ନବରଙ୍ଗଫୁର(ନବଘନ ବିଶୋୟୀ): କରୋନା ରୋଗୀଙ୍କୁ ଅବହେଳାର ଏକ ନମୁନା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିରେ। କରୋନା ପଜିଟିଭ ଚିହ୍ନଟ ଜଣେ ଯୁବକ ଘରେ ନ ରହି ମେଡିକାଲକୁ ଯିବାକୁ ଚାହିଁବାରୁ ତାଙ୍କୁ ୨ ଦିନ କାଳ ଅପେକ୍ଷା କରିବାକୁ ପଡ଼ିଲା। ଘର ବାହାରେ ଯୁବକଜଣକ ଖରା, ବର୍ଷାରେ ୨ ଦିନ ପଡ଼ି ରହିବା ପରେ ତାଙ୍କୁ ଆମ୍ବୁଲାନ୍ସ ଆସି ନେଇ ଯାଇଥିବା ଜଣାଯାଇଛି।
ସୂଚନା ମୁତାବକ, ତେନ୍ତୁଳିଖୁଣ୍ଟିର ଯୁବକଜଣକ ଅସୁସ୍ଥତା ଅନୁଭବ କରିବାରୁ ଗତ ୨୯ ତାରିଖରେ କୋଭିଡ ଟେଷ୍ଟ କରିଥିଲେ। ଉକ୍ତ ଦିନ ହିଁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ସେ ଘରକୁ ପଳାଇ ଆସି ଦାଣ୍ଡ ବାରଣ୍ଡାରେ ରହୁଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା। ଏହାପରେ ଘରେ ବୟସ୍କ ବାପାମା’ ରହୁଥିବାରୁ ସେ ମେଡିକାଲ ଯିବେ ବୋଲି ଜଣାଇଥିଲେ।
ଏହାପରେ ତାଙ୍କୁ ପ୍ରସ୍ତୁତ ହୋଇ ରହିବାକୁ କୁହାଗଲା। କିନ୍ତୁ ୨୯ ତାରିଖ ରାତି ସୁଦ୍ଧା କାହାରି ଦେଖା ମିଳିଲା ନାହିଁ। ଫଳରେ ଅସୁସ୍ଥତା ସତ୍ତ୍ୱେ ଘର ବାହାରେ ପଡ଼ିରହିଲେ ଯୁବକଜଣକ। ଏହାପରେ ଗତକାଲି ୩୦ ତାରିଖରେ ମଧ୍ୟ ତାଙ୍କୁ ମେଡିକାଲ ନେବାକୁ କୌଣସି ତତ୍ପରତା ପ୍ରକାଶ ପାଇଲା ନାହିଁ। ଫଳରେ ସେ ଚିକିତ୍ସା ପାଇବା ପରିବର୍ତ୍ତେ ସେମିତି ଘର ଆଗରେ ପଡ଼ି ରହିଲେ।
ଏ ସମ୍ପର୍କରେ ଖବର ପାଇ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ପ୍ରଶାସନର ଚେତା ପଶିଲା। ଏ ସମ୍ପର୍କରେ ସିଡିଏମ୍ଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଗତକାଲି ରାତି ପ୍ରାୟ ୧୧ଟା ପରେ ଆମ୍ବୁଲାନ୍ସ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କୋଭିଡ ହସ୍ପିଟାଲ ନେଇ ଯାଇଥିବା ଜଣାଯାଇଛି।
The post ଆସିଲାନି ଆମ୍ବୁଲାନ୍ସ; ଘର ବାରଣ୍ଡାରେ ୨ ଦିନ ପଡ଼ି ରହିଲେ କରୋନା ରୋଗୀ appeared first on Odisha Reporter.
from Odisha Reporter https://ift.tt/34gUNea
No comments:
Post a Comment