ମୋଦି ସରକାରଙ୍କ କୃଷି ଆଇନରେ କଣ ରହିଛି, ଯାହାକୁ ଚାଷୀ ବିରୋଧ କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ମୋଦି ସରକାରଙ୍କ କୃଷି ଆଇନରେ କଣ ରହିଛି, ଯାହାକୁ ଚାଷୀ ବିରୋଧ କରୁଛନ୍ତି

ନୂଆଦିଲ୍ଲୀ: ମୋଦି ସରକାର ଗୁରୁବାର ଲୋକସଭାରେ ଦୁଇଟି ବିଧେୟକ ପାରିତ କରିଛନ୍ତି। ଏହି ବିଧେୟକ ହେଉଛି କୃଷି ବିଲ୍ ୨୦୨୦। ତେବେ ଏହି ବିଧେୟକକୁ ଚାଷୀ ବିରୋଧୀ ବୋଲି କହିଛି ଏନଡିଏର ସହଯୋଗୀ ଶିରୋମଣି ଅକାଳି ଦଳ। ଏହାପରେ କେନ୍ଦ୍ର ମନ୍ତ୍ରୀ ହରସିମରନ କୌର ବାଦଲ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଗତାକାଲି ସେ ଚାରି ପୃଷ୍ଠାରେ ନିଜ ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପଠାଇଥିଲେ। ଶୁକ୍ରବାର ଏହି ଇସ୍ତଫା ପତ୍ରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିଛନ୍ତି।

ଖାଲି ଶିରୋମଣି ଅକାଳୀ ଦଳ ନୁହେଁ ହରିଆଣା, ପଞ୍ଜାବ ଆଦି କିଛି ରାଜ୍ୟର ଚାଷୀ ମଧ୍ୟ ସରକାରଙ୍କ ଏହି ବିଧେୟକକୁ ବିରୋଧ କରୁଛନ୍ତି। ସେମାନେ କହିଛନ୍ତି ଯେ ଏହି ବିଧେୟକ ବା ବିଲ୍ ଅର୍ଥ ଚାଷୀଙ୍କ ସମସ୍ୟା ବଢ଼ାଇବ। ସରକାର ଯେଉଁ ବିଧେୟକ ଆଣିଛନ୍ତି କଣ୍ଚ୍ରାକ୍ଟ ଫାର୍ମିଂରେ କୌଣସି ବିବାଦ ହେଲେ ଏହାର ସମାଧାନ ସମନ୍ୱୟ ବୋର୍ଡ କରିବ। ଏହାର ମୁଖ୍ୟ ଅତିରିକ୍ତ ଜିଲ୍ଲାପାଳ (ଏସଡିଏମ୍) ରହିଛନ୍ତି। ଜଣେ ଚାହିଁଲେ ଏସଡିଏମଙ୍କ ନିଷ୍ପତ୍ତି ବିରୋଧରେ କଲେକ୍ଟରଙ୍କ ନିକଟରେ ଆବେଦନ କରିପାରିବେ।

ଏହାକୁ ପ୍ରସଙ୍ଗ କରି ଚାଷୀମାନେ ପଞ୍ଜାବରେ ଏକ ଟ୍ରାକ୍ଟର ଆନ୍ଦୋଳନ ଆୟୋଜନ କରିଛନ୍ତି ଏବଂ ବ୍ୟବସାୟୀମାନେ ଚାରିଟି ରାଜ୍ୟର ମଣ୍ଡିରେ ଧର୍ମଘଟ କରିଛନ୍ତି। ମୋଟ ଉପରେ ଉଭୟ କୃଷକ ଏବଂ ବ୍ୟବସାୟୀ କୃଷି ବିଧେୟକ ୨୦୨୦କୁ ବିରୋଧ କରିଛନ୍ତି। ତେବେ ଏହି ବିଧେୟକ କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବ ବୋଲି ସରକାର କହିଛନ୍ତି।

ଜୁନ୍ ୩ରେ ମୋଦି ସରକାରଙ୍କ କ୍ୟାବିନେଟ୍ ଦୁଇଟି ନୂଆ ନିୟମକୁ ଅନୁମୋଦନ କରିଥିଲେ ଏବଂ ଇସି ଆକ୍ଟରେ ସଂଶୋଧନକୁ ଅନୁମୋଦନ କରିଥିଲେ। ଯାହାକି ବର୍ତ୍ତମାନ ସଂସଦରେ ଅନୁମୋଦନ ପାଇଛି। ବର୍ତ୍ତମାନ ଏହା ନିୟମରେ ପରିବର୍ତ୍ତନ ହୋଇଛି।

କାହିଁକି ଚାଷୀ ଏବଂ ବ୍ୟବସାୟୀ ଚିନ୍ତାରେ?

ସରକାରଙ୍କ ଯୁକ୍ତି: କଣ୍ଟ୍ରାକ୍ଟ ଫାର୍ମିଂ ପ୍ରସଙ୍ଗରେ ସରକାର ଆଇନ କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା ଚାଷ ଜନିତ କ୍ଷତି କମ୍ ହେବ ଏବଂ ଚାଷୀଙ୍କ ଆୟରେ ଉନ୍ନତି ହେବ। ସମାନତା ଆଧାରରେ କୃଷକ ପ୍ରୋସେସର, ହୋଲସେଲର, ବଡ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀ ଇତ୍ୟାଦି ସହିତ ସଂଯୋଗ ହୋଇପାରିବ। ଏହାଦ୍ୱାରା ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତମାନର ଇନପୁଟ ମିଳିପାରିବ ଅର୍ଥାତ୍ କଣ୍ଚ୍ରାକ୍ଟ ଫାର୍ମିଂରେ ଚାଷକୁ ପ୍ରୋତ୍ସାହନ ମିଳିବ।ଏମିତି ହେଲେ ବଡ ବଡ଼ କୃଷି କମ୍ପାନୀ ଏକ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଚାଷୀଙ୍କ ସହିତ ଚୁକ୍ତି କରିବେ। ଏହାର ମୂଲ୍ୟ ଆଗରୁ ସ୍ଥିର କରାଯିବ। ଫଳରେ ଉତ୍ପାଦ କମ୍ ଦାମରେ ବିକ୍ରି ହେବା ଭୟ ମଧ୍ୟ କମିଯିବ।

ଚାଷୀଙ୍କ ଯୁକ୍ତି: ଚାଷୀଙ୍କ ନ୍ୟାୟ ପାଇଁ କାମ କରୁଥିବା କିଛି ସଂଗଠନ ଏବଂ ବିଶେଷଜ୍ଞ ଦାବି କରିଛନ୍ତି ଯେ ଏହି ନିୟମ ଅନୁଯାୟୀ କୃଷକମାନେ ନିଜ ନିଜ ଜମିରେ ଶ୍ରମିକ ଭାବରେ ରହିବେ। ପାଶ୍ଚାତ୍ୟ ଦେଶର କୃଷି ମଡେଲ ଆମ କୃଷକଙ୍କ ଉପରେ ଲାଗୁ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। କମ୍ପାନୀମାନେ ଚୁକ୍ତିଭିତ୍ତିକ ଚାଷରେ କୃଷକମାନଙ୍କୁ ଶୋଷଣ କରନ୍ତି। ସେମାନେ ସେମାନଙ୍କର ଉତ୍ପାଦକୁ ଖରାପ ବୋଲି ପ୍ରତ୍ୟାଖ୍ୟାନ କରିବେ। ସେହିଭଳି ଯେତେବେଳେ ବଡ ବଡ଼ କମ୍ପାନୀ ବା ବ୍ୟବସାୟୀ ସିଧାସଳଖ ଚାଷୀଙ୍କ ପାଖରୁ ଉତ୍ପାଦ କିଣିଲେ ଛୋଟ ଛୋଟ ବ୍ୟବାସାୟୀ ମାନେ କଣ କରିବେ?

କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ 

ସରକାରଙ୍କ ଦାବି: ଏହି ଆଇନ ପ୍ରଣୟନ ହେବା ଦ୍ୱାରା ଚାଷୀମାନେ ତାଙ୍କ ଉତ୍ପାଦନକୁ ବିକ୍ରି କରିବା ପାଇଁ ମୁକ୍ତ ବଜାର ପାଇବେ। ଯେଉଁଥିରେ ସେମାନଙ୍କର ସୁବିଧା ଅନୁଯାୟୀ କୃଷିଜାତ ଦ୍ରବ୍ୟ କିଣାବିକା କରିପାରିବେ। ଏହାଦ୍ୱାରା ବ୍ୟବସାୟର ସ୍ୱାଧୀନତା ମିଳିଲା। ଫଳରେ ସାରା ଦେଶରେ ‘ଗୋଟିଏ ଦେଶ, ଗୋଟିଏ କୃଷି ବଜାର’ ତିଆରି ହେଲା। ଯେକେହି ସେମାନଙ୍କର ଉତ୍ପାଦକୁ ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ। ଏହାଦ୍ୱାରା ଚାଷୀ ନିଜ ଉତ୍ପାଦର ଭଲ ମୂଲ୍ୟ ପାଇବେ।

ଚାଷୀମାନେ ଏହି ବ୍ୟବସାୟ କରିବା ପାଇଁ କୌଣସି ଟ୍ରେଡ୍ ଲାଇସେନ୍ସ ବାହାର କରିବାର ଆବଶ୍ୟକ ନାହିଁ। ଯେକୌଣସି ବ୍ୟକ୍ତି ପାନ୍ କାର୍ଡ ଦେଖାଇ କମ୍ପାନୀ, ସୁପର ମାର୍କେଟ, ଯେକୌଣସି ସ୍ଥାନରୁ ଯକୌଣସି କୃଷକଙ୍କ ଉତ୍ପାଦ କିଣି ପାରିବେ। ଏମିିତିକି କୃଷିଜାତ ଦ୍ରବ୍ୟ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ସର୍ତ୍ତକୁ ହଟାଇ ଦିଆଯାଇଛି। ଅର୍ଥାକ୍ କିଣିଲା ବେଳେ କୌଣସି ଟିକସ ଲାଗୁ ହେବ ନାହିଁ। ଏପିଏମସି ଆକ୍ଟରେ ୧୯୬୫ରେ ତିଆରି ହୋଇଥିଲା।

ଚାଷୀଙ୍କ ଦାବି: ଯେତେବେଳେ କୃଷକଙ୍କ ଉତ୍ପାଦ ମଣ୍ଡିରେ ବିକ୍ରି ହେବନି ସେତେବେଳେ ସରକାର ଜାଣିବେ କେମିତି ଜଣେ ଚାଷୀ ତା ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ପାଇଛନ୍ତି ବୋଲି? ନୂଆ ନିୟମ ଅନୁଯାୟୀ ସରକାର ଏମଏସପିର ଗ୍ୟାରେଣ୍ଟି ଦେଇ ନାହାନ୍ତି। ହେଲେ ଆଜି ଚାଷୀ ତାଙ୍କ ଚାଷର ସର୍ବନିମ୍ନ ସହାୟକ ମୂଲ୍ୟ ଦାବି କରୁଛନ୍ତି। ଯାହାକୁ ସରକାର ଅଣଦେଖା କରୁଛନ୍ତି। ବଡ଼ ବଡ଼ କମ୍ପାନୀ ସହିତ ଚାଷୀଙ୍କର ବିବାଦ ହେଲେ ସେତେବେଳେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିବ ଚାଷୀଙ୍କୁ। ଯାହାକି ଅଡ଼ୁଆ ପ୍ରକ୍ରିୟା। ଅତିରିକ୍ତ ଜିଲ୍ଲାପାଳ କିମ୍ୱା ଜିଲ୍ଲାପାଳ ଏହି ବିବାଦର ସମାଧାନ କରିବେ। ହେଲେ ସେମାନେ ରାଜ୍ୟ ସରକାରଙ୍କ ଅଧୀନରେ ରହିଛନ୍ତି। ତେଣୁ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସେମାନେ କୌଣସି ରାଜନୀତିକ ଚାପରେ ଶିକାର ହେବେନି ତ?

ବ୍ୟବସାୟୀମାନେ କହିଛନ୍ତି ସରକାରଙ୍କ ନୂଆ ନିୟମରେ ଲେଖା ହୋଇଛି ଯେଉଁମାନେ ମଣ୍ଡିରେ ବିକ୍ରି କରିବେ ସେମାନଙ୍କୁ ବଜାର ଦର ଅନୁସାରେ ବିକ୍ରି କରିପାରିବେ। ଅନ୍ୟପଟେ ଯେଉଁ ଚାଷୀ ମଣ୍ଡି ବାହାରେ ବିକ୍ରି କରିବେ ସେମାନେ ତାଙ୍କ ଇଚ୍ଛା ଅନୁସାରେ ମୂଲ୍ୟଦାବି କରିପାରିବେ। ଏମିତି ହେଲେ ଆଗାମୀ ଦିନରେ ମଣ୍ଡିରେ ଆଉ ଚାଷୀ ବିକ୍ରି କରିବେନି। ବିଧେୟକରେ ଲେଖା ହୋଇଛି ଗୋଟିଏ ଦେଶ, ଗୋଟିଏ ବଜାର ହେଲେ ଏମିତି ଦେଖିବାକୁ ଗଲେ ଗୋଟିଏ ଦେଶ, ଦୁଇଟି ବଜାର ବୋଲି ବ୍ୟବସାୟୀ କହିଛନ୍ତି।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ

ସରକାରଙ୍କ ଦାବି: ଭାରତ ଅଧିକାଂଶ କୃଷିଜାତ ସାମଗ୍ରୀ ଉତ୍ପାଦନରେ ବଳକା ସ୍ଥିତିରେ ରହିଛି, ମାତ୍ର ଶୀତଳ ଭଣ୍ଡାର, ପଣ୍ୟାଗାର, ପ୍ରକ୍ରିୟାକରଣ ଏବଂ ରପ୍ତାନିରେ କମ ନିବେଶ କାରଣରୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାକୁ ସକ୍ଷମ ହେଉନାହାନ୍ତି । ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅଙ୍କୁଶ ସେମାନଙ୍କ ଉଦ୍ୟୋଗୀ ଭାବନାକୁ ହତୋତ୍ସାହିତ କରୁଛି । ଏଭଳି ସ୍ଥିତିରେ ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦ ଅଧିକ ପରିମାଣରେ ଅମଳ ହେଲେ, କୃଷକମାନଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ପଡ଼ିଥାଏ । ପର୍ଯ୍ୟାପ୍ତ ପ୍ରକ୍ରିୟାକରଣ ସୁବିଧା ଉପଲବ୍ଧ ହେଲେ ଏଭଳି କ୍ଷତିକୁ ବ୍ୟାପକ ପରିମାଣରେ ରୋକାଯାଇପାରିବ। ଏହାକୁ ନଜରରେ ରଖି ସରକାର ଜୁନ୍ ତିନିରେ ଏହି ନିୟମର ସଂଶୋଧନକୁ କ୍ୟାବିନେଟ ଅନମୋଦନ ଦେଇଥିଲେ।

ନୂଆ ନିୟମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇ ଦିଆଯାଇଛି। ଏହି ବ୍ୟବସ୍ଥା ଫଳରେ ଘରୋଇ ନିବେଶକ ଅତ୍ୟଧିକ ନିୟାମକ ହସ୍ତକ୍ଷେପ ଭୟରୁ ମୁକ୍ତ ହୋଇପାରିବେ। ଉତ୍ପାଦନ, ଭଣ୍ଡାରଣ, ଲୋଡିଂ, ବିତରଣ ଏବଂ ଯୋଗାଣ କରିବାର ସ୍ୱାଧୀନତା ମିଳିବା ଫଳରେ ବ୍ୟାପକ ସ୍ତରରେ ଉତ୍ପାଦନ ସମ୍ଭବ ହୋଇପାରିବ ଏବଂ ଏଥିସହିତ କୃଷି କ୍ଷେତ୍ରରେ ଘରୋଇ ପ୍ରତ୍ୟକ୍ଷ ନିବେଶ ଆକୃଷ୍ଟ ହେବେ । ଏହାଫଳରେ ଶୀତଳ ଭଣ୍ଡାରରେ ନିବେଶ ବଢ଼ିବ ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣରେ ସହାୟତା ମିଳିପାରିବ ।

ଏହା ଫଳରେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ମଧ୍ୟ ସୁନିଶ୍ଚିତ ହେବ। ସଂଶୋଧନ ଅନ୍ତର୍ଗତ ଏପରି ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ମରୁଡ଼ି, ଯୁଦ୍ଧ, ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଏଭଳି କୃଷି ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯାଇପାରିବ। ତେବେ ମୂଲ୍ୟ ଶୃଙ୍ଖଳ ବା ଭ୍ୟାଲୁ୍ୟ ଚେନର କୌଣସି ଅଂଶୀଦାରଙ୍କ ପ୍ରତିଷ୍ଠିତ କ୍ଷମତା ଏବଂ କୌଣସି ରପ୍ତାନିକାରୀଙ୍କ ରପ୍ତାନି ଚାହିଦା ଏଭଳି ଷ୍ଟକ ସୀମା ଲାଗୁ ବ୍ୟବସ୍ଥାରୁ ମୁକ୍ତ ରହିବେ। ଏହି ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରରେ ନିବେଶ ହତୋତ୍ସାହିତ ହେବ ନାହିଁ। ଘୋଷିତ ସଂଶୋଧନ ମୂଲ୍ୟ ଲାଗୁ ହେବା ଦ୍ୱାରା କୃଷକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଲାଭଦାୟୀ ହେବ। ଏଥିସହିତ ଭଣ୍ଡାରର ସୁବିଧା ଅଭାବ କାରଣରୁ ହେଉଥିବା କୃଷିଜାତ ସାମଗ୍ରୀ ନଷ୍ଟକୁ ମଧ୍ୟ ରୋକାଯାଇପାରିବ।

ଚାଷୀଙ୍କ ଦାବି: ଏହି ଆଇନ୍ ବଡ଼ ବଡ଼ କମ୍ପାନୀ ଏବଂ ବଡ଼ ବ୍ୟବସାୟୀଙ୍କ ସ୍ୱାର୍ଥରେ ସଂଶୋଧନ କରାଯାଇଛି। କମ୍ପାନୀ ଏବଂ ସୁପର ମାର୍କେଟଗୁଡିକ ଶସ୍ତା ମୂଲ୍ୟରେ ଚାଷୀଙ୍କ ପାଖରୁ ଉତ୍ପାଦ କିଣିବେ ଏବଂ ଏହାକୁ ସେମାନଙ୍କର ବଡ଼ ଗୋଦାମରେ ରଖିବେ ଏବଂ ପରେ ଏହାକୁ ଅଧିକ ମୂଲ୍ୟରେ ଗ୍ରାହକଙ୍କୁ ବିକ୍ରି କରିବେ।

ଏହି ନିୟମ ପୂର୍ବରୁ କଣ ଥିଲା?

ପୂର୍ବରୁ ବ୍ୟବସାୟୀମାନେ ଚାଷୀମାନଙ୍କ ପାଖରୁ ସେମାନଙ୍କର ଉତ୍ପାଦକୁ ମୂଲଚାଲ ଦରରେ କିଣି ନେଇ ରଖୁଥିଲେ। ପରେ ବଜାରକୁ ଛାଡ଼ୁଥିଲେ। ଅତ୍ୟାବଶ୍ୟକ ଦ୍ରବ୍ୟ କେତେ ପରିମାଣରେ ଜଣେ ବ୍ୟବସାୟୀ ଷ୍ଟକ୍‌ କରିପାରିବ ତାହା ସରକାର ଧାର୍ଯ୍ୟ କରୁଥିଲେ। ଏହାକୁ ବନ୍ଦ କରିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ବଦଳାଇଲେ। ପୂର୍ବରୁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦିଷ୍ଟ ପରିମାଣଠାରୁ ଅଧିକ ସାମଗ୍ରୀ ସଂରକ୍ଷଣ ପାଇଁ ଅନୁମତି ମିଳୁ ନଥିଲା। ଏବେ କିନ୍ତୁ ଏହାକୁ ସଂଶୋଧନ କରି ସରକାର ସେମାନଙ୍କୁ ଅଧିକ ପରିମାଣର ଷ୍ଟକ୍‌ କରିବାକୁ ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ ସେମାନେ ଶସ୍ତାରେ ଅଧିକ କୃଷିଜାତ ସାମଗ୍ରୀ କିଣି ଷ୍ଟକ୍‌ ରଖିବେ ଓ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରିବେ। ଏହା ଫଳରେ ଚାଷୀ ଅଧିକ ଦାମ ପାଇବ ନାହିଁ, ବରଂ ଖାଉଟୀ ପାଇଁ ଦର ବଢ଼ିଯିବ।

The post ମୋଦି ସରକାରଙ୍କ କୃଷି ଆଇନରେ କଣ ରହିଛି, ଯାହାକୁ ଚାଷୀ ବିରୋଧ କରୁଛନ୍ତି appeared first on Odisha Reporter.



from Odisha Reporter https://ift.tt/32G5Y0q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages