ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିବା ବେଳେ ଚିନ୍ତା ବଢ଼ାଉଛି ଗଞ୍ଜାମ। ଦେଶର ୮ଟି ରାଜ୍ୟର ୧୩ଟି ଜିଲ୍ଲାରେ କରୋନା ମୃତ୍ୟୁ ହାର ଜାତୀୟସ୍ତରଠାରୁ ଅଧିକ ରହିଛି । ଏହି ଜିଲ୍ଲାମାନଙ୍କ ଭିତରେ ରହିଛି ଗଞ୍ଜାମ ।
ରାଜ୍ୟରେ ଏଯାଏଁ ୨୭୨ ଜଣଙ୍କର କରୋନା ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରୁ କେବଳ ୧୩୧ଜଣ ଅଛନ୍ତି । ଗତକାଲି ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ସେଥିମଧ୍ୟରୁ ୬ ଜଣ କେବଳ ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ହାର ଅଧିକ ଥିବାରୁ କେନ୍ଦ୍ର ସରକାର ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି ।
କିଛି ଦିନ ହେଲା ପଜିଟିଭ୍ ଚିହ୍ନଟ କ୍ଷେତ୍ରରେ ଗଞ୍ଜାମକୁ ପଛରେ ପକାଇ ଦେଇଛି ଖୋର୍ଦ୍ଧା ଜିଲ୍ଲା । ଗତକାଲି ରାଜ୍ୟରେ ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଜିଲ୍ଲାରୁ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨ ରୋଗୀ ଚିହ୍ନଟ ହୋଇଛନ୍ତି ।
ଗତ ୩ ଦିନ ଧରି ଗଞ୍ଜାମକୁ ପଛରେ ପକାଇ ଆଗରେ ରହୁଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲା ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବା ବେଳେ ବସ୍ତି ଅଞ୍ଚଳ ହଟସ୍ପଟ ପାଲଟିବାରେ ଲାଗିଛି। ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆଣିବାକୁ ବିଏମ୍ସି ପକ୍ଷରୁ ନିଆଯାଉଥିବା ପଦକ୍ଷେପ ବିଶେଷ ଫଳପ୍ରଦ ହେଉ ନାହିଁ।
ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଥିବା ବେଳେ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ଥିତିରେ ସୁଧାର ଆସୁ ନାହିଁ। ଗଞ୍ଜାମରେ ସର୍ବାଧିକ ୧୨,୮୫୫ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ବେଳେ ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
The post ଚିନ୍ତା ବଢ଼ାଉଛି ଗଞ୍ଜାମ, ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ କେନ୍ଦ୍ର ସରକାରଙ୍କ ଉଦ୍ବେଗ appeared first on Odisha Reporter.
from Odisha Reporter https://ift.tt/2PFZck0
No comments:
Post a Comment