କେନ୍ଦୁଝର(ପ୍ରଣୟ ପାଣି): ମହାମାରୀ କରୋନା ବଦଳାଇଦେଇଛି ବହୁ ଲୋକଙ୍କ ଜୀବନ ଜୀବିକା । କିଏ ଚାକିରି ହରାଇଛି ତ ଆଉ କାହାର ବଦଳିଯାଇଛି ପେଶା । କିନ୍ତୁ ଏ ମହାମାରୀ ସଙ୍କଟ ଜଣେ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦୁଃଖ ପରିବର୍ତ୍ତେ ଆଣି ଦେଇଛି ଖୁସି। ଡ୍ରାଇଭରରୁ ସେ ପାଲଟିଯାଇଛନ୍ତି ଜଣେ ସଫଳ ଚାଷୀ । ମାସକୁ ରୋଜଗାର କରୁଛନ୍ତି ପ୍ରାୟ ୭୦ ହଜାର ଟଙ୍କା ।
କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ ନରସିଂହପୁର ଗାଁର ପ୍ରସନ୍ନ ହେମ୍ବ୍ରମ । ପେଶା ଥିଲା ଟ୍ରକ ଡ୍ରାଇଭର୍ । ଟ୍ରକ୍ ଚଲାଇ ସଂସାର ଗାଡି ଚଳାଉଥିଲେ। କିନ୍ତୁ ଲକଡାଉନ, ଶଟଡାଉନ୍ ତାଙ୍କ ରୋଜଗାରରେ ଲଗାଇଦେଲା ବ୍ରେକ୍। ଏଥିଯୋଗୁ ସେ ଜୀବିକା ମଧ୍ୟ ହରାଇଲେ । ହାତରେ କିଛି ରୋଜଗାର ନ ଥିବାରୁ ଗାଁକୁ ଫେରି ଆସିଲେ। ହେଲେ କିପରି ପରିବାର ଲୋକଙ୍କ ମୁହଁରେ ୨ ଓଳି ଦୁଇ ମୁଠା ଦାନା ଦେବେ ସେ ଚିନ୍ତା ତାଙ୍କୁ ଘାରିଲା। ଶେଷରେ ପରିବା ଚାଷ କରିବାକୁ ମନ ବଳାଇଲେ ।
ଏହାପରେ ପ୍ରସନ୍ନ ୪୦ ଡିସିମିଲ ଜମିରେ ନୂତନ ପ୍ରଣାଳୀରେ ଆରମ୍ଭ କଲେ କଲରା ଚାଷ । ଖାଲି କଲରା ନୁହେଁ ଫୁଲ କୋବି ଚାଷ ବି କରିଛନ୍ତି ପ୍ରସନ୍ନ । ତାଙ୍କ ଭଳି ଜୀବିକା ହରାଇଥିବା ୪ରୁ ୫ ଜଣ କର୍ମଚାରୀଙ୍କୁ ବି ନିଯୁକ୍ତି ଦେଇଛନ୍ତି ପ୍ରସନ୍ନ । ଦୈନିକ ପ୍ରାୟ ୨ରୁ ୩ କୁଇଣ୍ଟାଲ ପରିବା ଅମଳ ହୋଉଥିବାବେଳେ ମାସକୁ ୬୦ରୁ ୭୦ ହଜାର ରୋଜଗାର ହେଉଥିବା କହିଛନ୍ତି ଏହି ସଫଳ ଚାଷୀ ।
ଶଟଡାଉନ୍ ଯୋଗୁ ନୂଆ ପରିଚୟ ପାଇଥିବା ପ୍ରସନ୍ନ ହେମ୍ବ୍ରମ କୁହନ୍ତି, ଆଗରୁ ଗାଡ଼ି ଚଲାଉଥିବା ବେଳେ ଶଟଡାଉନ୍ ଯୋଗୁ ଘରକୁ ପଳାଇ ଆସିଲି। ଏହାପରେ ବହୁ ଦିନ ଖାଇବାକୁ ପାଇଲୁ ନାହିଁ। ଏହାପରେ ଚାଷ ପାଇଁ ମନ ବଳାଇ କାମ ଆରମ୍ଭ କଲି। ଏବେ ଖୁବ୍ ଭଲ ଚାଷ ହେଉଛି। ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ହୋଇଛି।
ପ୍ରସନ୍ନଙ୍କ ପତ୍ନୀ ମୀନା ହେମ୍ବ୍ରମ ମଧ୍ୟ ସ୍ୱାମୀଙ୍କ କାମରେ ବହୁତ ଖୁସି ହେବା ସହ ଚାଷରେ ଭଲ ରୋଜଗାର ହେଉଛି ବୋଲି କହିଛନ୍ତି। ଏଥିସହ ରୋଜଗାର ପାଇଁ ପ୍ରସନ୍ନ ଆଉ କୁଆଡେ ବାହାରକୁ ଯିବେନି। ଆମେ ମିଳିମିଶି ଆହୁରି ପରିବା ଚାଷ କରିବୁ ବୋଲି ହସି ହସି କହିଛନ୍ତି।
ସ୍ୱେଚ୍ଛାସେବୀ ସଂଗଠନ ଆଇଡିଆଲ ଡେଭଲପମେଣ୍ଟ ଏଜେନ୍ସୀର ସହଯୋଗରେ ଆଧୁନିକ ମଲଚିଂ ପ୍ରଣାଳୀରେ ଚାଷ କରି ସଫଳ ହୋଇଛନ୍ତି ପ୍ରସନ୍ନ । ଏଭଳି ପ୍ରଣାଳୀରେ ଚାଷ କରି ଅନେକ ଚାଷୀ ଉପକୃତ ହେଉଥିବା କହିଛନ୍ତି ସଂଗଠନର କର୍ମକର୍ତ୍ତା । ଏଭଳି ପ୍ରଣାଳୀରେ ଚାଷ ଦ୍ୱାରା ଜଣେ ମାସକୁ ଲକ୍ଷେ ପର୍ଯ୍ୟନ୍ତ ରୋଜଗାର କରିପାରିବ ।ଏହା ଚାଷୀଙ୍କ ଜୀବନଜୀବିକା ବଦଳାଇ ଦେଇଥିବା ସେ କହିଛନ୍ତି।
The post କରୋନା ଯୋଗୁ ବଦଳିଗଲା ଜୀବିକା; ଟ୍ରକ ଡ୍ରାଇଭର୍ ଏବେ ସଫଳ ଚାଷୀ appeared first on Odisha Reporter.
from Odisha Reporter https://ift.tt/2R4ciIH
No comments:
Post a Comment