କୋଲକାତା: ୧୦ମ ଶ୍ରେଣୀ ପାସ୍ କରିଥିବା ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଅଭିଯୋଗକୁ ନେଇ ତୁମୁଳକାଣ୍ଡ ଘଟିଛି। ଏପରି ଅଭିଯୋଗ କରି ଶତାଧିକ ଲୋକ କୋଲକାତା ଓ ସିଲିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ପୋଡ଼ାଜଳା କରିଛନ୍ତି।
ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍ ଲାଠି ଚାର୍ଜ କରିବାରୁ ଲୋକମାନେ ମଧ୍ୟ ତୀର ଓ ପଥର ମାଡ଼ କରିଛନ୍ତି। କହିବାକୁ ଗଲେ ଦୀର୍ଘ ସମୟ ଧରି ରାଜରାସ୍ତା ପୂରା ରଣକ୍ଷେତ୍ର ପାଲଟି ଯାଇଥିଲା।
ନିକଟରେ ୧୦ମ ପାସ୍ କରିଥିବା ଜଣେ ଛାତ୍ରୀ ଶନିବାର ରାତିରେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ତା’ ପରଦିନ ଏକ ଗଛ ନିକଟରୁ ତାଙ୍କ ମୃତଦେହ ମିଳିଥିଲା। ମୃତଦେହ ନିକଟରେ ଦୁଇଟି ସାଇକେଲ ଓ ମୋବାଇଲ ଫୋନ ମଧ୍ୟ ପଡ଼ିଥିଲା।
ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉତ୍ତେଜନା। ଶତାଧିକ ଲୋକ ଚୋପ୍ରା ଠାରେ ଏକାଠି ହୋଇ ବିକ୍ଷୋଭ ଆରମ୍ଭ କରିଥିଲେ। ଦୀର୍ଘ ୨ ଘଣ୍ଟା ଧରି ପୁଲିସ୍ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ବିକ୍ଷୋଭକାରୀ କିଛି ବି ଶୁଣି ନଥିଲେ।
ଫଳରେ ପୁଲିସ୍ ବାଧ୍ୟ ହୋଇ ସେମାନଙ୍କ ଉପରକୁ ଲାଠି ଚାର୍ଜ କରିଥିଲା। ଲୋକମାନେ ମଧ୍ୟ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ବିକ୍ଷୋଭବେଳେ ଲୋକମାନେ ୩ଟି ବସ୍ ଓ ୪ଟି ପୁଲିସ୍ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ଲାଠି ଚାର୍ଜ ପରେ ପୁଲିସ୍ ଭାବିଥିଲା ଯେ ଲୋକମାନେ ନିଜ ନିଜ ଘରକୁ ଫେରି ଯାଇଛନ୍ତି।
ତେବେ ସନ୍ଧ୍ୟା ବେଳକୁ ପୁଣିଥରେ ଶତାଧିକ ଲୋକ ସଂଘବଦ୍ଧ ଭାବେ ପୁଲିସ୍ ଉପରେ ଆକ୍ରମଣ କରିଥିଲେ। ସେମାନେ ପୁଲିସ୍ ଉପରକୁ ତୀର ଓ ପଥର ମାଡ଼ କରିଥିଲେ। ପୁଲିସ୍ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା।
ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ ଛାତ୍ରୀ ଜଣଙ୍କ ମୃତ୍ୟୁ ବିଷକ୍ରିୟା ଯୋଗୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ କିମ୍ବା ସେ କୌଣସି ପ୍ରକାରର ଯୌନ ନିର୍ଯାତନାର ଶିକାର ହୋଇନାହାନ୍ତି। କେବଳ କିଛି ଗୁଜବକୁ ବିଶ୍ୱାସ କରି ଲୋକମାନେ ପୋଡ଼ାଜଳା କରିଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା ପୁଲିସ୍ କହିଛି।
The post ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ରାଜରାସ୍ତା ପାଲଟିଲା ରଣକ୍ଷେତ୍ର appeared first on Odisha Reporter.
from Odisha Reporter https://ift.tt/2Bdf3D5
No comments:
Post a Comment