ନୂଆଦିଲ୍ଲୀ: ଯୁବଗୋଷ୍ଠୀଙ୍କୁ ଦେଶ ଗଠନରେ ଅନୁପ୍ରାଣିତ କରିବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାନତା ଦେଖାଇଛନ୍ତି। ସାଇକେଲିଷ୍ଟ ହେବାକୁ ସ୍ୱପ୍ନ ଦେଖିଥିବା ସ୍କୁଲ ଛାତ୍ର ରିୟାଜଙ୍କୁ ରାଷ୍ଟ୍ରପତି କୋବିନ୍ଦ ଗୋଟିଏ ରେସିଂ ସାଇକେଲ ପ୍ରଦାନ କରିଛନ୍ତି। ସାଇକେଲ ଦେବା ଅବସରରେ ରାଷ୍ଟ୍ରପତି ରିୟାଜଙ୍କୁ ଅନ୍ତର୍ଜାତୀୟ ସାଇକେଲ ରେସିଂରେ ଚାମ୍ପିୟନ ହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କଠିନ ପରିଶ୍ରମ କରିବାକୁ ମଧ୍ୟ ସେ ରିୟାଜଙ୍କୁ ଅନୁପ୍ରାଣିତ କରିଛନ୍ତି।
ଆସନ୍ତାକାଲି ଇଦ-ଅଲ-ଅଧା ବା ଇଦ-ଉଲ-ଜୁହା ଥିବା ବେଳେ ରାଷ୍ଟ୍ରପତି କୋବିନ୍ଦ ଆଜି ରିୟାଜଙ୍କୁ ସାଇକେଲ ଦେଇଛନ୍ତି। ଇଦ୍ରେ ବଡ଼ମାନେ ନିଜର ସାନମାନଙ୍କୁ ଉପହାର ଦେବାର ପ୍ରଥା ରହିଛି। ଏହିକ୍ରମରେ ରାଷ୍ଟ୍ରପତି କୋବିନ୍ଦ ରିୟାଜଙ୍କୁ ସାଇକେଲ ଦେଇଛନ୍ତି।
ରିୟାଜ ଦିଲ୍ଲୀର ସର୍ବୋଦୟ ବଳ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ର। ପ୍ରକୃତରେ ତାଙ୍କ ଘର ବିହାରର ମଧୁବନ ଜିଲ୍ଲାରେ। ରିୟାଜଙ୍କ ବାପା ମା’, ଦୁଇ ଭଉଣୀ ଓ ଗୋଟିଏ ଭାଇ ମଧୁବନରେ ରୁହନ୍ତି। ହେଲେ ରିୟାଜ ଗାଜିଆବାଦର ମହାରାଜପୁରରେ ରୁହନ୍ତି। ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସେ ଗାଜିଆବାଦ୍ରେ ଥିବା ହୋଟେଲରେ ପ୍ଲେଟ ମାଜିଥାଆନ୍ତି।
ତେବେ ସାଇକେଲିଂ ପ୍ରତି ତାଙ୍କର ବେଶ ଆଗ୍ରହ ରହିଛି। ୨୦୧୭ରେ ସେ ଦିଲ୍ଲୀର ଷ୍ଟେଟ ସାଇକେଲିଂ ଚାମ୍ପିୟନଶିପରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗୌହାଟୀରେ ଆୟୋଜିତ ସ୍କୁଲସ୍ତରୀୟ ସାଇକେଲିଂ ରେସରେ ସେ ମଧ୍ୟ ଭାଗ ନେଇଛନ୍ତି। ଜାତୀୟ ସ୍ତରରେ ସେ ୪ନଂ ସ୍ଥାନ ମଧ୍ୟ ଦଖଲ କରିଥିଲେ।
ହେଲେ ଆର୍ଥିକ ଅନଟନ ଓ ଅଭାବ ଯୋଗୁ ସେ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ନିଜସ୍ୱ ସାଇକେଲ ନଥିବାରୁ ସେ ଭଡ଼ାରେ ସାଇକେଲ ମଧ୍ୟ ଆଣି ଅଭ୍ୟାସ କରୁଥିଲେ। ଶେଷରେ ରିୟାଜଙ୍କ ସଂଘର୍ଷର କାହାଣୀ ରାଷ୍ଟ୍ରପତି କୋବିନ୍ଦ ମିଡିଆ ରିପୋର୍ଟରୁ ଜାଣିବାକୁ ପାଇଥିଲେ। ଏହାପରେ ସେ ରିୟାଜଙ୍କୁ ଆଜି ନୂଆ ରେସିଂ ସାଇକେଲ ଦେଇଛନ୍ତି।
The post ସ୍କୁଲ ଛାତ୍ରଙ୍କୁ ରେସିଂ ସାଇକେଲ ଦେଇ ହୃଦୟ ଜିତିଲେ ରାଷ୍ଟ୍ରପତି appeared first on Odisha Reporter.
from Odisha Reporter https://ift.tt/317rDNh
No comments:
Post a Comment