ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଭିଡିଓ କଲିଂ କରି ସାଙ୍ଗକୁ ଜଳ ପ୍ରପାତ ଦେଖାଉଥିଲେ। ହେଲେ ଅସାବଧାନତାବଶଃତ ନିଜ ଗୋଡ଼ ଖସିଗଲା। ଆଉ ଜଳକୁଣ୍ଡରେ ବୁଡ଼ିଗଲେ ଫାର୍ମାସୀ ଛାତ୍ର। ତାଙ୍କ ନାଁ ଶୁଭମ୍ ପ୍ରସାଦ। ଏପରି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ସଦର ମହକୁମାସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ଏକ ନମ୍ୱର ଜଳକୁଣ୍ଡରେ। ଯୁବକଜଣକ ଆଲ୍ଲାବାଦରେ ଫାର୍ମାସୀ ପଢୁଥିଲେ। ହେଲେ ଲକ୍ଡାଉନ୍ ର୍ପୂବରୁ ସେ ନିଜ ଘର ଦେବଗଡ଼ ଜିଲ୍ଲାକୁ ପଳାଇ ଆସିଥିଲେ।
ସୂଚନାଅନୁସାରେ, ଗତକାଲି ସକାଳେ ଶୁଭମ୍ ପ୍ରାତଃ ଭ୍ରମଣ ନିମନ୍ତେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ଼ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। ସେଠାରେ ସେ ଜଳକୁଣ୍ଡ ପାର୍ଶ୍ୱରେ ଠିଆହୋଇ ସେଲଫି ନେଉଥିଲେ। ଏହାପରେ ଆଲ୍ଲାବାଦରେ ଥିବା ନିଜର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଏହି ମନୋରମ ଦୃଶ୍ୟ ଦେଖାଉଥିଲେ। ଏହି ସମୟରେ ହଠାତ୍ ତାଙ୍କର ଗୋଡ ଖସି ଯିବାରୁ ସେ ଜଳ କୁଣ୍ଡରେ ପଡ଼ି ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଶୁଭମ୍ ଘରକୁ ଆସିବାରେ ବିଳମ୍ୱ ହେବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ପାଇ ନଥିଲେ।
ଏହାପରେ ସନ୍ଧ୍ୟାରେ ପରିବାର ଲୋକେ ଆଲ୍ଲାବାଦରେ ଥିବା ତାଙ୍କ ସାଙ୍ଗକୁ ଫୋନ୍ କରି ଶୁଭମ୍ ସମ୍ପର୍କରେ ପଚାରିଥିଲେ। ଶୁଭ୍ମ ତାଙ୍କୁ ସକାଳେ ଭିଡିଓ କଲ୍ କରିଥିବା ତାଙ୍କ ସାଙ୍ଗଜଣକ କହିଥିଲେ। ଏଥିସହ ସେ ଏକ ଝରଣା ନିକଟରେ ଛିଡ଼ା ହୋଇ ସେଲଫି ଉଠାଇବା ସହ ଭିଡିଓ କଲ୍ କରିଥିବା ବେଳେ ତା ମୋବାଇଲ୍ ହଠାତ୍ ସୁଇଜ୍ ଅଫ୍ ଆସିଥିବା ତାଙ୍କ ସାଙ୍ଗ ଶୁଭମଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଶୁଭମ୍ଙ୍କ ସାଙ୍ଗଙ୍କଠାରୁ ଏହି ସୂଚନା ପାଇବା ପରେ ଆଜି ସକାଳେ ପରିବାର ଲୋକେ ପ୍ରଧାନପାଟ ଜଳ ପ୍ରପାତରେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ଶୁଭମଙ୍କର ମୃତଦେହ ଜଳକୁଣ୍ଡରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ଦେବଗଡ଼ ଥାନା ପୁଲିସକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ସହାୟତାରେ ଜଳକୁଣ୍ଡରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
The post ସାଙ୍ଗକୁ ଭିଡିଓ କଲ୍ କରୁଥିଲେ; ଜଳ ପ୍ରପାତରୁ ଖସି ପଡ଼ିଲେ ଫାର୍ମାସୀ ଛାତ୍ର appeared first on Odisha Reporter.
from Odisha Reporter https://ift.tt/3jcDyl1
No comments:
Post a Comment