ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କର ଗତକାଲି ପରଲୋକ ହୋଇଯାଇଛି। ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ସାଂସଦ ଥିବା ବେଳେ ହେଉ କି ରାଷ୍ଟ୍ରପତି ଥିବା ସମୟରେ ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କର ଓଡ଼ିଶା ସହିତ ନିବିଡ଼ ସଂପର୍କ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ରାଜନୈତିକ କାର୍ଯ୍ୟକ୍ରମରେ ସେ ଓଡ଼ିଶାକୁ ଅନେକ ଥର ଆସିଛନ୍ତି । ତେବେ ରାଷ୍ଟ୍ରପତି ଥିବା ବେଳେ ସେ ୪ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଓ ପ୍ରତ୍ୟେକ ଥର ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ରାଷ୍ଟ୍ରପତି ପଦ ଛାଡ଼ିବା ପରେ ମଧ୍ୟ ପ୍ରଣବ ମୁଖାର୍ଜୀ ଓଡ଼ିଶା ଆସିଛନ୍ତି। ୨୦୧୮ ଜାନୁଆରୀ ୨୭ ତାରିଖରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଓଡ଼ିଶା ଆସିଥିଲେ।
୧୯୯୯ ମହାବାତ୍ୟା ସମୟରେ ବିପନ୍ନଙ୍କ ଦୁଃଖ ବୁଝିବାକୁ ଓଡ଼ିଶା ଆସିଥିଲେ ପ୍ରଣବ ମୁଖାର୍ଜୀ। ସେତେବେଳେ ସେ ସାଂସଦ ଥିଲେ ଓ ସୋନିଆ ଗାନ୍ଧିଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ। ସ୍ୱର୍ଗତ ମୁଖାର୍ଜୀ ସେତେବେଳେ ମହାକାଳପଡ଼ା ବ୍ଲକ୍ ରାମନଗରର ତରୁଣକାନ୍ତି କାଞ୍ଜିଲାଲଙ୍କ ସହ ମୋଟର ସାଇକେଲ୍ରେ ବସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ଓ ଲୋକଙ୍କୁ ଭେଟିଥିଲେ। ତରୁଣକାନ୍ତି କାଞ୍ଜିଲାଲ ସେତେବେଳେ କଂଗ୍ରେସର ପଞ୍ଚାୟତସ୍ତରୀୟ ଯୁବ ସଭାପତି ଥିଲେ। ଏବେ ସେ ଦଳର ଜଣେ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି।
ଏହାର ୧୪ ବର୍ଷ ପରେ ୨୦୧୩ ଏପ୍ରିଲ ୨୫ରେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭାବେ ଓଡ଼ିଶାକୁ ପ୍ରଥମ ଗସ୍ତ ଗରିଥିଲେ। ଆଉ ସେତେବେଳେ ବି ସେ ୧୯୯୯ ମହାବାତ୍ୟା ସମୟର ସ୍ମୃତିକୁ ଭୁଲି ନଥିଲେ। ସେ ରାଜଭବନକୁ ତରୁଣକାନ୍ତି କାଞ୍ଜିଲାଲଙ୍କୁ ନିମନ୍ତ୍ରଣ କରିଥିଲେ।
ପ୍ରଣବ ମୁଖାର୍ଜୀଙ୍କ ଅବର୍ତ୍ତମାନରେ ତାଙ୍କ ସହିତ କାଟି ଥିବା କିଛି ସମୟର ସ୍ମୃତିକୁ ମନେ ପକାଇଛନ୍ତି ତରୁଣକାନ୍ତି କାଞ୍ଜିଲାଲ ଏବଂ ଆମ ନିକଟକୁ ନିମ୍ନରେ ଦିଆଯାଇଥିବା ଫଟୋଗୁଡ଼ିକୁ ପଠାଇଛନ୍ତି।
The post ବାଇକ୍ରେ ବସି ‘୯୯ ମହାବାତ୍ୟା’ ପ୍ରଭାବିତ ଅଞ୍ଚଳ ବୁଲିଥିଲେ ପ୍ରଣବ appeared first on Odisha Reporter.
from Odisha Reporter https://ift.tt/2YPS8qg
No comments:
Post a Comment