କାବୁଲ: ବୟସ ମାତ୍ର ୧୬। ହେଲେ ଏତେ କମ ବୟସରେ କୁଖ୍ୟାତ ଆତଙ୍କୀ ସଂଗଠନକୁ ଜବାବ ଦେଇ ଚର୍ଚ୍ଚାରେ କମର ଗୁଲ୍। ସାରା ବିଶ୍ୱରେ ଆତଙ୍କରାଜ ଚଳାଇଥିବା ତାଲିବାନ ବିରୋଧରେ ଭୟଙ୍କର ପ୍ରତିଶୋଧ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି କମର ଗୁଲ୍।
ଆଫଗାନିସ୍ତାନର ଧୋର ପ୍ରାନ୍ତରେ ରହୁଥିବା କମର ଗୁଲ୍ ତାଲିବାନ ଆତଙ୍କବାଦୀଙ୍କୁ ନିଜ ବାପା-ମା’ଙ୍କ ହତ୍ୟାର ଏମିତି ଜବାବ ଦେଇଛନ୍ତି ଯେ ଏହାର ସଦସ୍ୟମାନେ ଭୟରେ ଥରିବାରେ ଲାଗିଛନ୍ତି। କମର ଗୁଲ୍ ତାଲିବାନ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଏକେ-୪୭ ଧରି ୩ ଜଣ ଆତଙ୍କୀଙ୍କୁ ଗୁଳି କରି ମାରି ଦେଇଛନ୍ତି। ୧୬ ବର୍ଷ ବୟସରେ ତାଲିବାନ ଭଳି ଆତଙ୍କୀ ସଂଗଠନ ଠାରୁ ପ୍ରତିଶୋଧ ନେଇଥିବା କମର ଗୁଲ୍ଙ୍କ ସାହସ ଏବେ ବିଶ୍ୱ ତମାମ ଚର୍ଚ୍ଚାର ବିଷୟ ହୋଇଛି।
ପାକିସ୍ତାନରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ପୁଣି ସେମାନଙ୍କ ବିରୋଧରେ ସଂଘର୍ଷ କରି ନୂଆ ଜୀବନ ପାଇଥିବା ମଲାଲା ୟୁସୁଫଜାଇଙ୍କ ସମ୍ପର୍କରେ ଆପଣମାନେ ବହୁତ କିଛି ଶୁଣିଥିବେ। ଏବେ ଆମେ ଆପଣଙ୍କୁ ଆଫଗାନିସ୍ତାନର ୧୬ ବର୍ଷୀୟ କମର ଗୁଲ୍ଙ୍କ ଅଦ୍ୟମ ସାହସ ସମ୍ପର୍କରେ କହିବାକୁ ଯାଉଛୁ।
କମର ଗୁଲ୍ କେବଳ ତାଲିବାନ ଆତଙ୍କବାଦୀଙ୍କ ସାମ୍ନା କରିନାହାନ୍ତି ବରଂ ନିଜ ବାପାଙ୍କ ଏକେ-୪୭ରେ ୩ ଜଣ ଆତଙ୍କୀଙ୍କୁ ଖତମ କରିଦେଇଛନ୍ତି। ଗୁଲଙ୍କ ବାପା-ମା’ ସରକାରଙ୍କୁ ସମର୍ଥନ କରୁଥିଲେ। ଏଥିପାଇଁ ତାଲିବାନ ଆତଙ୍କବାଦୀମାନେ ସେମାନଙ୍କୁ ଘରେ ପଶି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଗୁଲ୍ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି।
୪୦ରୁ ଅଧିକ ଆତଙ୍କବାଦୀ ଗୁଲ ରହୁଥିବା ଗାଁରେ ଆକ୍ରମଣ କରିଥିଲେ। ହେଲେ ଏଥିରେ ଗୁଲ ଆଦୌ ଡରି ଯାଇ ନଥିଲେ। ବରଂ ସେମାନଙ୍କର ମୁକାବିଲା କରିଥିଲେ।
ଜୁଲାଇ ୧୭ ରାତି ପ୍ରାୟ ଗୋଟାଏ ବେଳେ ତାଲିବାନ ଆତଙ୍କବାଦୀମାନେ ଧୋର ପ୍ରାନ୍ତରେ ଥିବା ଗୁଲ୍ଙ୍କ ଗାଁରେ ପ୍ରବେଶ କରି ହମଲା କରିଥିଲେ। ସେମାନେ କମର ଗୁଲ୍ଙ୍କ ଘର ପଶି ତାଙ୍କ ବାପା-ମା’ଙ୍କୁ ହତ୍ୟା କରିଦେଇଥିଲେ। ଏହାପରେ ଗୁଲ୍ ଏକେ-୪୭ ଧରି ବାହାରକୁ ବାହାରି ଥିଲେ ଓ ଆତଙ୍କବାଦୀଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।
କମର ଗୁଲ୍ଙ୍କ ସହ ଏହି ସମୟରେ ତାଙ୍କ ସାନ ଭାଇ ମଧ୍ୟ ରହିଥିଲା। ଦୀର୍ଘ ୧ ଘଣ୍ଟା ଧରି ଚାଲିଥିବା ଏହି ଗୁଳି ବିନିମୟ ଚାଲିଥିଲା। ଗୁଲ୍ଙ୍କ ଏକେ-୪୭ର ଗୁଳିମାଡ଼ରେ ୩ ଜଣ ତାଲିବାନ ଆତଙ୍କୀ ଟଲିଥିଲେ। ଏହା ଦେଖି ଆତଙ୍କବାଦୀମାନେ ପଛ ଘୁଞ୍ଚା ଦେଇଥିଲେ।
ତେବେ ଏହାର କିଛି ସମୟ ପରେ ପୁଣିଥରେ ଗୁଲ୍ଙ୍କୁ ମାରିବାକୁ ଆତଙ୍କବାଦୀମାନେ ଆସିଥିଲେ। ହେଲେ ଗାଁ ଲୋକଙ୍କ ସହାୟତା ଓ ସରକାରଙ୍କ ସହଯୋଗ ବଳରେ ସେମାନେ କିଛି କ୍ଷତି କରିପାରି ନଥିଲେ। ବରଂ ଗାଁ ଲୋକଙ୍କ ମୁକାବିଲା କରି ନପାରି ସେମାନେ ଫେରିଯାଇଥିଲେ।
ଏବେ ଆଫଗାନିସ୍ତାର ସୁରକ୍ଷାକର୍ମୀମାନେ ଗୁଲ୍ ଓ ତାଙ୍କ ଭାଇଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି। କମର ଗୁଲ୍ଙ୍କ ସାହସିକତାର ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ସୋଶାଲ ମିଡିଆରେ ସମସ୍ତେ ସଲାମ କରିବାରେ ଲାଗିଛନ୍ତି। ଏତେ କମ ବୟସରେ ଗୁଲ୍ ଯେଉଁଭଳି ଭାବେ ତାଲିବାନ ଆତଙ୍କୀଙ୍କ ମୁକାବିଲା କଲେ ସେକଥା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି।
ଆଫଗାନିସ୍ତାନ ସରକାର କ୍ୟାବନେଟ ମିଟିଂ ଡାକି କମର ଗୁଲ୍ଙ୍କ ପ୍ରଶଂସା କରିଛନ୍ତି। ଏପରି କି ରାଷ୍ଟ୍ରପତି ଅଶ୍ରଫ ଘନି କମର ଗୁଲ୍ ଓ ତାଙ୍କ ଭାଇଙ୍କୁ ରାଷ୍ଟ୍ରପତି ଭବନ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଘଟଣା ପରେ ଗୁଲ୍ ଓ ତାଙ୍କ ଭାଇ ବେଶ କିଛି ସମୟ ଭୟଭୀତ ହୋଇପଡ଼ିଥିଲେ। ଏବେ କମର ଗୁଲ୍ କହିଛନ୍ତି, ତାଲିବାନଙ୍କ ଉପରେ ପ୍ରତିଶୋଧ ନେବା ମୋର ଅଧିକାର। କାରଣ ସେମାନେ ମୋ ବାପା-ମା’ଙ୍କୁ ହତ୍ୟା କରିଥିଲେ। ଏବେ ସୋଶାଲ ମିଡିଆରେ ଗୁଲ୍ ଧରିଥିବା ଏକେ-୪୭ ସହ ଫଟୋ ଭାଇରଲ ହେବାରେ ଲାଗିଛି।
The post ୧୬ ବର୍ଷର ଝିଅର ପ୍ରତିଶୋଧରେ ଥରି ଉଠିଲା ତାଲିବାନ appeared first on Odisha Reporter.
from Odisha Reporter https://ift.tt/30zIzM3
No comments:
Post a Comment