ଡାକ୍ତରଖାନାକୁ ଯିବା ପୂର୍ବରୁ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କ’ଣ କହିଲେ ସଞ୍ଜୟ ଦତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 18, 2020

ଡାକ୍ତରଖାନାକୁ ଯିବା ପୂର୍ବରୁ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କ’ଣ କହିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇଛନ୍ତି ଏବଂ ଚିକିତ୍ସା ପାଇଁ ଗତକାଲି ଠାରୁ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ହସ୍‌ପିଟାଲ୍‌ ଯିବା ପୂର୍ବରୁ ସେ ତାଙ୍କ ଘର ବାହାରେ ଉପସ୍ଥିତ ଶୁଭେଚ୍ଛୁ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଦେବା ସହ ହାତଯୋଡ଼ି ନମସ୍କାର କରିଥିଲେ। ଏହା ସହିତ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ କହିଥିଲେ।

ସଞ୍ଜୟ ଦତ୍ତ ଡାକ୍ତରଖାନା ଅଭିମୁଖେ ଯିବା ବେଳେ ତାଙ୍କ ସହିତ ପତ୍ନୀ ମାନ୍ୟତା ଓ ଦୁଇ ଭଉଣୀ ଉପସ୍ଥିତ ଥିଲେ। ମାନ୍ୟତା ଖୁବ୍ ଚିନ୍ତିତ ଜଣାପଡ଼ୁଥିଲେ। ସେ ଏବେ ସଞ୍ଜୟଙ୍କ ସହିତ ହସ୍‌ପିଟାଲ୍‌ରେ ରହିପାରିବେ ନାହିଁ। କାରଣ ସେ ନିକଟରେ ଦୁବାଇରୁ ଫେରିଛନ୍ତି ଓ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। କିନ୍ତୁ ସଞ୍ଜୟ ଦତ୍ତଙ୍କ ଦୁଇ ଭଉଣୀ ହସ୍‌ପିଟାଲ୍‌ରେ ତାଙ୍କ ସହିତ ରହିବେ ଓ ସବୁ କଥା ବୁଝିବେ ବୋଲି ଜଣାପଡ଼ିଛି।

ଇତିମଧ୍ୟରେ ସଞ୍ଜୟ ଦତ୍ତଙ୍କ ସମସ୍ତ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି ମାନ୍ୟତା। ସେ କହିଛନ୍ତି, ମୁମ୍ବାଇରେ ସଞ୍ଜୁଙ୍କ ପ୍ରାଥମିକ ଚିକିତ୍ସା ସଂପୂର୍ଣ୍ଣ କରାଯିବ। ତା’ପରେ କୋଭିଡ୍ ସ୍ଥିତିକୁ ଦେଖି ତାଙ୍କୁ କେଉଁଠାକୁ ନିଆଯିବ, ସେ ନେଇ ବିଚାର କରାଯିବ।

ଏହା ସହିତ ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କେହି ଉଡ଼ା ଖବର ପ୍ରଚାର ନ କରିବାକୁ ମାନ୍ୟତା ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଡାକ୍ତରମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ସଞ୍ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ନିୟମିତ ବ୍ୟବଧାନରେ ସୂଚନା ଦିଆଯିବ।

ମାନ୍ୟତା କହିଛନ୍ତି, ସଞ୍ଜୁ ତାଙ୍କ ଜୀବନରେ ଅନେକ ଘାତପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କୁ ସମସ୍ତଙ୍କ ସମର୍ଥନ ମିଳିଛି ଓ ସେ ପୁଣି ସ୍ୱାଭାବିକ ଜୀବନଯାପନ କରିଛନ୍ତି। ଏବେ ଆମ ପରିବାର କଷ୍ଟ ସମୟ ଦେଇ ଗତି କରୁଛି। କିନ୍ତୁ ଆମେ ସମସ୍ତେ ଲଢ଼େଇ କରିବୁ। ଭଗବାନ ଓ ଆପଣମାନଙ୍କ ପ୍ରାର୍ଥନା ଆମ ସହିତ ଅଛି। ତେଣୁ ଆମେ ଏ କଷ୍ଟ ସମୟ ପାର କରିଯିବୁ ଓ ବିଜୟୀ ହେବୁ।

ସୂଚନାଯୋଗ୍ୟ, ଅଗଷ୍ଟ ୮ ତାରିଖରେ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହେବାରୁ ସଞ୍ଜୟ ଦତ୍ତଙ୍କୁ ଲୀଲାବତି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରି ଚିକିତ୍ସା ପାଇଁ କିଛି ଦିନ ବ୍ରେକ୍ ନେବେ ବୋଲି କହିଥିଲେ। ପରେ ପରେ ତାଙ୍କୁ ଫୁସ୍‌ଫୁସ୍‌ କ୍ୟାନ୍‌ସର୍ ହୋଇଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଖୁବ୍‌ଶୀଘ୍ର ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ଫିଲ୍ମ ସଡକ-୨’ ଡିଜ୍‌ନୀ-ହଟ୍‌ଷ୍ଟାରରେ ରିଲିଜ୍ ହେବ। ଏହା ହେଉଛି ୧୯୯୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ସଡକ’ର ସିକ୍ୱେଲ୍‌। ‘ସଡକ-୨’ରେ ଆଲିଆ ଭଟ୍ଟ ଓ ଆଦିତ୍ୟ ରୟ କପୁର ପ୍ରମୁଖ ଅଛନ୍ତି। ସେହିପରି ସଞ୍ଜୟଙ୍କ ଅନ୍ୟ ପ୍ରୋଜେକ୍ଟ ଗୁଡ଼ିକ ମଧ୍ୟରେ ‘କେଜିଏଫ୍: -ଚାପ୍ଟର-୨’, ‘ତୋରବାଜ୍’, ‘ଭୂଜ୍‌- ଦ ପ୍ରାଇଡ୍‌ ଅଫ୍ ଇଣ୍ଡିଆ’, ‘ଶମଶେରା’ ଓ ‘ପୃଥ୍ୱୀରାଜ’ ଆଦି ରହିଛି।

ଆହୁରି ପଢ଼ନ୍ତୁ: ଆସିଲା ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟର ଅଡିଟ୍ ରିପୋର୍ଟ

The post ଡାକ୍ତରଖାନାକୁ ଯିବା ପୂର୍ବରୁ ଫ୍ୟାନ୍‌ଙ୍କ ଉଦ୍ଦେଶ୍ୟରେ କ’ଣ କହିଲେ ସଞ୍ଜୟ ଦତ୍ତ appeared first on Odisha Reporter.



from Odisha Reporter https://ift.tt/319Q5Pl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages