ନୂଆଦିଲ୍ଲୀ: ସବୁ ପ୍ରକାରର ପ୍ରୟାସ ସତ୍ତ୍ୱେ ଦିନକୁ ଦିନ ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା। ତା’ସହିତ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ତେବେ ଦେଖାଯାଉଛି ସାଧାରଣ କରୋନା ସଂକ୍ରମିତଙ୍କ ଅପେକ୍ଷା ଯେଉଁ କରୋନା ସଂକ୍ରମିତଙ୍କର ପୂର୍ବରୁ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ସେମାନେ ସୁସ୍ଥ ହେବା କଷ୍ଟକର ହୋଇପଡୁଛି ବା ଏ ଲଢ଼େଇରେ ହାରି ଯାଉଛନ୍ତି। ବିଶେଷ କରି ଯେଉଁମାନେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଶ୍ୱାସରୋଗ, ଫୁସ୍ଫୁସ୍ ଓ କିଡ୍ନୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ, ସେମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଯାଉଛି। ସେଥିପାଇଁ ଏହି ସବୁ ରୋଗରେ ପୀଡ଼ିତ ଲୋକେ କରୋନା ସଂକ୍ରମଣର ଶିକାର ହେଲେ କିପରି ସହଜରେ ସୁସ୍ଥ ହୋଇପାରିବେ, ସେ ନେଇ ଔଷଧ ଖୋଜା ଚାଲିଛି। ଆଉ ଏଭଳି ସ୍ଥିତିରେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ବହୁ ପୁରୁଣା ଔଷଧ ମେଟଫୋର୍ମିନ୍ ସେମାନଙ୍କୁ କରୋନା କବଳରୁ ରକ୍ଷା କରିପାରିବ ବୋଲି ଆଶା କରାଯାଉଛି।
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭରସିଟିର ପଲମୋନରୀ ଆଣ୍ଡ କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ଅଧ୍ୟକ୍ଷ ଡାକ୍ତର ବେଦ ପ୍ରକାଶ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେରିକାର ମିନିସୋଟା ୟୁନିଭରସିଟି ଓ ଚୀନ୍ର ଉହାନ ସିଟିରେ କରୋନାରେ ସଂକ୍ରମିତ ହୋଇଥିବା ଡାଇବେଟିସ୍ ରୋଗୀଙ୍କ ଉପରେ ମେଟଫୋର୍ମିନ୍ର ପରୀକ୍ଷଣ କରାଯାଇଥିଲା ଓ ଏହାର ଫଳାଫଳ ବେଶ୍ ଉତ୍ସାହଜନକ ରହିଛି। ଆମେ ବି ଏଠାରେ ଭର୍ତ୍ତି ହୋଇଥିବା ଏମିତି ରୋଗୀଙ୍କ ଠାରେ ଏହି ଔଷଧ ପ୍ରୟୋଗ କରି ପରିଣାମ ଆକଳନ କରିବୁ।
ଡାକ୍ତର ବେଦ ପ୍ରକାଶ ଆହୁରି କହିଛନ୍ତି ଯେ ତାଙ୍କ ବିଭାଗରେ ଏହି ଔଷଧର ପରୀକ୍ଷଣ କରାଯିବ ଓ ଅନ୍ୟ କିଛି ଡାକ୍ତରଖାନାରେ ମଧ୍ୟ କରୋନାରେ ସଂକ୍ରମିତ ହୋଇ ଭର୍ତ୍ତି ହୋଇଥିବା ଡାଇବେଟିସ୍ ରୋଗୀଙ୍କୁ ଏହି ଔଷଧ ଦିଆଯିବ।
ସେ କହିଛନ୍ତି, ମେଟଫୋର୍ମିନ୍କୁ ବିଶେଷ ଭାବେ ଇନ୍ଫ୍ଲୁଏନ୍ଜା (ଭୂତାଣୁ ଦ୍ୱାରା ସଂକ୍ରମିତ ଜର, କାଶ, କଫ, ସର୍ଦ୍ଦି) ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଔଷଧର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ଔଷଧ ଖାଇବା ପରେ ସୁଗାର ସ୍ତର ମଧ୍ୟ କମିଯାଏ। ତେଣୁ ଏହାର ଏକ ସକାରାତ୍ମକ ଭୂମିକା ଏବେ ସାମ୍ନାକୁ ଆସିଛି ଓ ଆମେ ଏହା ଉପରେ ଅଧିକ ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁଛୁ।
The post କରୋନା ସଂକ୍ରମିତ ଡାଇବେଟିସ୍ ରୋଗୀଙ୍କ ପାଇଁ ସଞ୍ଜୀବନୀ ହୋଇପାରେ ଏହି ଔଷଧ appeared first on Odisha Reporter.
from Odisha Reporter https://ift.tt/2BN2a2W
No comments:
Post a Comment