ନୂଆଦିଲ୍ଲୀ: ସୁପର ଓଭରରେ ନୈରାଶ୍ୟଜନକ ପ୍ରଦର୍ଶନ ସହ ଦିଲ୍ଲୀ କ୍ୟାପିଟାଲସ ନିକଟରୁ ହାରିଥିବା କିଙ୍ଗସ ଇଲେଭେନ୍ ପଞ୍ଜାବ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଉଭୟ ଦଳ ପାଇଁ ଏହା ଚଳିତ ସିଜିନର ଦ୍ୱିତୀୟ ମ୍ୟାଚ୍।
ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ନିଜ ପ୍ରଥମ ମୁକାବିଲାରେ ସନ ରାଇଜର୍ସ ହାଇଦ୍ରାବାଦକୁ ସହଜରେ ପରାସ୍ତ କରିଥିବାବେଳେ କେଏଲ ରାହୁଲଙ୍କ କିଙ୍ଗସ୍ ଇଲେଭେନ୍ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷ ପ୍ରଥମ ମ୍ୟାଚରେ ବିଜୟକୁ ହାତଛଡ଼ା କରି ଦେଇଥିଲା। ତେଣୁ ଆଜି ସାମର୍ଥ୍ୟ ମୁତାବକ ପ୍ରଦର୍ଶନ ଦେଲେ, କିଙ୍ଗସ୍ ଇଲେଭେନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ଉପରେ ଭାରି ପଡ଼ିପାରେ। ତେବେ କୋହଲିଙ୍କ ଦଳକୁ ମାତ୍ ଦେବାକୁ ହେଲେ ବିରାଟଙ୍କ ସମେତ ଡିଭିଲିୟର୍ସଙ୍କ ବ୍ୟାଟକୁ ଲଗାମ ଦେବା ପାଇଁ ଚୂଡ଼ାନ୍ତ ଏକାଦଶରେ ଆଫଗାନୀ ସ୍ପିନ୍ ସେନସେସନ୍ ମୁଜିବ-ଉର୍-ରହମାନଙ୍କୁ ସାମିଲ କରିବା ପାଇଁ କିଛି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ଇଂଲିଶ ଅଲରାଉଣ୍ଡର କ୍ରିସ ଜୋର୍ଡାନଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ଏହା ସହିତ ନିଜେ ଅଧିନାୟକ ରାହୁଲ୍, ଇଣ୍ଡିଜ୍ ପ୍ରତିଭା ନିକୋଲସ୍ ପୂରନ୍, ବଡ଼ ସଟ୍ ଖେଳିବାରେ ମାହିର୍ ସର୍ଫରାଜ ଖାନ୍ ଏବଂ ବିସ୍ଫୋରକ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ କ୍ରିଜରେ ଅଧିକ ସମୟ ରହିବାକୁ ପଡ଼ିବ। ତେବେ ମୟଙ୍କ ଅଗ୍ରୱାଲଙ୍କ ପ୍ରଭାବୀ ପାଳି ଦଳ ପାଇଁ ଏକମାତ୍ର ପ୍ଲସ ପଏଣ୍ଟ ହୋଇଛି। ମହମ୍ମଦ ସାମିଙ୍କ ପ୍ରଦର୍ଶନ ମଧ୍ୟ ଗତ ମ୍ୟାଚରେ ଭଲ ରହିଥିଲା। ଯୁବ ପ୍ରତିଭା ରବି ବିଷ୍ଣୋୟୀ ବି ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି।
ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ୟଜୁବେନ୍ଦ୍ର ଚହଲ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇଛନ୍ତି ଏବଂ ସେ ମଧ୍ୟ ଆଜିର ମ୍ୟାଚରେ ଦଳ ପାଇଁ ପ୍ରମୁଖ ଅସ୍ତ୍ର ପାଲଟିବେ। ଶିଭମ୍ ଦୁବେ ଓ ପାଡିକଲଙ୍କ ସଫଳତା ଦଳୀୟ ସନ୍ତୁଳନକୁ ଶିଖରରେ ରଖିଛି। ତେଣୁ ଆଜିର ମ୍ୟାଚରେ ପୁଣି ଏକ ରୋମାଞ୍ଚକର କ୍ରିକେଟ୍ ଦେଖିବାକୁ ମିଳିବ, ଯାହା ଏଯାଏ ଆଇପିଏଲ୍ ଦେଇ ଆସିଛି।
The post ଆଜି ରାହୁଲ୍-କୋହଲି ଲଢ଼େଇ appeared first on Odisha Reporter.
from Odisha Reporter https://ift.tt/3hThE4s
No comments:
Post a Comment