ସାଲେପୁର(ମନୋନ ଆଚାର୍ଯ୍ୟ): ବାପାମା’ଙ୍କର ସେ ଥିଲା ଗୋଟିଏ ବୋଲି ପୁଅ। ବଡ଼ ହେଲେ ଘର ପରିବାର ସମ୍ଭାଳିବ ବୋଲି ଆଶା ଥିଲା। ହେଲେ କରୋନା ଆଣିଦେଲା ଦୁଃଖ। ପୁଅକୁ କରୋନା ହୋଇ ନ ଥିଲେ ବି ବାପାମା’ଙ୍କ କୋଳ ପୋଛି ଦେଲା କରୋନା। ପୁଅର ପେଟ କାଟୁଥିଲେ ବି ମହାମାରୀ ଡରରେ ପାଇପାରିଲାନି ଚିକିତ୍ସା ସୁବିଧା। ଏପରିକି କଟକ ବଡ଼ ମେଡିକାଲର ଗେଟ୍ ଆଗରେ ଛଟପଟ ହୋଇଥିଲେ ବି ଖୋଲି ନ ଥିଲା ଗେଟ୍ । ଶେଷରେ କଷ୍ଟ ସହି ନ ପାରି ବାପା, ଦାଦା କୋଳରେ ଆଖି ବୁଜିଲା ୧୬ ବର୍ଷର ଚିନ୍ମୟ ସାମଲ। ପୁଅକୁ ବଞ୍ଚାଇବା ପାଇଁ ବାପା, ଦାଦାଙ୍କ ଆପ୍ରାଣ ଉଦ୍ୟମ ସତେ ଯେପରି ପାଣି ଫୋଟକା ପରି ମିଳାଇ ଯାଇଥିଲା। ଏପରି ଛାତି ଥରା କାହାଣୀ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଝାଡେଶ୍ୱରପୁର ଗାଁରେ
ପ୍ରାୟ ୩ ଦିନ ପୂର୍ବେ ସକାଳୁ ଚିନ୍ମୟଙ୍କ ପେଟ କାମୁଡ଼ିବା ଆରମ୍ଭ ହୋଇଥିଲା। କ୍ରମଶଃ ଯନ୍ତ୍ରଣା ବଢ଼ିବାରୁ ୧୦୮ ଆମ୍ବୁଲାନ୍ସକୁ ପରିବାର ଲୋକେ ଫୋନ୍ କରିଥିଲେ। କିନ୍ତୁ ତାହା ଆସି ନ ଥିଲା। ଶେଷରେ ବାପା, ଦାଦା ବାଇକ୍ରେ ବସାଇ ସାଲେପୁର, ନିଶ୍ଚିତକୋଇଲି ମେଡିକାଲ ନେଇଥିଲେ। ସେଠାରୁ ଡାକ୍ତର କଟକ ରେଫର କରିଦେଲେ। କଟକ ବଡ ଡାକ୍ତରଖାନା ସମ୍ମୁଖରେ ପହଞ୍ଚିବାରୁ ଗେଟ୍ ବନ୍ଦ ହୋଇଗଲା। କରୋନା ରୋଗୀ ଡରରେ କେହି ଭିତରକୁ ପଶାଇ ଦେଲେ ନାହିଁ। ସେଠାରେ ୨ ଘଣ୍ଟା ଛଟପଟ ହେବା ପରେ ବହୁ ଘରୋଇ ନର୍ସିଂହୋମକୁ ମଧ୍ୟ ଯାଇଥିଲେ। କିନ୍ତୁ କୋଉଠୁ ବି ପାଇପାରିଲେନି ଚିକିତ୍ସା।ଶେଷରେ ସବୁଆଡ଼ୁ ନିରାଶ ହୋଇ ବାପା, ଦାଦା ଚିନ୍ମୟଙ୍କୁ ମହାଙ୍ଗା ଡାକ୍ତରଖାନା ନେଇ ଆସିଥିଲେ। ସେଠାରେ ଆଉ କଷ୍ଟ ସହି ନ ପାରି ଆଖି ବୁଜିଲେ ଚିନ୍ମୟ।
କରୋନା ଯୋଗୁ ଏକ ଗରୀବ ଅସହାୟ ପରିବାର ଉପରେ ପଡ଼ିଥିବା ଏପରି ଚଡ଼କ ଯୋଗୁ ଚିନ୍ମୟଙ୍କ ବାପା, ମା’ ଆଖିରୁ ଲୁହ ଶୁଖୁନି। ହୁଏତ ଚିକିତ୍ସା ସୁବିଧା ମିଳିଥିଲେ ପୁଅ ବଞ୍ଚି ପାରିଥାନ୍ତା ବୋଲି କହି କାନ୍ଦୁଛି ମା’। ଚିନ୍ମୟର ମୃତ୍ୟୁ ପାଇଁ ଉଭୟ ପ୍ରଶାସନ ଓ ଡାକ୍ତରଙ୍କ ବେପରୁଆ ମନୋଭାବକୁ ଦାୟୀ କରିଛନ୍ତି ପରିବାର ଲୋକେ। ପ୍ରଶାସନ ବ୍ୟବସ୍ଥାରେ ତ୍ରୁଟି ପାଇଁ ଅକାଳରେ ପୁଅର ଜୀବନ ଦୀପ ଲିଭି ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। କରୋନା ସମୟରେ ଅଣକରୋନା ରୋଗୀଙ୍କୁ ଅଣଦେଖା ନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ ସତ୍ତ୍ୱେ ତାହା କେତେ କାର୍ଯ୍ୟକାରୀ ହେଉଛି, ତାହାର ଏହା ଏକ ଜ୍ୱଳନ୍ମ ଉଦାହାରଣ ଦେଖିବାକୁ ମିଳିଛି କଟକରେ। କଟକରେ ଏପରି ଘଟଣା ଘଟୁଥିବା ବେଳେ ଉପାନ୍ତ ଅଞ୍ଚଳବାସୀ କରୋନା ସମୟରେ କିପରି ଚିକିତ୍ସା ପାଉଥିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post କରୋନା ପୋଛି ଦେଲା କୋଳ! appeared first on Odisha Reporter.
from Odisha Reporter https://ift.tt/39GtmwK
No comments:
Post a Comment