ନୂଆଦିଲ୍ଲୀ: ଜୁଲାଇ ମାସରେ ଉପର ମୁହାଁ ହୋଇଥିବା ମହାମାରୀ କରୋନା ସଂକ୍ରମଣ ଭାରତରେ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ପ୍ରାୟ ୪୦ ହଜାର ଲୋକ ଏହି ପ୍ରାଣଘାତି ଭାଇରସ ପଞ୍ଝାରେ ପଡ଼ିବାରେ ଲାଗିଛନ୍ତି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ମୁହାଁ ହୋଇଯାଇଛି।
ସେହିପରି ମୃତ୍ୟୁସଂଖ୍ୟାରେ ଭାରତ ସ୍ପେନକୁ ପଛରେ ପକାଇ ବିଶ୍ୱର ୭ମ ସ୍ଥାନରେ ପହଞ୍ଚି ଯାଇଛି। ୨୪ ଘଣ୍ଟାରେ କରୋନା ଆଉ ୬୪୮ ଜଣଙ୍କ ମୁଣ୍ଡ ନେବାରୁ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨୮,୭୩୨କୁ ବୃଦ୍ଧି ପାଇଛି। ସ୍ପେନରେ ମୋଟ ମୃତ୍ୟୁସଂଖ୍ୟା ୨୮,୪୨୪ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୩୭, ୭୨୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୯୨,୯୧୫କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୭,୫୩,୦୫୦ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ସଂଖ୍ୟା ୪,୧୧,୧୩୩ ରହିଛି। ଆଜି ସୁଦ୍ଧା ମୋଟ ୧,୪୭,୨୪,୫୪୬ ନମୁନା ପରୀକ୍ଷଣ କରାଯାଇଛି। କେବଳ ୩,୪୩,୨୪ ନମୁନା ଗତକାଲି ଟେଷ୍ଟ କରାଯାଇଛି। ଟେଷ୍ଟିଂ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ କେସ୍ ମଧ୍ୟ ବୃଦ୍ଧି ପାଉଛି ବୋଲି ସରକାର କହିଛନ୍ତି।
ରାଜ୍ୟଗୁଡ଼ିକ କଥା ବିଚାରକୁ ନେଲେ, ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଜଟିଳ ରହିଛି। କ୍ରମାଗତ ୬ ଦିନ ହେଲାଣି ଏଠାରେ ୮ ହଜାରରୁ ଅଧିକ ପଜିଟିଭ କେସ ସାମ୍ନାକୁ ଆସିବାରେ ଲାଗିଛି। ଏଯାଏ ରାଜ୍ୟରେ ୩,୨୭,୦୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨,୨୭୬ ଜଣ ପ୍ରାଣ ହରାଇଛନ୍ତି।
ତାମିଲନାଡୁରେ ୧,୮୦,୬୪୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୬୨୬ ଜଣ ପ୍ରାଣ ହରାଇଛନ୍ତି। ପ୍ରଭାବିତ ତାଲିକାର ତୃତୀୟ ସ୍ଥାନରେ ଥିବା ଦିଲ୍ଲୀରେ ଆକ୍ଟିଭ କେସ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି। ରାଜ୍ୟରେ ଏବେ ମୋଟ ୧୫,୨୮୮ ଆକ୍ଟିଭ କେସ୍ ରହିଛି। ତେବେ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୦୯୬ ଛୁଇଁଛି। ଏମାନଙ୍କ ମଧ୍ୟରୁ ୩୬୯୦ ଜଣ ପ୍ରାଣ ହରାଇଛନ୍ତି ଓ ୧୦୬୧୧୮ ଜଣ ସୁସ୍ଥ ହୋଇଛନ୍ତି।
The post ୧୨ ଲକ୍ଷ ମୁହାଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା, ଦିନକରେ ୬୪୮ ମୃତ appeared first on Odisha Reporter.
from Odisha Reporter https://ift.tt/3jvL8qY
No comments:
Post a Comment