ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ର ଜାଙ୍ଗଳା ନିକଟରେ ସିଆଁଜର ନାଳରେ ଏକ କାର୍ ଭାସି ଯାଇଛି। ତେବେ ଏଥିରେ ବସିଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ରାଉରକେଲା ଛେଣ୍ଡ କଲୋନୀର ହିମାଂଶୁ ଶେଖର ନାୟକ ଓ ଚିନ୍ମୟ ଦାସ ଗତକାଲି ବିଳମ୍ବିତ ରାତିରେ କାର୍ ନେଇ ଅନୁଗୋଳ ଯାଉଥିଲେ। ଲଗାଣ ବର୍ଷା ଯୋଗୁ ସିଆଁଜର ନାଳ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଥିବା ବେଳେ କାର୍ଟି ଭାସି ଯାଇଥିଲା।
ହିମାଂଶୁ ଓ ଚିନ୍ମୟ ଗଛକୁ ଧରି ରକ୍ଷା ପାଇଯାଇଥିଲେ। ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ତେବେ କାର୍ଟିର ପତ୍ତା ମିଳିପାରି ନାହିଁ।
ଚିନ୍ମୟଙ୍କ କହିବା ଅନୁଯାୟୀ, କାର୍ଟି ଭାସିବାକୁ ଆରମ୍ଭ କରିବା ମାତ୍ରେ ସେମାନେ ଏହାର ଡୋର୍ ଖୋଲି ଦେଇଥିଲେ। କିଛି ବାଟ କାର୍ଟି ଭାସିଗଲା ପରେ ସେମାନେ ଗଛର ଡାଳ ଧରି ସେଥିରୁ ବାହାରି ଆସିଥିଲେ। ସେ ଓ ତାଙ୍କ ବନ୍ଧୁ କିଛି ଦୂର ବ୍ୟବଧାନରେ ଅଲଗା ଅଲଗା ଗଛରେ ଅଟକି ରହିଥିଲେ। ତାଙ୍କ ମୋବାଇଲ୍ଟି ପାଣିରେ ଭିଜି ନଷ୍ଟ ହୋଇଯାଇଥିବା ବେଳେ ହିମାଂଶୁଙ୍କ ମୋବାଇଲ୍ଟି ସୁରକ୍ଷିତ ଥିଲା। ସେ ଗଛକୁ ଚଢ଼ିଯିବା ପରେ ମୋବାଇଲ୍ରୁ ତାଙ୍କ ଘର ଲୋକଙ୍କ ଜରିଆରେ ପୁଲିସ୍କୁ ଖବର ଦେଇଥିଲେ। ଏହା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବଣାଇ ଅଗ୍ନିଶମ ଅଧିକାରୀ ବିଜୟ ସାମଲ କହିଛନ୍ତି, ବିଳମ୍ବିତ ରାତିରେ କାର୍ ଭାସିଯାଇଥିବା ନେଇ ଆମକୁ ଖବର ମିଳିଥିଲା। ତା’ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ କାର୍ଟି ମିଳିଲା ନାହିଁ।
The post ଭାସିଗଲା କାର୍, ଗଛ ବଞ୍ଚାଇ ଦେଲା ଜୀବନ appeared first on Odisha Reporter.
from Odisha Reporter https://ift.tt/3jabtKc
No comments:
Post a Comment