ଭଦ୍ରକ(ପାର୍ଥ ସାରଥୀ ନାୟକ): କରୋନା ପରି ମହାମାରୀକୁ ମାତ୍ ଦେବା ପାଇଁ ଆମେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରୁଛୁ। ଏଥିସହ ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ୱ ଦେଉଛୁ। କିନ୍ତୁ ଆପଣ ଥରେ ଭାବିଛନ୍ତି, ବଜାରକୁ କିଣାକିଣି କରିବାକୁ ଗଲେ ଆମେ ଦୋକାନୀଠୁ ଆଣୁଥିବା ଟଙ୍କା ଶତ ପ୍ରତିଶତ ସଂକ୍ରମଣମୁକ୍ତ ତ? ଆମେ ସେହି ଟଙ୍କାକୁ ନେଇ ଘରକୁ ଯାଇଥାଉ, ଆବଶ୍ୟକ ପଡ଼ିଲେ ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଦେଇଥାଉ।
ଏ ବିଷୟରେ ପ୍ରାୟତଃ ଲୋକେ ଭାବୁ ନ ଥିବା ବେଳେ କମଳ କିଶୋର ମାଝି ନାମକ ଛାତ୍ର କିନ୍ତୁ ଏହାକୁ ଗୁରୁତ୍ୱର ସହ ଚିନ୍ତା କରିଛନ୍ତି। ଏପରି ସମସ୍ୟା ଉପୁଜିଲେ, ଏହାର ସମାଧାନର ଉପାୟ ମଧ୍ୟ ବାହାର କରିଛନ୍ତି। କମଳ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି। ଘର ଭଦ୍ରକ ସହରରେ। ଟଙ୍କାକୁ ସାନିଟାଇଜ କରିବାକୁ କମଳ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରି ଚର୍ଚ୍ଚାରେ ରହିଛନ୍ତି।
ଏହା କମଳଙ୍କ ପ୍ରଥମ ଉଦ୍ଭାବନ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ବହୁ ଉଦ୍ଭାବନ କରି ପ୍ରଶଂସିତ ହୋଇ ସାରିଛନ୍ତି। କମଳ ପ୍ରଥମେ ହାଇବ୍ରିଡ କାର ତିଆରି କରିଥିଲେ। ଏହାପରେ ମିନି ଭେକ୍ୟୁମ କ୍ଲିନର ପରେ ଫୁଟ ଅପରେଟ ସାନିଟାଇଜର ତିଆରି କରି ଚର୍ଚ୍ଚା ସାଉଣ୍ଟିଥିଲେ।
ଟଙ୍କା ମାଧ୍ୟମରେ କରୋନା ସଂକ୍ରମଣକୁ ରୋକିବାକୁ କମଳ ଏକ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି। ଏହି ଡିଭାଇସ୍ ତିଆରି କରିବା ପାଇଁ ସେ ମୋବାଇଲ ଫୋନ ବ୍ୟାଟେରୀ, ୟୁଭି ଟାଇପସି ମଡ୍ୟୁଲ ଏଲଇଡି ( ୱାଟର ପ୍ୟୁରିଫାୟାର), IN4007 ଡାଇଅଡ କିଛି ଏଲଇଡି ଲାଇଟ, ରେଜିସଷ୍ଟାଣ୍ଟ, ଇଅରଫୋନ ତାର, ମାଇକ୍ରୋ ପୁସ ସୁଇଜ, ବ୍ୟାଟେରି ଚାର୍ଜିଂ ଜ୍ୟାକ, ବ୍ୟାଟେରୀ ବ୍ୟବହାର କରିଛନ୍ତି। ଆଉ ଏହିସବୁ ଜିନିଷ କିଣିବା ପାଇଁ ସେ ପାଖାପାଖି ୭୦୦ଟଙ୍କା ଖର୍ଚ୍ଚ କରିଛନ୍ତି।
ଏହି ଡିଭାଇସ୍କୁ ପର୍ସରେ ରଖିହେବ। ଏହାର ମାଇକ୍ରୋ ପୁସ ସୁଇଜକୁ ଚିପି ଧରିଲେ ଏହାର ଲାଇଟ ପଡିବ । ଏହାଦ୍ୱାର ଟଙ୍କା ଆପେ ଆପେ ସାନିଟାଇଜିଂ ହୋଇଯିବ। ଏଥିସହ ଟଙ୍କା ରଖିବା ସମୟରେ ଓ ବାହାର କରିବା ସମୟରେ ଅଳ୍ପ କିଛି ସମୟ ଏହି ମାଇକ୍ରୋ ପୁସ ସୁଇଚ ଚିପିବା ଦ୍ୱାରା ଏହା ଟଙ୍କାକୁ ସାନିଟାଇଜିଂ କରିଥାଏ। ଏହା ଏତେ ଛୋଟ ଯେ ଯେ କେହି ଏହାକୁ ପକେଟରେ କିମ୍ବା ପର୍ସରେ ସହଜରେ ରଖି ପାରିବ।
ଏନେଇ କମଳ କିଶୋର ମାଝି କହିଛନ୍ତି,“ଏହି ଡିଭାଇସ୍ର ଫାଇଦା ବହୁତ ଅଛି। ଏହା ପୋଟେବୁଲ୍ ଅଛି। ଯେକୌଣସି ଜାଗାରେ ଏହାକୁ ବ୍ୟବହାର କରି ହେବ। ସହଜରେ କେହି ଏହାକୁ ନେଇପାରିବ। ଏହା ମୁଖ୍ୟତଃ ଟଙ୍କା ବ୍ୟବହାର ହୋଇ ପାରିବ। ଏହାକୁ ଆମେ ବ୍ୟାଙ୍କରେ ମଧ୍ୟ ବ୍ୟବହାର କରିପାରିବା। ”
କମଳଙ୍କର ଏଭଳି ପ୍ରଚେଷ୍ଟାକୁ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ମଧ୍ୟ ଖୁସି ଅନୁଭବ କରିଛନ୍ତି।
କମଳଙ୍କ ବାପା କୃଷ୍ଣଚନ୍ଦ୍ର ମାଝି କହିଛନ୍ତି,“କମଳ ଗୋଟିଏ ପରେ ଗୋଟିଏ ନୂଆ ଜିନିଷ ତିଆରି କରିପାରୁଛି। ତେଣୁ ମୁଁ ଗର୍ବିତ ଅନୁଭବ କରୁଛି। ସେ ତିଆରି କରିଥିବା ମନି ସାନିଟାଇଜର କରୋନାକୁ ବ୍ରେକ୍ କରିବା ପାଇଁ ଏକ ନୂଆ ମାଧ୍ୟମ କହିଲେ ଅତୁକ୍ତି ହେବ ନାହିଁ।”
ଭଦ୍ରକ ବାସିନ୍ଦା ବଂଶୀଧର ପଲାଇ କହିଛନ୍ତି,“କମଳ ଜଣେ ଭଲ ଛାତ୍ର। ସେ କରିଥିବା ମନି ସାନିଟାଇଜ୍ ବହୁତ ଭଲ ପଦକ୍ଷେପ। ଯେଉଁଥିରେ କରୋନା ଭାଇରସ୍କୁ ରୋକିବାକୁ ବହୁତ ସାହାଯ୍ୟ କରିବ।”
The post କମଳଙ୍କ ‘ମନି ପର୍ସ ସାନିଟାଇଜର’ ଡିଭାଇସ୍ appeared first on Odisha Reporter.
from Odisha Reporter https://ift.tt/3kjEbcX
No comments:
Post a Comment