜୀବିକା ଭିତରେ ସନ୍ତୁଳନ ରହିବା ଆବଶ୍ୟକ। କିନ୍ତୁ ଲକଡାଉନ ଖୋଲିବାକୁ ହେଲେ ବିଶେଷ ଦୃଷ୍ଟି ରଖିବା ଆବଶ୍ୟକ। କାରଣ ଅନଲକ୍ ପରେ କିଭଳି ପରିସ୍ଥିତି ସୃଷ୍ଟି ହେବ, ତାହା କେହି ଜାଣନ୍ତି ନାହିଁ। କିନ୍ତୁ ଲୋକଙ୍କ ଜୀବନ ରକ୍ଷା କରିବା ଅନଲକଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଆଦିତ୍ୟ କହିଛନ୍ତି।
from Odisha Reporter https://ift.tt/2XP7fjy
No comments:
Post a Comment