ରାଉରକେଲା (ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ବ୍ୟବସାୟ। ଘରୋଇ ଆମ୍ୱୁଲାନ୍ସ ସେବାକୁ ଚଢ଼ିଛି ବ୍ୟବସାୟର ନିଶା। ରୋଗୀର ଜୀବନ ପଛେ ଯାଉଁ, ଟଙ୍କା କିନ୍ତୁ ହାତକୁ ଆସୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଘରୋଇ ଆମ୍ୱୁଲାନ୍ସ ମାଲିକଙ୍କ ସେବା ନାଁରେ ବ୍ୟବସାୟ ନୀତି ଯୋଗୁ ଚାଲିଯାଇଛି ହୃଷିକେଶ ସାହୁଙ୍କ ଜୀବନ।
ଗତ 23 ତାରିଖରେ ହୃଷିକେଶ ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ଦିନ ହସ୍ପିଟାଲରେ ରହିବା ପରେ ଅଧିକ ଗୁରୁତର ହେବାରୁ ରୋଗୀଙ୍କୁ ଭୁବନେଶ୍ୱର କେୟାର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ। ହେଲେ ରୋଗୀକୁ କ୍ରିଟିକାଲ କେୟାର ଆମ୍ୱୁଲାନ୍ସରେ ହିଁ ନେବାକୁ ଡାକ୍ତର ନିର୍ଦ୍ଦିଷ୍ଟ କରି ପରାମର୍ଶ ଦେଇଥିଲେ।
ଏପଟେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ବେଳେ ତାଙ୍କୁ ଶ୍ରୀଜଗନ୍ନାଥ ଆମ୍ୱୁଲାନ୍ସ ସେବାର କ୍ରିଟିକାଲ କେୟାର ଆମ୍ୱୁଲାନ୍ସରେ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ଏଥିପାଇଁ ଆମ୍ୱୁଲାନ୍ସ ସେବାର ମାଲିକ ବିକ୍ରମ ଚୌଧୁରୀ 19 ହଜାର ଟଙ୍କା ଚାର୍ଜ କରିଥିବା ବେଳେ 10 ହଜାର ଟଙ୍କା ଆଡଭାନ୍ସ ନେଇଥିଲେ। ହେଲେ ଆମ୍ୱୁଲାନ୍ସ ଏତେ ଅନଫିଟ୍ ଥିଲା ଯେ ଭୁବନେଶ୍ୱର ପହଞ୍ଚୁ ପହଞ୍ଚୁ ରୋଗୀଙ୍କ ଜୀବନ ଚାଲିଯାଇଥିଲା। ଏପରି କି, ଟେକ୍ନିସିଆନ୍ ବଦଳରେ ଡ୍ରାଇଭରଙ୍କୁ ହିଁ ଟେକ୍ନିସିଆନ କହି ଆମ୍ୱୁଲାନ୍ସରେ ପଠାଇଥିବା ରୋଗୀଙ୍କ ପରିବାର ଲୋକ ଅଭିଯୋହ କରିଛନ୍ତି।
ଗତ 25 ତାରିଖ ଅପରାହ୍ନ ପ୍ରାୟ 4ଟା ବେଳେ ରୋଗୀଙ୍କୁ ଶ୍ରୀଜଗନ୍ନାଥ କ୍ରିଟିକାଲ କେୟାର ଆମ୍ବୁଲାନ୍ସରେ ଧରି ତାଙ୍କ ପରିବାର ଲୋକ ରାଉରକେଲା ଅଭିମୁଖେ ବାହାରି ଥିଲେ। ହେଲେ ଲାଠିକଟା ନିକଟରେ ପହଞ୍ଚୁ ପହଞ୍ଚୁ ପ୍ରଥମେ ଗାଡ଼ିର ଏସି ଅଚଳ ହୋଇପଡ଼ିଥିଲା। ଆଗକୁ ବଣେଇ ପହଞ୍ଚୁ ପହଞ୍ଚୁ ଆମ୍ୱୁଲାନ୍ସର ଫ୍ୟାନ, ଲାଇଟ୍, ଏସି ସବୁକିଛି ବନ୍ଦ ହୋଇଗଲା। ତା’ପରେ ପାଲନହଡ଼ାରେ ପହଞ୍ଚୁ ପହଞ୍ଚୁ ଆମ୍ୱୁଲାନ୍ସ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଲା। ଗାଡ଼ି ବନ୍ଦ ହୋଇଯିବାରୁ ଅକ୍ସିଜେନ୍ ମେସିନ୍ ମଧ୍ୟ ବନ୍ଦ ହୋଇଗଲା। ରୋଗୀ ଅତ୍ୟନ୍ତ ଗୁରୁତର ଥିବାରୁ ଡାକ୍ତର ଅକ୍ସିଜେନ୍ କ୍ଷଣଟିଏ ପାଇଁ ମଧ୍ୟ ବନ୍ଦ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସାଙ୍ଗରେ ଥିବା ଆଟାଣ୍ଡାଣ୍ଟ ଜଣକ କହିଥିଲେ, ଯେଉଁ କାମ ମେସିନର ସେହି କାମ ମୁଁ ହାତରେ କରୁଛି। ଏହାପରେ ହତାଶ ହୋଇ ଭୁବନେଶ୍ୱରରୁ ଆଉ ଏକ ଆମ୍ୱୁଲାନ୍ସ ଡକାଇ ରୋଗୀଙ୍କୁ ଅଣାଯାଇଥିଲା। ହେଲେ ଭୁବନେଶ୍ୱରରେ ପହଞ୍ଚିଲାବେଳକୁ ହୃଷିକେଶଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ।
ଏନେଇ ରାଉରକେଲା ସେକ୍ଟର-19 ପୋଲିସ ଷ୍ଟେସନରେ ଗତ 30 ତାରିଖ ଦିନ ଏକ ମାମଲା ଦାଏର ହୋଇଛି। ଏହାସହ ନ୍ୟାସନାଲ ଆମ୍ୱୁଲାନ୍ସ କୋଡ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।
The post ଅଧା ବାଟରେ ଅଚଳ ହୋଇପଡ଼ିଲା ଆମ୍ୱୁଲାନ୍ସ, ମେସିନର କାମ ହାତ କଲା appeared first on Odisha Reporter.
from Odisha Reporter https://ift.tt/3i5REDm
No comments:
Post a Comment