ଛତ୍ରପୁର(ଆଲୋକ ଗୌଡ଼): ପୁଅ ଆଖି ଆଗରେ ଛଟପଟ ହୋଇ ଚାଲିଗଲା ବାପାର ଜୀବନ। ଆମ୍ବୁଲାନ୍ସକୁ ଅନାଇ ଅନାଇ ବାପା ଆଖି ବୁଜିଥିବା କୋହ ଭରା କଣ୍ଠରେ କହିଛି ପୁଅ। ଏପରି ଏକ ହୃଦୟ ଥରା ଘଟଣା ପୁଣି ଥରେ ଘଟିଛି ଗଞ୍ଜାମ ଜିଲ୍ଲାରେ। ଆମ୍ବୁଲାନ୍ସକୁ ଫୋନ୍ କରିବାରୁ କେତେବେଳେ କାଟି ଦିଆଗଲା, ତ କେତେବେଳେ କୁହାଗଲା ଆମ୍ବୁଲାନ୍ସ ନାହିଁ। ଦୀର୍ଘ ୫ ଘଣ୍ଟା ଧରି ଚାଲିଥିବା ଏପରି ନାଟକର ଯବନିକା ବୃଦ୍ଧଜଣକ ଆଖି ବୁଜିବା ସହ ଶେଷ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିରଞ୍ଜନ ବେହେରା ନାମକ ବୃଦ୍ଧ ରବିବାର ରାତିରୁ ଅସୁସ୍ଥ ଥିବା ବେଳେ ସୋମବାର ସକାଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ବୁଗୁଡା ମେଡ଼ିକାଲକୁ ଆଣିଥିଲେ। ସେଠାରେ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ନେଇ ଯିବା ପାଇଁ ଡାକ୍ତର କହିଥିଲେ ।
ଏହାପରେ ପରିବାର ଲୋକେ ୧୦୮ ଓ ୧୦୪ ଆମ୍ବୁଲାନ୍ସକୁ କଲ୍ କରିଥିଲେ। ୧୦୪ ଆମ୍ବୁଲାନ୍ସ କେବଳ କୋଭିଡି ପଜିଟିଭ୍ ରୋଗୀଙ୍କୁ ହିଁ ନେବା ଆଣିବା କରୁଥିବା ଉତ୍ତର ମିଳିଥିଲା। ଏହାପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିବାରୁ ଆମ୍ବୁଲାନ୍ସ ନ ଥିବା କହି ବାରମ୍ବାର କଲ୍ଟିକୁ କାଟି ଦିଆଗଲା। ଏପରିକି ମେଡିକାଲ ପରିସରରେ ଏକ ଆମ୍ବୁଲାନ୍ସ ଥିବା ସତ୍ତ୍ୱେ ସେଥିରେ ଅକ୍ସିଜେନ ବ୍ୟବସ୍ଥା ନ ଥିବାରୁ ସେଥିରୁ ନିରଞ୍ଜନଙ୍କୁ ନିଆଯାଇ ପାରି ନ ଥିଲା। ଫଳରେ ବୃଦ୍ଧଜଣଙ୍କ ଯନ୍ତ୍ରଣାରେ ଛଟପଟ ହୋଇ ଆମ୍ବୁଲାନ୍ସକୁ ଅନାଇ ଅନାଇ ଶେଷରେ ଆଖି ବୁଜିଲେ।
ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟ ସେବା। କେତେବେଳେ ଅକ୍ସିଜେନ ଅଭାବରୁ ତଥା କେତେବେଳେ ଆମ୍ବୁଲାନ୍ସ ନ ଆସିବାରୁ ଆଖି ବୁଜୁଛନ୍ତି ରୋଗୀ। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ବି ଚେତୁନି ପ୍ରଶାସନ। ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଠିକ୍ ଅଛି କହି ପ୍ରଶାସନ ବାହାବା ନେବାକୁ ଚେଷ୍ଟା କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା ହିଁ କହୁଛି।
ଗତକାଲି ଜଣେ ଜନ ପ୍ରତିନିଧୀ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଉପରକୁ ଅଙ୍ଗୁଳି ଉଠାଇ ଏଠାରେ ଅକ୍ସିଜେନ ଅଭାବରୁ ଆଖି ଆଗରେ ଜୀବନ ଚାଲିଯାଉଥିବା ଅଭିଯୋଗ କରିଥିଲେ। ଆଜି ଆଉ ଏକ ଘଟଣାକ୍ରମେ ଆମ୍ବୁଲାନ୍ସକୁ ଅନାଇ ଅନାଇ ଆଖି ବୁଜିଲେ ରୋଗୀ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଉଥିବା ସତ୍ତ୍ୱେ ଏହା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି।
ଡିଏମ୍ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ଏମକେସିଜି ଗସ୍ତ କରି ଅକ୍ସିଜେନ ସପ୍ଲାୟ ଅଭାବ ନାହିଁ ବୋଲି କହିବା ସତ୍ତ୍ୱେ ଏହା ଜିଲା ସ୍ୱାସ୍ଥ୍ୟ ସେବାର ମଳିନ ଭାବମୂର୍ତ୍ତି କେତେ ମାତ୍ରାରେ ସଫା କରି ପାରୁଛି ତାହା ଦେଖିବାକୁ ବାକି ରହିଲା।
The post ଆମ୍ବୁଲାନ୍ସକୁ ଅନାଇ ଅନାଇ ଗଲା ଜୀବନ appeared first on Odisha Reporter.
from Odisha Reporter https://ift.tt/31aMdwc
No comments:
Post a Comment