କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ବ୍ୟବସ୍ଥା କଟକ ଏସ୍ସିବି ମେଡିକାଲଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟିତ୍ ହୋଇଛି। ଏହାପରେ ପରେ SCBରେ ୪ ପ୍ଲାଜମା ସଂଗୃହୀତ ହୋଇଛି।
ସେଥିମଧ୍ୟରୁ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଜଣେ ଗୁରୁତର କରୋନା ରୋଗୀଙ୍କ ପ୍ଲାଜମା ଥେରାପି ଶେଷ ହୋଇଥିବା ସୂଚନା ମିଳିଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ B ପଜିଟିଭ୍ ପ୍ଲାଜମା ଦିଆଯାଇଛି। ଏ ସମ୍ପର୍କରେ କରୋନା ବୈଷୟିକ କମିଟି ମୁଖପାତ୍ର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।
କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୨ ଯୁବକ ଗତକାଲି ପ୍ଲାଜମା ଦେବା ନିମନ୍ତେ SCB ଆସିଥିଲେ। ନିଜେ ଏହି ମହାମାରୀରୁ ମୁକୁଳି ପାରିଥିବା ବେଳେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଉପକୃତ ହୋଇପାରିବେ ଭାବି ସେମାନେ ପ୍ଲାଜମା ଦେବାକୁ ଆସିଥିବା କହିଛନ୍ତି। ଏଥିସହ କରୋନାରେ ସୁସ୍ଥ ହୋଇଥିବା ଅନ୍ୟମାନେ ମଧ୍ୟ ଏଥିନିମନ୍ତେ ଆଗେଇ ଆସନ୍ତୁ ବୋଲି ଉଭୟ ଯୁବକ ଆହ୍ୱାନ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରଫେସର ଡ. ପଙ୍କଜ ପରିଡ଼ା କହିଛନ୍ତି, ପ୍ଲାଜମା ଥେରାପି ଦ୍ୱାରା ଗୁରୁତର କରୋନା ରୋଗୀ ବହୁ ମାତ୍ରାରେ ଉପକୃତ ହୋଇପାରିବେ। ପ୍ଲାଜମା ଦେବାକୁ ଆସୁଥିବା ବ୍ୟକ୍ତିଙ୍କ ନିକଟରୁ ୨ ଘଣ୍ଟାରେ ପ୍ଲାଜମା ସଂଗୃହିତ ହେବ। ସେମାନଙ୍କ ଓଜନ ୫୫ ରୁ ଅଧିକ ହୋଇଥିବ, ବୟସ ୨୦ରୁ ୫୦ ମଧ୍ୟରେ ହୋଇଥିବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ ପ୍ଲାଜମା ଦେବାକୁ ନିବେଦନ କରିଥିବାରୁ ତାହା ରକ୍ଷା କରି ଯେଉଁମାନେ କରୋନାରୁ ମୁକ୍ତି ପାଇଥିବେ ସେମାନେ ଆଗେଇ ଆସିବାକୁ କହିଛନ୍ତି ପ୍ରଫେସର ପରିଡ଼ା।
ସୂଚନାଯୋଗ୍ୟ, ଗତକାଲି ପ୍ଲାଜମା ଥେରାପି ବ୍ୟବସ୍ଥା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, କରୋନା ବିରୋଧୀ ଲଢ଼େଇରେ ପ୍ଲାଜମା ଥେରାପି ଉପାଦେୟ ଅସ୍ତ୍ର ହେବ। ଓଡ଼ିଶାର କୌଣସି ଜଣେ ବ୍ୟକ୍ତି ବି ମେଡିକାଲ ସୁବିଧାରୁ ବଞ୍ଚିତ ହେବେନାହିଁ। ରାଜ୍ୟବାସୀଙ୍କୁ ପ୍ଲାଜମା ଥେରାପି ମାଗଣାରେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ସେ ସବୁ କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି।
ପ୍ଲାଜମା ଥେରାପି ଏବେ କେବଳ ଏସ୍ସିବିରେ ଉପଲବ୍ଧ ଥିବା ବେଳେ ପରେ ଅନ୍ୟ ୩ଟି କୋଭିଡ୍ ହସ୍ପିଟାଲରେ ସମ୍ ଓ କିମ୍ସ (ଭୁବନେଶ୍ୱର) ଏବଂ ଅଶ୍ୱିନୀ ହସ୍ପିଟାଲ (କଟକ)ରେ ମଧ୍ୟ ଉପଲବ୍ଧ ହେବ।
ପ୍ଲାଜମା ଥେରାପି ବର୍ତ୍ତମାନ କୋଭିଡ୍ ମୁକାବିଲାରେ ବଡ଼ ଭୂମିକା ତୁଲାଉଛି। ଏହି ଥେରାପି ପୂର୍ବରୁ ମଧ୍ୟ ଅନ୍ୟ ସଂକ୍ରାମକ ରୋଗ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏଥିରେ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ରକ୍ତରେ ସେହି ରୋଗର ମୁକାବିଲା ପାଇଁ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ତିଆରି ହୋଇଥାଏ। ଏହି ଆଣ୍ଟିବଡିକୁ ଗୁରୁତର ଭାବେ ଅସୁସ୍ଥ ଅନ୍ୟ ରୋଗୀଙ୍କୁ ଦିଆଗଲେ ତାହା ରୋଗ ବିରୋଧରେ ଲଢ଼ିବାକୁ ସହାୟକ ହୁଏ। ତେଣୁ କରୋନାରୁ ସୁସ୍ଥ ଲୋକେ ପ୍ଲାଜମା ଦେବାକୁ ନିଜଆଡ଼ୁ ଆଗେଇ ଆସିବାକୁ ସରକାର ଆହ୍ୱାନ କରୁଛନ୍ତି।
The post ଅଶ୍ୱିନୀ ହସ୍ପିଟାଲରେ ଗୁରୁତର କରୋନା ରୋଗୀଙ୍କୁ ଦିଆଗଲା ପ୍ଲାଜମା appeared first on Odisha Reporter.
from Odisha Reporter https://ift.tt/3gWosOK
No comments:
Post a Comment