ଡରାଇ ପାରିନି ବୟସ, ୭୨ ବର୍ଷ ହେଲା ପଢ଼ାଉଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 1, 2020

ଡରାଇ ପାରିନି ବୟସ, ୭୨ ବର୍ଷ ହେଲା ପଢ଼ାଉଛନ୍ତି

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ଅନ୍ତର୍ଗତ କନ୍ତିରା ଗାଁରେ ରହନ୍ତି ନନ୍ଦ କିଶୋର ପୃଷ୍ଟି। ଆଖପାଖ ଗାଁରେ ସେ ଚାଟଶାଳୀ ଶିକ୍ଷକ ଭାବେ ଜଣାଶୁଣା। ବୟସ ୧୦୨ ଛୁଇଁଲାଣି। ହେଲେ ଆଜି ବି ପୂର୍ବ ଭଳି ଗାଁ ଦାଣ୍ଡରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନନ୍ଦ ସାର୍‌ଙ୍କ ଚାଟଶାଳୀରେ ପିଲାଙ୍କ ଭିଡ଼ ଜମେ। ସେ ତିନି ପିଢ଼ି ଧରି ଶିକ୍ଷାଦାନ କରି ଆସୁଛନ୍ତି। ଦିନେ ଯାହାଙ୍କ ହାତ ଧରି ଜେଜେ ଅକ୍ଷର ଚିହ୍ନିଥିଲେ ଆଜି ତାଙ୍କ ନିକଟରେ ତାଙ୍କ ନାତି ମଧ୍ୟ ପଢ଼ୁଛି।

ନନ୍ଦ ସାର୍‌ ସପ୍ତମ ଶ୍ରେଣୀ ଯାଏ ପଢ଼ିଛନ୍ତି। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ଆଉ ପଢ଼ି ପାରି ନଥିଲେ। ହେଲେ ଗାଁର ପିଲାମାନେ କିପରି ପଢ଼ିବେ, ସେହି ଚିନ୍ତାରେ ୧୯୫୬ ମସିହାରେ ନିଜେ ଏକ ଚାଟଶାଳୀ ଆରମ୍ଭ କରିଥିଲେ। ସେହିଦିନ ଠାରୁ ଗାଁର କୁନି କୁନି ପିଲାମାନେ ସ୍କୁଲ୍‌ରେ ନାମ ଲେଖାଇବା ପୂର୍ବରୁ ଏହିଠାରେ ଆସି ଓଡ଼ିଆ ଅକ୍ଷର ଚିହ୍ନୁଛନ୍ତି। ପିଲାଙ୍କ ହାତଧରି ନନ୍ଦ ସାର୍ ମଧୁ ବର୍ଣ୍ଣବୋଧରେ ଲିଖିତ ପ୍ରତିଟି ଅକ୍ଷର, ଫଳା ଓ ଯୁକ୍ତାକ୍ଷର ଚିହ୍ନାଉଛନ୍ତି। ସକାଳ ୬ଟାରୁ ୯ଟା ଏବଂ ଅପରାହ୍ଣ ୫ଟାରୁ ସାଢ଼େ ୬ଟା ଯାଏ ନନ୍ଦ ସାର୍‌ଙ୍କ ଚାଟଶାଳୀ ଖୋଲେ। ନନ୍ଦ ସାର୍‌ଙ୍କ ନିକଟରେ ପାଠ ପଢ଼ି ଗାଁର ବହୁ ବ୍ୟକ୍ତି  ଇଞ୍ଜିନିୟର, ଶିକ୍ଷକ ଓ ଡାକ୍ତର ହୋଇଛନ୍ତି। ନିକଟରେ ନନ୍ଦ ସାର୍‌ଙ୍କ ଚାଟଶାଳୀକୁ  ୭୨ ବର୍ଷ ପୂରିଛି। ହେଲେ ଆଜି ଯାଏ ସେ ପିଲାଙ୍କଠାରୁ ଟଙ୍କାଟିଏ ବି ଗୁରୁ ଦକ୍ଷିଣା ନେଇ ନାହାନ୍ତି।

ଶତାୟୁ ନନ୍ଦ କିଶୋର ପୁଷ୍ଟି କହିଛନ୍ତି, “୩୦ ବର୍ଷ ବୟସରୁ ଆଜି ପର୍ଯ୍ୟନ୍ତ ମୁଁ ପିଲାଙ୍କୁ ପାଠ ପଢ଼ାଇ ଆସୁଛି। ଏବେ ମୋତେ ୧୦୨ ବର୍ଷ ହେଲାଣି। ଛୁଆଙ୍କୁ ‘ଅ ଠୁ କ୍ଷ’ ପର୍ଯ୍ୟନ୍ତ ଶିଖାଏ। ଏହାପରେ ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ‘ଆ କାର’, ଯୁକ୍ତାକ୍ଷର, ପଣକିଆ, ମିଶାଣ, ଫେଡ଼ାଣ, ଗୁଣନ ଓ ହରଣ ଶିଖାଏ। ଆଜିକାଲିର ପିଲା ପ୍ରଥମେ ଏବିସିଡି ଶିଖୁଛନ୍ତି। ମାତୃଭାଷା ଟିକେ ଶିଖୁ ନାହାନ୍ତି। ସେଇଥି ପାଇଁ ମୁଁ ପିଲାଙ୍କୁ ମାତୃଭାଷା ଶିଖାଇ ଦିଏ। ମୁଁ ଗାଁର ଏକ ଗଛ ମୂଳେ ପିଲାଙ୍କୁ ପଢ଼ାଏ। ବର୍ଷା ହେଲେ ମୋର ଟୁଙ୍ଗୀ ଘରକୁ ନେଇ ଯାଏ।  ଛୁଆମାନେ କିପରି ଭଲ ମଣିଷ ହେବେ, ସେଥିପାଇଁ ତାଙ୍କ ପଛରେ ମୁଁ ଲାଗିଛି। ଛୁଆମାନେ ଆସିଲେ ମୋତେ ଭାରି ଖୁସି ଲାଗେ। ଆଉ ଯେଉଁ ଛୁଆ ଆସନ୍ତି ନାହିଁ ସେମାନଙ୍କୁ ଡକାଏ।”

ନନ୍ଦ ସାର୍‌ଙ୍କ ପ୍ରଥମ ବ୍ୟାଚ୍‌ର ଛାତ୍ରଙ୍କ ମଧ୍ୟରୁ ବହୁ ଛାତ୍ର ଏବେ ଆରପାରିକୁ ଚାଲିଗଲେଣି। ମାତ୍ର ନନ୍ଦ ସାର୍‌ ଏବେ ବି ୧୦୨ ବର୍ଷରେ  ତାଙ୍କର ସାଧନା ଜାରି ରଖିଛନ୍ତି।  କେବଳ କୁନି କୁନି ପିଲା ନୁହନ୍ତି, ଗାଁର ଅପାଠୁଆ ବୟସ୍କ ବ୍ୟକ୍ତିଙ୍କୁ ବୁଝାସୁଝା କରି ଦସ୍ତଖତ କରିବା ମଧ୍ୟ ସେ ଶିଖାଇଛନ୍ତି। ଏହାହସହ ପ୍ରତିଦିନ ସନ୍ଧ୍ୟାରେ ତାଙ୍କ ମୁହଁରୁ ଭାଗବତ ଶୁଣିବା ପାଇଁ ଲୋକଙ୍କ ଭିଡ଼ ଜମେ।

ଶତାୟୁ ନନ୍ଦ ସାର୍‌ଙ୍କ ବିଷୟରେ ଜାଣିବା ପରେ କିଛି ଦିନ ତଳେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସୀମର ରଞ୍ଜନ ଦାଶ ଆସି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ତାଙ୍କ ଝାଟି ମାଟିର ଚାଟଶାଳୀକୁ ଭାଙ୍ଗି ଏକ ନୂତନ ପକ୍କା ଘରଟିଏ କରିବା ପାଇଁ ଶୁଭ ଦେଇଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, “ନନ୍ଦ ସାର୍‌ଙ୍କ ସହ ଭେଟି ମୁଁ ଅତନ୍ତ ଖୁସି। ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନିଜସ୍ୱ ଚେଷ୍ଟାରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଭୁ ଜଗନ୍ନାଥ ନନ୍ଦ ସାର୍‌ଙ୍କୁ ଦୀର୍ଘାୟୁ କରନ୍ତୁ। ସେ ସମାଜର ମଡେଲ ହୋଇ ବହାରିଛନ୍ତି। ନନ୍ଦ ସାର୍‌ଙ୍କ ଚାଟଶାଳୀଙ୍କ ପାଇଁ ଘରଟିଏ ଶୁଭ ଦିଆଯାଇଛି। ଆଉ ତାଙ୍କ ନାଁରେ ଏହି ଚାଟଶାଳୀ ନାମିତ କରିବା ପାଇଁ ସ୍ଥିର କରାଯାଇଛି।”

ସୁକିନ୍ଦା ବିଧାୟକ ପ୍ରତୀ ରଞ୍ଜନ ଘଡେଇ କହିଛନ୍ତି, “ଦୀର୍ଘ ବର୍ଷ ଧରି ସେ ଏହି ଚାଟଶାଳୀକୁ ଚଲାଇ ଆସୁଛନ୍ତି। ଏହି ଅନୁଷ୍ଠାନ କିଭଳି ଆହୁରି ଉନ୍ନତି ହୋଇ ପାରିବ, ସେ ନେଇ ଆମେ ଆଲୋଚନା କରିଛୁ। ଏହି ମହାନ୍‌ ବ୍ୟକ୍ତି ପାଇଁ ଆମେ ଗର୍ବିତ।”

The post ଡରାଇ ପାରିନି ବୟସ, ୭୨ ବର୍ଷ ହେଲା ପଢ଼ାଉଛନ୍ତି appeared first on Odisha Reporter.



from Odisha Reporter https://ift.tt/3fiiIOa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages