ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ଗିରଫ କଲା ପୁଲିସ୍। ଗିରଫଦ୍ୱୟ ହେଲେ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତି। ଉଭୟଙ୍କ ମେଡିକାଲ ଟେଷ୍ଟ ସରିଥିବା ବେଳେ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି।
ଗିରଫ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କ ମଧ୍ୟରୁ ଲକ୍ଷ୍ମୀକାନ୍ତ ହେଉଛନ୍ତି ଅରଟେଲ କର୍ମଚାରୀ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଫେରିବା ପରେ ସାଙ୍ଗ ବିଶ୍ୱଜିତଙ୍କ ସହ କୋଭିଡ ହସ୍ପିଟାଲର ଅନୁଭୂତି ବଖାଣିଥିଲେ। ହେଲେ ବିଶ୍ୱଜିତ ଲକ୍ଷ୍ମୀକାନ୍ତଙ୍କ ଅଗୋଚରରେ ଉଭୟଙ୍କ କଥାବାର୍ତ୍ତାକୁ ରେକର୍ଡ କରି ଏହାକୁ ଭାଇରାଲ କରିଥିବା ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛନ୍ତି। ମୋବାଇଲ୍ରେ ୨୦ରୁ ୨୫ ଜଣ ବନ୍ଧୁଙ୍କ ନିକଟକୁ ଉକ୍ତ ଅଡିଓ ପଠାଇଥିବା ସ୍ୱୀକାର କରିଛନ୍ତି ବିଶ୍ୱଜିତ।
ସୂଚନାଯୋଗ୍ୟ, ଓଟିଭି ସୋଶାଲ୍ ମିଡିଆ ପ୍ଲାଟ୍ଫର୍ମରେ ଦୁଇ ବନ୍ଧୁ କଥା ହେଉଥିବାର ଏକ ଅଡିଓ ପ୍ରକାଶ ପାଇଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା କୁହାଯାଉଥିଲା। କୋଭିଡ୍ ହସ୍ପିଟାଲ୍ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଗତକାଲି ସେମାନଙ୍କୁ ପୁଲିସ୍ ଉଠାଇ ନେଇଥିବା ବେଳେ ବ୍ୟାପକ ତଦନ୍ତ ପାଇଁ ସେମାନଙ୍କୁ ନିଆଯାଇଥିବା କହିଥିଲେ ପୁଲିସ କମିଶନର। ଆଜି ସେମାନଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରାଯାଇଛି।
ଓଟିଭି ସୋଶାଲ୍ ମିଡିଆ ପ୍ଲାଟ୍ଫର୍ମରେ ପ୍ରସାରିତ ଉକ୍ତ ଭିଡିଓକୁ ମିଛ ବୋଲି ଦର୍ଶାଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲା। ପୁଲିସ୍ ମାମଲା ରୁଜୁ କରି ରାତି ଅଧିଆ ଓଟିଭି ଅଫିସ୍ରେ ପହଞ୍ଚି ଶନିବାର ଥାନାରେ ହାଜର ପାଇଁ ନୋଟିସ୍ କରିଥିଲା।
The post ଭାଇରାଲ ଅଡିଓ ମାମଲାରେ ୨ ଗିରଫ; ୨୫ ସାଙ୍ଗଙ୍କ ପାଖକୁ ଅଡିଓ ପଠାଇଥିବା ମାନିଲେ ବିଶ୍ୱଜିତ appeared first on Odisha Reporter.
from Odisha Reporter https://ift.tt/30I6j1O
No comments:
Post a Comment