ଅମରାବତୀ: କରୋନା ମହାମାରୀ ପାଇଁ ଜାରି ଲକଡାଉନ ବେଳେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ପରେ ଆନ୍ଧ୍ରପ୍ରଦେଶର ଚିତ୍ତୋର ପରିବାରର ଦୁଇ ଭଉଣୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ।
ଲଙ୍ଗଳରେ ଚାଷ କରୁଥିବା ଦୁଇ ଭଉଣୀଙ୍କୁ ପ୍ରତିଶ୍ରୁତି ମୁତବାକ ଗତକାଲି ସୋନୁ ନୂଆ ଟ୍ରାକ୍ଟର ଦେଇଥିବା ବେଳେ ଏବେ ଚନ୍ଦ୍ରବାବୁ ନାଇଡୁ ସେମାନଙ୍କର ପାଠପଢ଼ା ଦାୟିତ୍ୱ ବହନ କରିବାକୁ ଘୋଷା କରିଛନ୍ତି।
ନାଇଡୁ ଟ୍ୱିଟ କରି କହିଛନ୍ତି, “ମୁଁ ସୋନୁ ସୁଦ୍ଜୀଙ୍କ ସହ କଥା ହୋଇଛି। ସେ ଚିତ୍ତୋରରେ ରହୁଥିବା ନାଗେଶ୍ୱର ରାଓଙ୍କ ଘରକୁ ନୂଆ ଟ୍ରାକ୍ଟର ପଠାଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଇଛି। ଏବେ ମୁଁ ପରିବାରର ଦୁଇ ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଘୋଷଣା କରୁଛି। ଏହାଦ୍ୱାରା ସେମାନେ ଦେଖିଥିବା ସ୍ୱପ୍ନ ପୂରଣ ହୋଇପାରିବ।”
ନାଗେଶ୍ୱର ରାଓଙ୍କ ଦୁଇ ଝିଅ ଲଙ୍ଗଳରେ ଚାଷ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଶନିବାର ସୋନୁ ସୁଦ ଦୁଇ ଭଉଣୀଙ୍କୁ ଚାଷ ପାଇଁ ନୂଆ ଟ୍ରାକ୍ଟର ଯୋଗାଇ ଦେବେ ବୋଲି ଟ୍ୱିଟ କରି କହିଥିଲେ। ରବିବାର ଗାୟତ୍ରୀ ଏଜେନ୍ସର ଏମଡି ତାଙ୍କ ଘରେ ଟ୍ରାକ୍ଟର ପହଞ୍ଚାଇଥିଲେ। ଏଥିପାଇଁ ପରିବାର ପକ୍ଷରୁ ସୋନୁଙ୍କୁ ଧନ୍ୟବାଦ ଦିଆଯାଇଛି।
ନାଗେଶ୍ୱର ରାଓ ମଦନପାଲ୍ଲେ ମଣ୍ଡଳରେ ଚା’ ଦୋକାନ କରି ପରିବାର ପୋଷଣ କରୁଥିଲେ। ହେଲେ ଲକଡାଉନ ଯୋଗୁ ଏହା ବନ୍ଦ ହୋଇଯାଇଥିଲା। ଫଳରେ ପରିବାର ସଦସ୍ୟମାନେ ରାଜୁଭାରିପାଲ୍ଲେ ଗାଁକୁ ଫେରି ଚାଷ କାମ ଆରମ୍ଭ କରିଥିଲେ।
ଟ୍ରାକ୍ଟର ଭଡ଼ାରେ ଆଣି ପରିବାର ଚଳାଇବା କଷ୍ଟକର ହେବାରୁ ଦୁଇ ଭଉଣୀ ଭେନ୍ନେଲା ଓ ଚନ୍ଦନା କାନ୍ଧରେ ଲଙ୍ଗଳ ଧରି ଜମିରେ ଚାଷ କରିବା ଆରମ୍ଭ କରିଥିଲେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ସୋନୁ ସୁଦଙ୍କ ନଜରକୁ ଆସିଥିଲା। ସେ ତୁରନ୍ତ ଟ୍ୱିଟ କରି ସହଯୋଗର ହାତ ବଢ଼ାଇଥିଲେ।
The post ଦୁଇ ଭଉଣୀଙ୍କୁ ଚାଷ ପାଇଁ ସୋନୁ ଯୋଗାଇଲେ ଟ୍ରାକ୍ଟର, ଏବେ ଚନ୍ଦ୍ରବାବୁ ନେଲେ ପାଠପଢ଼ା ଦାୟିତ୍ୱ appeared first on Odisha Reporter.
from Odisha Reporter https://ift.tt/2WYjVDE
No comments:
Post a Comment