ମାଲକାନଗିରି (ଜିତେନ୍ଦ୍ର ବେଉରା): ସରକାର ମୃତଦେହ ନେବାପାଇଁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମୃତଦେହକୁ ଅସମ୍ମାନ କରାଯାଉଛି। ମହାପ୍ରୟାଣ କିମ୍ୱା ଆମ୍ୱୁଲାନ୍ସ ନ ମିଳିବାରୁ ପରିବାର ଲୋକେ ମେଡିକାଲରୁ ଷ୍ଟ୍ରେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମୁସାକିଗୁଡା ଗାଁରେ।
ମୁସାକିଗୁଡା ଗାଁର ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ କିଛି ଦିନ ତଳେ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ଗତକାଲି ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତଦେହକୁ ନେବା ପାଇଁ ଆମ୍ବୁଲାନ୍ସଟିଏ ଯୋଗାଇ ଦେବା ପାଇଁ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ। ହେଲେ ମେଡିକାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସ ଖରାପ ହୋଇ ପଡ଼ିଛି ବୋଲି କହିଥିଲେ। ଏହାପରେ ପରିବାର ଲୋକଙ୍କୁ କିଛି ବୁଦ୍ଧି ବାଟ ଦିଶି ନଥିଲା।
ଆର୍ଥିକ ଅବସ୍ଥା ଭଲ ଥିବାରୁ ଘରୋଇ ଆମ୍ବୁଲାନ୍ସ ଭଡ଼ା କରିପାରି ନ ଥିଲେ। ଶେଷରେ ନିରୁପାୟ ହୋଇ ପରିବାର ଲୋକେ ମେଡିକାଲରୁ ଏକ ଷ୍ଟ୍ରେଚର ସାହାଯ୍ୟରେ କାନ୍ଧରେ ଶବକୁ ବୋହି ଦୁଇ କିଲୋମିଟର ଦୂର ନିଜ ଗାଁ ମୁସାକିଗୁଡାକୁ ନେଇଥିଲେ। ସବୁଠାରୁ ହୃଦୟ ବିଦାରକ ଥିଲା ଯେ, ଜଣେ ମହିଳା ଏକ ଶିଶୁକୁ କାଖରେ କାଖେଇ ମୃତଦେହ କାନ୍ଧରେ ବୋହି ନେଉଥିଲେ। ଏଭଳି ହୃଦୟ ବିଦାରକ ଦୃଶ୍ୟକୁ ଲୋକେ ଦେଖୁଥିଲେ ମଧ୍ୟ କେହି ଜଣେ ବି ସହଯୋଗର ହାତ ବଢ଼େଇ ନଥିଲେ ।
The post ମୃତ୍ୟୁ ପରେ ବି ସମ୍ମାନ ନାହିଁ : ଷ୍ଟ୍ରେଚରରେ ବୁହାଗଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/2X5khsp
No comments:
Post a Comment