ମାଲକାନଗିରି (ଜିତେନ୍ଦ୍ର ବେଉରା): ଶ୍ରାବଣ ମାସ ସାରିଆସିଲାଣି ହେଲେ ବର୍ଷାର ଦେଖା ନାହିଁ। ଯେଉଁ ସମୟରେ ଚାଷୀ ନିଜ ବିଲରେ ଧାନ ରୁଆ କାମ ସାରିଥାଏ, ସେହି ସମୟରେ ଵିଲ ଫାଟି ଆଁ ହୋଇଛି। ତଳି ଘେରା ସବୁ ପାଣି ଅଭାବରୁ ଜଳି ଗଲାଣି। ଗୋଟିଏ ପଟେ କରୋନା ଯୋଗୁ ଚାଷ କାର୍ଯ୍ୟ ପଛାଇଥିବା ବେଳେ ଅନ୍ୟପଟେ ମରୁଡି ବି ପଦଧ୍ଵନି ଦେଲାଣି । ଏନେଇ ଚିନ୍ତାରେ ପଡ଼ି ଯାଇଛି ଚାଷୀ। ଏଭଳି ପରିସ୍ଥିତିରେ ବର୍ଷା ପାଇଁ ଶେଷରେ ଚାଷୀ ନିଜର ପାରମ୍ପରିକ ବିଶ୍ୱାସର ଆଶ୍ରୟ ନେଇଛି। ବର୍ଷା ହେବା ପାଇଁ ବେଙ୍ଗବେଙ୍ଗୁଲିର ବିବାହ କରିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ସେରପାଲି ଗାଁରେ।
ସେରପାଲି ଗାଁରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ତେବେ ଏହି ଗାଁରେ ପୂର୍ବପୁରୁଷରୁ ଚାଲିଆସୁଥିବା ପରମ୍ପରା ଅନୁଯାୟୀ ବେଙ୍ଗବେଙ୍ଗୁଲିର ବାହାଘର କରାଇଲେ ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇଥାନ୍ତି, ଭଲ ବର୍ଷା ହୋଇଥାଏ। ଚାଷ ମଧ୍ୟ ଭଲ ହୋଇଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରିଥାନ୍ତି।
ଏଥର ସେରପାଲି ଗାଁରେ କମ୍ ବର୍ଷା ହୋଇଥିବାରୁ ଗାଁ ଲୋକେ ମଧ୍ୟ ବେଙ୍ଗବେଙ୍ଗୁଲିର ବିବାହର ଆୟୋଜନ କରିଥିଲେ। ପାରମ୍ପରିକ ରୀତି ଅନୁଯାୟୀ ଦୁଇଟି ପରିବାରକୁ ବରପକ୍ଷ ଓ କନ୍ୟାପକ୍ଷ ରୂପେ ମନୋନୀତ କରାଯାଇଥିଲା। ପରେ ବର ପକ୍ଷରୁ ଗୋଟିଏ ଛୋଟ ପୁଅ ଓ କନ୍ୟା ପକ୍ଷରୁ ଛୋଟ ଝିଅକୁ ବର କନ୍ୟା ସଜାଇ ବେଦିକୁ ନିଆଯାଇଥାଏ। ଦୁହେଁ ବେଙ୍ଗବେଙ୍ଗୁଲିକୁ ଧରି ବେଦିରେ ବସିଥାନ୍ତି। ପୁରୋହିତ ମଧ୍ୟ ବୈଦିକ ରୀତିରେ ପୂଜାର୍ଚ୍ଚନା ଆରମ୍ଭ କରିଥାଏ। ।
ଏହି ବିବାହରେ ଗାଁର ସମସ୍ତ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବିବାହର ମଜା ଉଠାଇବା ସହ ନାଚଗୀତରେ ମଜି ରହିଥାନ୍ତି। ଏହି ବିବାହରେ ଗ୍ରାମବାସୀଙ୍କ ପକ୍ଷରୁ ଭୋଜିର ମଧ୍ୟ ଆୟୋଜନ କରାଯାଇଥାଏ।
The post ଅଜବ ବିଶ୍ୱାସ; ବର୍ଷା ପାଇଁ ବେଙ୍ଗବେଙ୍ଗୁଲି ବିବାହ appeared first on Odisha Reporter.
from Odisha Reporter https://ift.tt/3gjULXY
No comments:
Post a Comment