ଭାଗଲପୁର: ମରିଗଲାଣି ମାନବିକତା। ଔଷଧ ଆଣିବାକୁ ଯାଇ ଦୋକାନ ଆଗରେ ଟଳିପଡ଼ିଲେ ବ୍ୟକ୍ତି। ହେଲେ କେହି ବି ତାଙ୍କୁ ଛୁଇଁଲେନି। ସମସ୍ତେ ଦେଖିଲେ। କିନ୍ତୁ ସମସ୍ତଙ୍କୁ କରୋନା ଭୟ ଘାରିଥିଲା। ବ୍ୟକ୍ତି ଜଣଙ୍କ ସେଠାରେ ଦୀର୍ଘ ୬ ଘଣ୍ଟା କାଳ ପଡ଼ି ରହିବା ପରେ ଆମ୍ବୁଲାନ୍ସ ଆସି ତାଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ସେତେବେଳକୁ ବ୍ୟକ୍ତି ଜଣଙ୍କ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ।
ଏଭଳି ଏକ ହୃଦୟବିଦାରକ ଘଟଣା ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି। ଏହି ଘଟଣା ମାନବଜାତି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଆସ୍ଥମା ପମ୍ପ ପାଇଁ ଔଷଧ ଦୋକାନକୁ ଆସିଥିଲେ। ମେଡିସିନ କିଣିବା ପରେ ସେ ଦୋକାନ ଆଗରେ ହିଁ ଟଳି ପଡ଼ିଥିଲେ। ବ୍ୟକ୍ତି ଜଣଙ୍କ ତଳେ ପଡ଼ି କିଛି ସମୟ ଛଟପଟ ହେଉଥିଲେ ହେଁ କେହି ବି ସହଯୋଗ କରିବାକୁ ଆସିଲେନାହିଁ। କାଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବେ ସେଥିପାଇଁ ତାଙ୍କୁ କେହିବି ଛୁଇଁଲେ ନାହିଁ। ଶେଷରେ ସେହିଠାରେ ହିଁ ବ୍ୟକ୍ତି ଜଣଙ୍କ ନିସ୍ତେଜ ହୋଇ ଯାଇଥିଲେ। ବ୍ୟକ୍ତି ଜଣଙ୍କ ତଳେ ପଡ଼ିବା କ୍ଷଣି ପ୍ରାଣ ହରାଇଥିଲେ ନା କିଛି ସମୟ ପରେ ପ୍ରାଣ ହରାଇଲେ ସେକଥା ଜଣାପଡ଼ିନାହିଁ।
ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି, ସ୍ଥାନୀୟ ଲୋକେ ବ୍ୟକ୍ତି ଜଣଙ୍କ ଟଳିପଡ଼ିବା କ୍ଷଣି ପ୍ରଶାସନ ଓ ଆମ୍ବୁଲାନ୍ସକୁ ଖବର ଦେଖିଥିଲେ। ପ୍ରଥମେ ଗୋଟିଏ ଆମ୍ବୁଲାନ୍ସ ଆସିଥିଲା। ହେଲେ ଏହାର କର୍ମଚାରୀମାନେ ପିପିଇ କିଟ୍ ପିନ୍ଧି ନଥିବାରୁ ବ୍ୟକ୍ତି ଜଣଙ୍କୁ ଛୁଇଁଲେ ନାହିଁ। ଦୀର୍ଘ ୬ ଘଣ୍ଟା କାଳ ବ୍ୟକ୍ତି ଜଣଙ୍କ ଦୋକାନ ଆଗରେ ସେମିତି ନିସ୍ତେଜ ହୋଇପଡ଼ି ରହିଥିଲେ। ଦୋକାନୀ ଜଣଙ୍କ ଏସପି,ଡିଏମ ଭାଗଲପୁର ପୁଲିସ୍ ଷ୍ଟେସନ ଓ କୋଭିଡ୍ କେୟାର ହେଲପ ଲାଇନକୁ ଫୋନ କରିଥିଲେ। କିନ୍ତୁ ସେଠାରୁ କୌଣସି ଉତ୍ତର ମିଳି ନଥିଲା।
ଶେଷରେ ମ୍ୟୁନିସପାଲ କର୍ପୋରେସନ ଦୀର୍ଘ ୬ ଘଣ୍ଟା ପରେ ସାନିଟାଇଜର କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ପିପିଇ କିଟ୍ ପରିଧାନ କରି ପଠାଇଥିଲା। ସେମାନେ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏଠି ପ୍ରଶ୍ନ ଉଠୁଛି କ’ଣ କରୋନା ଯୋଗୁ ଲୋକଙ୍କ ମାନସିକତା ମରିଯାଇଛି କି? ପ୍ରଶାସନ କାହିଁକି କେବଳ ବଡ଼ ବଡ଼ ଭାଷଣ ମାରି ଚୁପ ରହୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
The post ମରିଗଲାଣି ମାନବିକତା! ଔଷଧ ଦୋକାନ ଆଗରେ ଟଳିପଡ଼ିଲେ ବ୍ୟକ୍ତି, ୬ ଘଣ୍ଟା ପରେ ଉଠିଲା ଶବ appeared first on Odisha Reporter.
from Odisha Reporter https://ift.tt/3eFXs4E
No comments:
Post a Comment