ନୂଆଦିଲ୍ଲୀ: ଚାଷୀ ଓ ଚାଷର ଉନ୍ନତି ପାଇଁ ମୋଦି ସରକାର ସଂସଦର ମୌସୁମୀ ଅଧିବେଶନରେ ଆଣିଥିବା ବିଲକୁ ପଞ୍ଜାବ ଓ ହରିୟାଣାରେ ତୀବ୍ର ବିରୋଧ ପରେ ବିଜେପି ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଞ୍ଜାବରେ ଦଳର ମେଣ୍ଟ ସାଥୀ ଅକାଳୀ ଦଳର କେନ୍ଦ୍ର ମନ୍ତ୍ରୀ ହରସିମରତ୍ କାଉଲ ବାଦଲ ନିଜ ପଦରୁ ଇସ୍ତଫା ଦେବା ପରେ ଏବେ ହରିୟାଣାର ଏନଡିଏ ସହଯୋଗୀ ଦୁଷ୍ୟନ୍ତ ଚୌତାଲାଙ୍କ ଜନନାୟକ ଜନତା ପାର୍ଟି, ଜେଜେପି ଚାପରେ ପଡ଼ିଛି।
ଏହି ପ୍ରସଙ୍ଗରେ ଜେଜେପି ମୁଖ୍ୟ ତଥା ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ଶୁକ୍ରବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିଛନ୍ତି। ଏହା ପରେ ସେ ନିଜ ଦଳର ଶୀର୍ଷସ୍ତରୀୟ ନେତାଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। 90 ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଚୌତାଲାଙ୍କ ଜେଜେପି ପାଖରେ 10 ଜଣ ବିଧାୟକ ଅଛନ୍ତି। ତେବେ ରାଜ୍ୟରେ ବିଜେପି କ୍ଷମତାକୁ ଫେରିବାରେ ଜେଜେପି କିଙ୍ଗ୍ ମେକର ଭୂମିକା ନେଇଥିଲା। ସେପଟେ ଅକାଳୀ ଦଳର କେନ୍ଦ୍ର ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ସିଧାସଳଖ ହରିୟାଣା ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା। ଏପରିକି କେନ୍ଦ୍ର ସରକାରଙ୍କ ଚାଷ ଓ ଚାଷୀ ନୀତିକୁ ବିରୋଧ କରି ଜେଜେପି ଅକାଳୀ ଦଳକୁ ଅନୁସରଣ କରି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚି୍ତ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା ଟୁଇଟ୍ କରି କହିଛନ୍ତି।
ଅକାଳୀ ଦଳ ଭଳି ଏନଡିଏର ଅ୍ୟତମ ଅଂଶୀଦାର ହରିୟାଣାର ଜେଜେପି ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ମୋଦି ସରକାରଙ୍କ ଚାଷୀ ଓ ଚାଷ ସମ୍ପର୍କିତ ନୀତିକୁ ବିରୋଧ କରୁଛି। ଅକାଳୀଙ୍କ ଭଳି ହରିୟାଣାର ଗାଁ ଗହଳି ଓ ଚାଷୀବହୁଳ ଅ଼ଞ୍ଚଳରେ ଜେଜେପିର ପ୍ରଭାବ ଓ ସଂଗଠନ ରହିଛି। ଏହା ପୂର୍ବରୁ ସେପ୍ଟେମ୍ବର 10ରେ କେନ୍ଦ୍ରର ଚାଷ ନୀତିକୁ ବିରୋଧ କରି ହରିୟାଣାର କୁରୁକ୍ଷେତ୍ରରେ ହୋଇଥିବା ଚାଷୀ ସମାବେଶରେ ପୁଲିସ ଚାଠିଚାର୍ଜ କରିବାରୁ ବହୁ କୃଷକ ଆହତ ହୋଇଥିଲେ। ଏହାକୁ ନେଇ ସେତେବେଳେ ବିରୋଧୀ କଂଗ୍ରେସ ରାଜ୍ୟର ଜେଜେପି ଓ ବିଜେପି ମେଣ୍ଟ ସରକାରକୁ ଟାର୍ଗେଟ କରିଥିଲା। ଅନ୍ୟପକ୍ଷରେ ମୋଦି ସରକାରଙ୍କ ଚାଷ ନୀତିକୁ ପୂର୍ବରୁ ସମର୍ଥନ କରି ଆସୁଥିବା ସହଯୋଗୀ ଜେଜେପି ଏହାକୁ ନେଇ ରାଜ୍ୟରେ ବୃଦ୍ଧି ପାଉଥିବା ଚାଷୀ ଅସନ୍ତୋଷକୁ ଦୃଷ୍ଟିରେ ରଖି ପଞ୍ଜାବର ଅକାଳୀ ଦଳ ଭଳି ନିଜ ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ ଆଭିମ୍ମୁଖ୍ୟ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ହରିୟାଣାରେ ଜେଜେପି-ବିଜେପି ମେଣ୍ଟ ଗଠନରେ ପଞ୍ଜାବର ଅକାଲୀ ଦଳ ମୁଖ୍ୟ ସୁଖବୀର ସିଂବ ବାଦଲଙ୍କ ମୁଖ୍ୟ ଭୂମିକା ଥିଲା।
The post ଅକାଳୀଙ୍କ ପଦକ୍ଷେପ ପରେ ବିଜେପିର ହରିୟାଣା ସହଯୋଗୀ ଜେଜେପି ଉପରେ ଚାପ appeared first on Odisha Reporter.
from Odisha Reporter https://ift.tt/360721B
No comments:
Post a Comment