ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାଁରେ ଥାନାରେ ଏଫ୍ଆଇଆର୍ ଦେଇଛି ଶିବସେନା। ଠାଣେର ଶ୍ରୀନଗର ପୁଲିସ୍ ଷ୍ଟେସନରେ ଦଳ ପକ୍ଷରୁ ଦିଆଯାଇଛି ଏହି ଏଫ୍ଆଇଆର୍। ମୁମ୍ବାଇକୁ କଙ୍ଗନା ପାକିସ୍ତାନ ଅଧିକୃତ କଶ୍ମୀର (POK) ସହିତ ତୁଳନା କରିଥିବାରୁ ଶିବସେନା ପକ୍ଷରୁ ତାଙ୍କ ନାଁରେ ଏଫ୍ଆଇଆର ଦିଆଯାଇଛି।
କଙ୍ଗନାଙ୍କ ଏହି ମନ୍ତବ୍ୟକୁ ନେଇ ଶିବସେନା ନେତା ସଞ୍ଜୟ ରାଉତଙ୍କ ସହିତ ତାଙ୍କର ବାକ୍ଯୁଦ୍ଧ ହୋଇଥିଲା। ସଞ୍ଜୟ ତାଙ୍କୁ କଡ଼ା ଶବ୍ଦ ଶୁଣାଇଥିଲେ ଓ କ୍ଷମା ମାଗିବାକୁ କହିଥିଲେ। କ୍ଷମା ନ ମାଗିଲେ ତାଙ୍କ ଦଳର ମହିଳା ଶାଖା ସଠିକ୍ ଶାସ୍ତି ଦେବ ବୋଲି କହିଥିଲେ ସଞ୍ଜୟ। ଏପରିକି ତାଙ୍କୁ ମୁମ୍ବାଇରେ ପୂରାଇ ଦିଆଯିବ ନାହିଁ ବୋଲି ବି ସେ କହିଥିଲେ।
ଏହାର ଜବାବରେ କଙ୍ଗନା କହିଥିଲେ ଯେ ସେ ସେପ୍ଟେମ୍ବର ୯ ତାରିଖରେ ନିଶ୍ଚୟ ମୁମ୍ବାଇ ଯିବେ। ଏହାର ଜବାବରେ ସଞ୍ଜୟ ରାଉତ ତାଙ୍କୁ ‘ହାରାମଖୋର ଲଡ୍କୀ’ ବୋଲି କହିଥିଲେ। ଆଉ ଏସବୁ ଭିତରେ ଗତକାଲି ଗୃହ ମନ୍ତ୍ରାଳୟ କଙ୍ଗନାଙ୍କୁ ୱାଇ ପ୍ଲସ୍ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ଏହି ବ୍ୟବସ୍ଥାରେ କଙ୍ଗନାଙ୍କ ସୁରକ୍ଷା ପାଇଁ ୧୧ ଜଣ ସଶସ୍ତ୍ର ପୁଲିସ୍ କର୍ମଚାରୀ ରହିବେ।
ସୂଚନାଯୋଗ୍ୟ, ଏବେ ହିମାଚଳ ପ୍ରଦେଶର ମନାଲିରେ ଥିବା କଙ୍ଗନା ରାଣାୱତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠୁ ବେଶ୍ ଚର୍ଚ୍ଚାରେ ରହିଆସିଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସେ ଖୋଲାଖୋଲି କହିଥିବା ବେଳେ ମୁମ୍ବାଇ ପୁଲିସ୍ର ତଦନ୍ତକୁ ବି ତୀବ୍ର ସମାଲୋଚନା କରିଥିଲେ। ସେ ବଲିଉଡ୍ରେ ନେପୋଟିଜମ୍ ଚାଲିଥିବା କହିଥିଲେ। ନେପୋଟିଜମ୍ ପାଇଁ ସୁଶାନ୍ତଙ୍କ ଜୀବନ ଯାଇଥିବା ସେ କହିଥିଲେ। ସେହିପରି ବଲିଉଡ୍ରେ ଡ୍ରଗ୍ସ ମାଫିଆ ରହିଥିବା କହି କଙ୍ଗନା ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ଜୀବନପ୍ରତି ବିପଦ ବି ଆସିଛି।
The post କଙ୍ଗନାଙ୍କ ନାଁରେ ଥାନାରେ ଏଫ୍ଆଇଆର୍ appeared first on Odisha Reporter.
from Odisha Reporter https://ift.tt/35c22X7
No comments:
Post a Comment