କାନପୁର: କୁଖ୍ୟାତ ଅପରାଧୀ ତଥା କାନପୁର ଶୁଟଆଉଟରେ ସାମିଲ ଥିବା ବିକାଶ ଦୁବେକୁ ଧରିବା ପାଇଁ ପୁଲିସ୍ ଫୁଲଦମରେ ଲାଗିପଡ଼ିଛି। ଏଥିସହ ବିକାଶ ଦୁବେର ଜଣଙ୍କ ପରେ ଜଣେ ସହଯୋଗୀଙ୍କୁ ଏନକାଉଣ୍ଟର କରାଯାଉଛି। ପୁଲିସ୍ର ଏଭଳି ଆକ୍ରମଣାତ୍ମକ ରୂପ ଦେଖି ବିକାଶ ଏବେ ଭୟଭୀତ।
ଏଥିପାଇଁ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଛି। ତେବେ ପୁଲିସ୍ କିମ୍ବା କୋର୍ଟରେ ସେ ଆତ୍ମସମର୍ପଣ କରିବ ନାହିଁ। ବରଂ ଗୋଟିଏ ଜାତୀୟ ଟିଭି ଚ୍ୟାନେଲର ଷ୍ଟୁଡିଓକୁ ଯାଇ ଆତ୍ମସମର୍ପଣ କରିବ ବୋଲି କୁହାଯାଉଛି। ବିକାଶ ଦୁବେ କାନପୁରରେ ପୁଲିସ୍ ଉପରେ ହମଲା କରିଥିଲା। ଏଥିରେ ୮ ଜଣ ପୁଲିସ୍ କର୍ମୀ ସହିଦ ହୋଇଛନ୍ତି। ସେବେଠାରୁ ପୁଲିସ୍ ତା’କୁ ଖୋଜିବାରେ ଲାଗିଛି।
ସୂତ୍ର ଅନୁସାରେ, କୌଣସି ଏକ ଟିଭି ଚ୍ୟାନେଲର ଲାଇଭ ଟେଲି କାଷ୍ଟ ସମୟରେ ସେ ସରେଣ୍ଡର କରିବ। କାରଣ ମିଡିଆ ଉପସ୍ଥିତିରେ ପୁଲିସ୍ ଗୁଳି ଚଳାଇବ ନାହିଁ ଓ ତା’ର ଜୀବନ ବଞ୍ଚିଯିବ ବୋଲି ସେ ଆଶା ରଖିଛି। ନୋଏଡା ଫିଲ୍ମ ସିଟିରେ ଥିବା ଟିଭି ଚ୍ୟାନେଲରେ ସେ ଆତ୍ମସମର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ପୁଲିସ୍ ମଧ୍ୟ ଏଥିପ୍ରତି ସତର୍କ ରହିଛି। ତେଣୁ ସେକ୍ଟର-୧୬ ସ୍ଥିତି ଫିଲ୍ମ ସିଟିକୁ ଯାଉଥିବା ସମସ୍ତ ଗାଡ଼ିକୁ ପୁଲିସ୍ ଯାଞ୍ଚ କରୁଛି। ବୁଧବାର ସନ୍ଧ୍ୟାରେ ବିକାଶ ଦୁବେକୁ ନୋଏଡାର ସେକ୍ଟର ୭୧ରେ ଦେଖିବାକୁ ମିଳିଥିଲା। ସେ ଗୋଟିଏ ଅଟୋରେ ଯାଉଥିବା ଜଣେ ବ୍ୟକ୍ତି ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ।
ବିକାଶ ପାଖରେ ଗୋଟିଏ ବ୍ୟାଗ ଥିଲା ଓ ସେ ପ୍ରବଳ ନିଶା ଖାଇଥିଲା ବୋଲି ମଧ୍ୟ ବ୍ୟକ୍ତି ଜଣଙ୍କ କହିଥିଲେ। ପୁଲିସ୍ ଅଟୋକୁ ଠାବ କରିଥିଲେ ହେଁ ବିକାଶ ପୁଣି ଫେରାର ହୋଇଯାଇଛି। ତଥାପି ତା’କୁ ଧରିବା ପାଇଁ ପୁଲିସ୍ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।
The post ମୃତ୍ୟୁର ଭୟରେ ଟିଭି ଷ୍ଟୁଡିଓରେ ଆତ୍ମସମର୍ପଣ କରିବ ବିକାଶ ଦୁବେ! appeared first on Odisha Reporter.
from Odisha Reporter https://ift.tt/2W00D0a
No comments:
Post a Comment