ଗୌହାଟୀ/ପାଟନା: ଲଗାଣ ବର୍ଷା ଯୋଗୁ ଏକାଧିକ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ବିଶେଷ କରି ଆସାମ ଓ ବିହାର ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ଆସାମରେ ବନ୍ୟା ଜିନିତ ମୃତ୍ୟୁସଂଖ୍ୟା ୧୦୦ ପାର କରିଯାଇଛି। ରବିବାର ବନ୍ୟା ଯୋଗୁ ଆସାମରେ ୩ ଜଣଙ୍କ ମୃତ୍ୟୁପରେ ମୋଟ ସଂଖ୍ୟା ୧୦୨କୁ ବୃଦ୍ଧି ପାଇଛି। ସେହିପରି ଗତକାଲି ବିହାରରେ ବନ୍ୟା ଯୋଗୁ ୭ ଜଣଙ୍କ ଜୀବନ ଯାଇଛି।
ଆସାମ ସରକାର ଦେଇଥିବା ସୂଚନା ଅନୁଯାୟୀ, ଏବେ ବି ବନ୍ୟା ଯୋଗୁ ୨୩ଟି ଜିଲ୍ଲାର ପ୍ରାୟ ୨୫ ଲକ୍ଷ ଲୋକଙ୍କ ଅବସ୍ଥା ଖରାପ ହୋଇଛି। ପୂର୍ବରୁ ୨୬ଟି ଜିଲ୍ଲାରେ ବନ୍ୟା ଜଳ ପ୍ରବେଶ କରିଥିଲା। ହେଲେ ୩ଟି ଜିଲ୍ଲାରୁ ବନ୍ୟା ଜଳ ଧୀରେଧୀରେ ନିଷ୍କାସିତ ହେବାରେ ଲାଗିଛି। ବନ୍ୟା ଯୋଗୁ ଗୋଲାପଡ଼ା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏଠାରେ ପ୍ରାୟ ୪.୭ ଲକ୍ଷ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ସେହିପରି ମୋରିଗାଁରେ ୩.୩୩ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ୨୨୬୫ଟି ଗାଁରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଲୋକମାନେ ବାଧ୍ୟ ହୋଇ ଅସ୍ଥାୟୀ ଟେଣ୍ଟ ଓ ଉଚ୍ଚ ସ୍ଥାନରେ ରହିଛନ୍ତି।
ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ସରକାରଙ୍କ ପକ୍ଷରୁ ୪,୪୫୧.୯୯ କ୍ୱିଣ୍ଟାଲ ଚାଉଳ, ଡାଲି ଓ ଲୁଣ ବଣ୍ଟା ଯାଇଛି। ସେହିପରି ୧,୨୫୬.୩୪ ଲିଟରର ସୋରିଷ ତେଲ ସହ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଛି। ଏହା ମଧ୍ୟରେ ଜରି ପାଲ, ବେବି ଫୁଡ, ମହମବତୀ, ଦିଆସିଲି, ମଶାରି, ବିସ୍କୁଟ, ସାବୁନ, ପିଇବା ପାଣି, ଗୋ-ଖାଦ୍ୟ, ମାସ୍କ ଓ ସାନିଟାଇଜର ରହିଛି।
ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୪୬ ହଜାର ଲୋକଙ୍କୁ ସରକାର ପ୍ରସ୍ତୁତ କରିଥିବା ୨୪୬ଟି ରିଲିଫ କ୍ୟାମ୍ପରେ ରଖାଯାଇଛି। ରବିବାର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କାରଣ ବିଭିନ୍ନ ନଦୀର ଜଳସ୍ଥର କ୍ରମାଗତ ହ୍ରାସ ପାଇବାରେ ଲାଗିଛି।
ତେବେ ମଙ୍ଗଳବାର ଠାରୁ ଆସାମ ଓ ମେଘାଳୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ସତର୍କ ସୂଚନା ଜାରି କରାଯାଇଛି। ତେଣୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି। ବନ୍ୟା ଯୋଗୁ କାଜିରଙ୍ଗା ପାର୍କ ଓ ବ୍ୟାଘ୍ର ସଂରକ୍ଷଣର ୮୫% ଅଞ୍ଚଳ ପାଣିରେ ବୁଡ଼ି ଯାଇଛି। ଏକାଧିକ ପଶୁପକ୍ଷୀ ପ୍ରାଣ ହରାଇଥିବା ବେଳେ ବ୍ୟାପକ ଅଞ୍ଚଳରେ କ୍ଷୟକ୍ଷତି ଘଟିଛି। ବନ୍ୟା ପାଣି ମାଡ଼ି ଯିବାରୁ ଲକ୍ଷଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଯାଇଛି। ଏବେ ପ୍ରଶାସନ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରୁଥିବାର ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ।
ବିହାରରେ ମଧ୍ୟ ଲଗାଣ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗତକାଲି ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ଘଟିବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଗକୁ ଆହୁରି ବର୍ଷା ହେବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।
କେବଳ ବିହାର କିମ୍ବା ଆସାମ ନୁହେଁ ମଧ୍ୟପ୍ରଦେଶର କିଛି ଅଞ୍ଚଳ, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ଲଗାଣ ବର୍ଷା ଯୋଗୁ ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି।
The post ଦେଶରେ ବନ୍ୟା ସ୍ଥିତି ସାଂଘାତିକ, ଆସାମରେ ୧୦୦ ଡେଇଁଲା ମୃତ୍ୟୁସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/30JCSeA
No comments:
Post a Comment