ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। କରୋନାର ହଟସ୍ପଟ ପାଲଟିଥିବା ଗଞ୍ଜାମରେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଗତକାଲି ଏହି ଜିଲ୍ଲାରୁ କେବଳ ନୂତନ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର୍ କରି ଦେଇଥିବା ବେଳେ ଅନ୍ୟ ୩ ଜିଲ୍ଲାରୁ ମଧ୍ୟ ପ୍ରତିଦିନ ଶହେ ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା।
ଏହି ୪ ଜିଲ୍ଲାରେ ଆଖି ପିଛୁଳାକେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏହା ଉପରେ ବ୍ରେକ୍ ଲଗାଇବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯିବ। ସପ୍ତାହେ ମଧ୍ୟରେ ଏହିସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ହ୍ରାସ କରିବା ପାଇଁ ଅଞ୍ଚଳଭିତ୍ତିକ ସ୍ୱତନ୍ତ୍ର ରଣକୌଶଳ ନୀତି ଆପଣାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରି ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋରାପୁଟରେ ଆସନ୍ତା ସପ୍ତାହରେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା ଲାଗି ବୈଠକରେ ନିଷ୍ପତ୍ତି ହୋଇଛି ।
ରାଜ୍ୟରେ କୋଭିଡ ମୁକାବିଲା ଲାଗି ୫୦ ଲକ୍ଷ ଲୋକଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନେ କୋଭିଡ୍ ବିରୋଧୀ ଯୁଦ୍ଧକୁ ମଜବୁତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଗୃହ ସଙ୍ଗରୋଧ ବ୍ୟବସ୍ଥାକୁ ଉତ୍ସାହିତ କରିବା ସହ ଗୃହ ସଙ୍ଗରୋଧ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ୱତନ୍ତ୍ର ଗୁରୁତ୍ୱ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୮୦ରେ ପହଞ୍ଚିଥିବା ବେଳେ ୫,୩୭୩ ସୁସ୍ଥ ହୋଇ ସାରିଲେଣି। ସେହିପରି ଜିଲ୍ଲାରେ ୩,୯୪୮ ଆକ୍ଟିଭ କେସ୍ ଥିବା ବେଳେ କରୋନା ଯୋଗୁ ଜିଲ୍ଲାରେ ୪୯ ଜଣ ଆଖି ବୁଜି ସାରିଲେଣି।
କଟକ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪୭ ଥିବା ବେଳେ ୩,୦୧୭ ସୁସ୍ଥ ହୋଇ ସାରିଲେଣି। ସେହିପରି ଜିଲ୍ଲାରେ ୧,୨୦୮ଆକ୍ଟିଭ କେସ୍ ଥିବା ବେଳେ କରୋନା ଯୋଗୁ ଜିଲ୍ଲାରେ ୧୮ ଜଣ ଆଖି ବୁଜି ସାରିଲେଣି।
ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨୨ ଥିବା ବେଳେ ୨,୨୬୮ ସୁସ୍ଥ ହୋଇ ସାରିଲେଣି। ସେହିପରି ଜିଲ୍ଲାରେ ୧୦୨୮ ଆକ୍ଟିଭ କେସ୍ ଥିବା ବେଳେ କରୋନା ଯୋଗୁ ଜିଲ୍ଲାରେ ୨୨ ଜଣ ଆଖି ବୁଜି ସାରିଲେଣି।
ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୪୬ ଥିବା ବେଳେ ୧,୪୨୯ ସୁସ୍ଥ ହୋଇ ସାରିଲେଣି। ସେହିପରି ଜିଲ୍ଲାରେ ୯୦୦ ଆକ୍ଟିଭ କେସ୍ ଥିବା ବେଳେ କରୋନା ଯୋଗୁ ଜିଲ୍ଲାରେ ୧୭ ଜଣ ଆଖି ବୁଜି ସାରିଲେଣି।
The post ‘୪ ଜିଲ୍ଲାରେ ସପ୍ତାହେ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆଣ’ appeared first on Odisha Reporter.
from Odisha Reporter https://ift.tt/3gbBDdU
No comments:
Post a Comment