ଉଦଳା/ଭଞ୍ଜନଗର(ଓଡ଼ିଶା ରିପୋର୍ଟର):ଦିନେ ଯେଉଁ କାନ୍ଥ ଅଲୋଡା ହୋଇ ପଡିଥିଲା, ଆଜି ସେଠି ସୁନ୍ଦର କଳାକୃତିର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛୁ। ଯାଉଥିବା ଲୋକ ଘଡ଼ିଏ ଛିଡ଼ା ହୋଇ ନିରିଖେଇ ଚାହୁଁଛି। କାନ୍ଥରେ ସଚେତନତାର ବାର୍ତ୍ତା ଦେଉଛନ୍ତି କଳାକାର । ନାନା ରଙ୍ଗରେ ନାନା ଭଙ୍ଗୀରେ ଚିତ୍ରକରର ହାତ ସ୍ପର୍ଶରେ ଜୀବନ୍ତ ହୋଇଉଠିଛି କଳାକୃତି ।
ପଶୁପକ୍ଷୀ, ଦେବାଦେବୀ, ଲୋକ ସଂସ୍କୃତି ସହ କରୋନା ସଚେତନତାର ବାର୍ତ୍ତାରେ ଝଟକୁଛି ରାସ୍ତା କଡ କାନ୍ଥ । ଯିଏ ଦେଖିବ, ଘଡିଏ ଅଟକି ଯିବାକୁ ମନ ହେବ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଏବଂ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ।
ଦିନେ ପରିତ୍ୟକ୍ତ ହୋଇ ପଡ଼ିଥିବା ପାଚେରୀ ପାଇଛି ନୂଆ ଜୀବନ । କାନ୍ଥରେ ଏବେ ନାନା ରକମର କଳାକୃତି । କେଉଁଠି କରୋନା ସଚେତନତା ବାର୍ତ୍ତା, କେଉଁଠି ଶିଶୁ ଶ୍ରମିକ ବନ୍ଦ ବାର୍ତ୍ତା ତ ପୁଣି କେଉଁଠି ଭଳିକି ଭଳି ନୂଆ ପୁରୁଣା ସଂସ୍କୃତିର ଚିତ୍ରକଳା ଝଟକୁଛି କାନ୍ଥରେ । ହାତରେ ରଙ୍ଗ ଓ ତୂଳୀ ଧରି ନିଜର ପାରଦର୍ଶିତା ଦେଖାଇବାରେ ଲାଗିପଡିଛନ୍ତି ଚିତ୍ରକର । ଏପରି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ସହରରେ । ସହରର ବିଭିନ୍ନ ଛକରେ ଥିବା କାନ୍ଥଗୁଡିକୁ ଏଇଭଳି ସଜାଇଛନ୍ତି ଚିତ୍ରକର । ଉଦଳା ବିଜ୍ଞାପିତ ପରିଷଦର ୧୨ଟି ୱାର୍ଡରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାମ ପଥଚାରୀଙ୍କୁ ବେଶ୍ ଆକୃଷ୍ଟ କରୁଛି ।
ସାଧାରଣ ଲୋକେ ବଜାର ଆସିଲେ ଏ ସବୁ ସଚେତନତା ବାର୍ତ୍ତା ଦେଖି ଏହାକୁ ନିଜ ଦୈନଦିନ ଜୀବନରେ ମଧ୍ୟ ଲଗାଇ ପାରିବେ। ସେଥିନିମନ୍ତେ କାନ୍ଥରେ ଭ୍ରୁଣ ହତ୍ୟା, ଶିଶୁ ଶ୍ରମିକ ନିର୍ଯାତନା, କରୋନା ସଚେତନତା ବାର୍ତ୍ତା ରହିଛି ବୋଲି କହିଛନ୍ତି ଚିତ୍ରକର।
ସେହିପରି ଗଂଜାମ ଜିଲ୍ଲା ଭଞ୍ଜନଗର ସହରରେ ବି ଚିତ୍ରକରଙ୍କ ହାତର ଯାଦୁ ଦେଖିବାକୁ ମିଳିଛି ରାସ୍ତା କଡ କାନ୍ଥରେ । କରୋନା ଯୋଗୁ କାମଧନ୍ଦା ନପାଇ ହାତ ଯୋଡି ବସିଥିବା କଳାକାରଙ୍କୁ ରୋଜଗାରକ୍ଷମ କରିବା ସହ କାନ୍ଥରେ ଚିତ୍ର ଆଙ୍କିବାକୁ ଅନୁମତି ଦେଇଛି ପ୍ରଶାସନ । ଫଳରେ ସହରର ବିଭିନ୍ନ ଛକରେ ଦେଖିବାକୁ ମିଳୁଛି ପଶୁପକ୍ଷୀ, ଫୁଲ ଫଳ, ଦେବାଦେବୀ, ସ୍ଥାନୀୟ ଲୋକକଳା ସଂସ୍କୃତିର ନିଦର୍ଶନ । ଏହାସହିତ ଆଧୁନିକ ଚିତ୍ର ଏବଂ କରୋନା ସଚେତନତା ବାର୍ତ୍ତା ବି ବେଶ ଆକୃଷ୍ଟ କରୁଛି ଆତଯାତ କରୁଥିବା ପଥଚାରୀଙ୍କୁ ।
ସ୍ଥାନୀୟ ପ୍ରଶାସନ ଭଞ୍ଜନଗର ସୌନ୍ଦର୍ଯ୍ୟକରଣ ପାଇଁ କାମ ଦେଇଛନ୍ତି। ଆମେ ସାମାଜିକ ଦୂରତା ଓ କରୋନା କଟକଣା ମାନି କାମ କରୁଥିବା କହିଛନ୍ତି ଚିତ୍ରକର।
ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ଆଗକୁ ମଧ୍ୟ ଏପରି କାମ ଜାରି ରହିବ ବୋଲି ଭଞ୍ଜନଗର ଏଡିଏମ୍ ବିଶାଲ ସିଂହ କହିଛନ୍ତି।
The post କାନ୍ଥରେ କଳାକୃତି, ମନ ମୋହିବା ସହ ମିଳୁଛି ସଚେତନତାର ବାର୍ତ୍ତା appeared first on Odisha Reporter.
from Odisha Reporter https://ift.tt/3a4hiph
No comments:
Post a Comment