ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ କରିଚାଲିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ରେ ହିଁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ଏହାପରେ ବିଧିବଦ୍ଧ ଭାବେ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ।
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅନୁଷ୍ଠିତ ଭୂମି ପୂଜନର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ବିଭିନ୍ନ ପୂଜକ ଓ ଜ୍ୟୋର୍ତିରବିଦଙ୍କ ପରାମର୍ଶକ୍ରମେ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ସୂଚୀ ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ ଭବ୍ୟ ରାମ ମନ୍ଦିରର ଭୂମି ପୂଜନ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦେଶର ୧୧ଟି ଧାର୍ମିକ ସ୍ଥଳରୁ ମାଟି ସଂଗ୍ରହ କରିଥିଲା। ଏବେ ଏଗୁଡ଼ିକୁ ପରିଷଦ ପକ୍ଷରୁ ଅଯୋଧ୍ୟାକୁ ପଠାଯାଇଛି। ତେଣୁ ଭୂମି ପୂଜନ କରିବା ପାଇଁ ଜୋରସୋରରେ କାମ ଆରମ୍ଭ ହୋଇଯାଇଛି।
ତେବେ ଜ୍ୟୋତିପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ଭୂମି ପୂଜନର ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭୂମି ପୂଜନ ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଛି, ତାହା ହିନ୍ଦୁ ପଞ୍ଜିକାରେ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଛନ୍ତି, ବାରାଣସୀ ଓ ଅଯୋଧ୍ୟାର ପ୍ରଖ୍ୟାତ ପଣ୍ଡିତ ଏବଂ ଜ୍ୟୋର୍ତିରବିଦଙ୍କ ପରାମର୍ଶକ୍ରମେ ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସ୍ୱାମୀ ଗୋବିନ୍ଦ ଦେବଜୀ ମହାରାଜ କେବେ ଭୂମି ପୂଜନ ହେବ ସେନଇ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ପଣ୍ଡିତଙ୍କ ସହ କଥା ହୋଇଥିଲେ। ଏହାପରେ ସବୁ କିଛି ସ୍ଥିର କରାଯାଇଛି। ଅଗଷ୍ଟ ୫ର ମଧ୍ୟାହ୍ନ ୧୨.୩୦ ହିଁ ହେଉଛି ଭୂମି ପୂଜନର ଉପଯୁକ୍ତ ସମୟ ବୋଲି ସେ କହିଛନ୍ତି।
୧୬୧ ଫୁଟ ଉଚ୍ଚର ଭବ୍ୟ ରାମ ମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ଟ୍ରଷ୍ଟ ପକ୍ଷରୁ ମୋଦିଙ୍କ ସମେତ ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ୍ଡ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ଆରଏସଏସ ମୁଖ୍ୟ ମୋହନ ଭାଗବତ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି।
ତେବେ କରୋନା ମହମାରୀ ବେଳେ ଏଭଳି ଭୂମି ପୂଜନକୁ ନେଇ ପ୍ରଶ୍ନ ଉଠିଛି। ତେଣୁ ଭୂମି ପୂଜନରେ ଭିଡ଼ ନ କରିବାକୁ କୁହାଯାଇଛି। ସେହିପରି ଶ୍ରଦ୍ଧାଳୁଙ୍କ ପାଇଁ ପୂରା କାର୍ଯ୍ୟକ୍ରମର ସିଧାପ୍ରସାର କରାଯିବ ବୋଲି ଜଣାପଡ଼ିଛି।
The post ୫ ତାରିଖ ୧୨.୩୦ରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ୧୧ଟି ସ୍ଥାନରୁ ଆସିଲା ମାଟି appeared first on Odisha Reporter.
from Odisha Reporter https://ift.tt/2BrvVGi
No comments:
Post a Comment