ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଏହି ଟେଷ୍ଟ ଆରମ୍ଭ ହୋଇଛି।
ଆଦିତ୍ୟଙ୍କ ମୃତ୍ୟୁ ମାମଲାର ଖିଅ ଧରିବା ପାଇଁ ଏହି ଟେଷ୍ଟ କରାଯିବ ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଆଦିତ୍ୟଙ୍କ ପତ୍ନୀଙ୍କଠାରୁ ଏହି ଟେଷ୍ଟ ଆରମ୍ଭ ହୋଇଛି। ବିଦ୍ୟାଶ୍ରୀଙ୍କୁ ପଚାରିବା ନିମନ୍ତେ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ହୋଇଥିବା ବେଳେ ଉତ୍ତର ଦେବା ବେଳେ ତାଙ୍କ ଗତିବିଧି, ଆଚରଣ, ପଲସ୍ ରେଟ୍ ଉପରେ ନଜର ରଖାଯିବ। ଏହା କୋର୍ଟ ଦ୍ୱାରା ଗ୍ରହଣୀୟ ନ ହେଲେ ମଧ୍ୟ ତଦନ୍ତରେ ସହାୟକ ହେବ ବୋଲି ଜଣାଯାଇଛି।ପରବର୍ତ୍ତୀ ସମୟରେ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁଙ୍କୁ ମଧ୍ୟ ଏହି ଟେଷ୍ଟ ନିମନ୍ତେ ଡକାଯାଇପାରେ ବୋଲି ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ କିଛି ଦିନ ପୂର୍ବେ ଫରେନସିକ୍ ବିଭାଗକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ। ଦୁଇ ମାସ ପୂର୍ବେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ମିଳିଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଆରପିଏଫ୍ ଘଟଣାର ତଦନ୍ତ କରିଥିଲା । ଏହାପରେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଏହି ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବାପାମା’ଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା ।
ଆଦିତ୍ୟଙ୍କ ମୃତ୍ୟୁ ଦିନ କେଉଁ କାରଣରୁ ଝଗଡ଼ା ଲାଗିଥିଲା, କାହିଁକି ବିଦ୍ୟାଶ୍ରୀ ଘର ଛାଡ଼ି ପଳାଇଲେ, ଘରୁ ଯିବା ବେଳେ ଆଦିତ୍ୟ କାହାକୁ ଫୋନ୍ କରିଥିଲେ କି, ଘଟଣାର କିଛି ଦିନ ଆଗରୁ ଆଦିତ୍ୟଙ୍କ ମାନସିକ ଅବସ୍ଥା କିପରି ଥିଲା ସେ ନେଇ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ। ତେବେ ଶେଷରେ ସମସ୍ତ ବ୍ୟକ୍ତିଙ୍କ ଲାଏ ଡିଟେକସନ ଟେଷ୍ଟ ଲାଗି ଫରେନସିକ୍ ବିଭାଗକୁ ଚିଠି କରିଥିଲା। ଏହାପରେ ଆଜି ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବା ଜଣାଯାଇଛି। ଏହି ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ କିଛି ସୁରାଗ ମିଳିପାରେ ବୋଲି ଆଶା କରାଯାଉଛି ।
The post ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ appeared first on Odisha Reporter.
from Odisha Reporter https://ift.tt/31x1rNq
No comments:
Post a Comment