ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଦେଖାଦେଇଛି। ଅନେକ ଗାଁ ପାଣି ଘେରରେ ଥିବା ବେଳେ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଏଥିସହ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଦେଖାଦେଇଛି। ଜିଲ୍ଲାର ଅନେକ ସ୍ଥାନରେ ଚାଷଜମିରେ ବନ୍ୟା ଜଳ ଜମି ରହିଛି। ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକର ୧୫ଟି ପଞ୍ଚାୟତର ହଜାର ହଜାର ହେକ୍ଟର ଧାନ ଚାଷ ଜମି ବୁଡି ରହିଛି। ଜମିରେ ୩ରୁ ୪ ଫୁଟ୍ର ପାଣି ଜମି ରହିଛି।
ସେହିପରି ବୈତରଣୀ ନଦୀରେ ଜଳସ୍ତର ବଢୁଥିବାରୁ ଯାଜପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ୫ଟି ବ୍ଲକର ୮୦ଟି ପଞ୍ଚାୟତ ବନ୍ୟା ଜଳ ଘେରରେ ରହିଛି। ତେଣୁ ପରିସ୍ଥିତି ମୁକାବିଲା ପାଇଁ ୨ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ୍ଡିଆରଏଫ୍ ଟିମ୍ ମୁତୟନ କରାଯାଇଛି। ତୁହାକୁ ତୁହା ବର୍ଷା ଜାରି ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଆଉ ୨ଟି ଓଡ୍ରାଫ ଟିମ୍ ମାଗିଛି ।
ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା ପଞ୍ଜାୟତକୁ ଯାଇଥିବା ଗୋଟିଏ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୃନ୍ଦାମାଳ-ଭାଗିପାଳି ରାସ୍ତା ଉପରେ ପାଣି ଯାଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କିଛି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଣ୍ଡୋକଟା ନିକଟ ସାପଲେଞ୍ଜି ନାଳ ଉପରେ ପାଣି ବୋହୁଥିବାରୁ ୪୯ ନଂ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ମଟର ଅଟକି ରହିଛି। ମହୁଲପାଲି ପୋଲ, ଜରାବଗା ପୋଲ ଏବଂ ଲଇକେରାର କୁଅଁରମାଲ-ମୟୂରଗଡ ରାସ୍ତାର ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଗତ ୨ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଛି। ଇବନଦୀ ଓ ଭେଡେନ ନଦୀର ବନ୍ୟା ଜଳ ଚାଷ ଜମିରେ ମାଡ଼ି ଯାଇଛି।
ଅନ୍ୟପକ୍ଷରେ ବର୍ଷା ଯୋଗୁ ବୃଦ୍ଧି ପାଉଛି ନରାଜ ଜଳସ୍ତର। ହୀରାକୁଦରେ ୧୨ଟି ଗେଟ୍ ଖୋଲିବା ଦ୍ୱାରା ନରାଜରେ ଜଳସ୍ତର ବଢିବାରେ ଲାଗିଛି। ସେକେଣ୍ଟ ପ୍ରତି ୩ ଲକ୍ଷ ୩୯ ହଜାର କ୍ୟୁସେକ୍ ଜଳ ନରାଜରେ ପ୍ରବେଶ କରୁଛି। ନରାଜରେ ୪୭ଟି ଗେଟ୍ ମଧ୍ୟରୁ ଏବେ ୩୧ ଟି ଗେଟ୍ ସମ୍ପୂର୍ଣ୍ଣ ଖୋଲାଯାଇଛି। ଅନ୍ୟ ଗେଟ୍ଗୁଡିକ ମଧ୍ୟ ଅଧା ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ନରାଜରେ ବିପଦ ସଙ୍କେତ ୨୬.୪୧ ମିଟର ଥିବା ବେଳେ ଏବେ ୨୫.୫୦ ମିଟରରେ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳିରେ ୬ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି।
କଟକ ଜିଲ୍ଲା ବଡମ୍ୱାର ଆରାଧ୍ୟ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ମହାନଦୀର ବନ୍ୟା ଜଳ ପ୍ରବେଶ କରିଛି। ଗର୍ଭଗୃହରେ ବନ୍ୟା ଜଳ ପ୍ରବେଶ କରିବାରୁ ରାତି ପ୍ରାୟ ଗୋଟାଏରେ ମାଆଙ୍କ ଚଳନ୍ତି ପ୍ରତିମାକୁ ପାହାଡ଼ ଉପରେ ଥିବା ମନ୍ଦିରକୁ ସେବାୟତ ଓ ମନ୍ଦିର ପ୍ରଶାସନ ଦ୍ୱାରା ସ୍ଥାନାନ୍ତର କରାଯାଇଛି। ତେବେ ମାଆଙ୍କ ନୀତିକାନ୍ତି ବିଳମ୍ୱ ହୋଇଥିବା ଜଣାପଡ଼ିଛି।
The post ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି, ଯୋଗାଯୋଗ ବିଚ୍ଛିନ୍ନ appeared first on Odisha Reporter.
from Odisha Reporter https://ift.tt/32tEIB7
No comments:
Post a Comment