ଚଣ୍ଡିଗଡ: ଅବସର ନିଷ୍ପତ୍ତି ବଦଳାଇ ପୁଣି ପଡ଼ିଆକୁ କମ ବ୍ୟାକ୍ କରିବେ ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ। ଚୟନକର୍ତ୍ତା ବାରମ୍ବାର ଅଣଦେଖା କରିବା ପରେ ୩୮ ବର୍ଷୀୟ ଯୁବି ଗତ ବର୍ଷ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ତେବେ ପଞ୍ଜାବ କ୍ରିକେଟ ଆସୋସିଏସନର ଅନୁରୋଧ ରକ୍ଷା କରି ଏବେ ଯୁବରାଜ ତାଙ୍କ ନିଷ୍ପତ୍ତି ବଦଳାଇବେ ବୋଲି ସୂଚନା ମିଳିଛି।
୨୦୧୧ ବିଶ୍ୱକପ୍ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିବା ଯୁବରାଜଙ୍କ ପାଖରେ ଏବେ ବି ବହୁ କ୍ରିକେଟ୍ ବାକି ଥିବା ବିଶେଷଜ୍ଞ କହୁଛନ୍ତି। ଯୁବରାଜ ଗତ କିଛି ମାସ ଧରି ଶୁବମନ ଗିଲ୍, ଅଭିଷେକ ଶର୍ମା ଓ ଅନମୋଲପ୍ରୀତ ସିଂହ ଭଳି ପଞ୍ଜାବର ଯୁବ ପ୍ରତିଭାଙ୍କ ସହ ଅଭ୍ୟାସ କରୁଛନ୍ତି। ଅଫ୍ ସିଜନ୍ ଶିବିରରେ ଯୁବରାଜ ତାଙ୍କ ଲୟ ଫେରି ପାଇଥିବା ଦେଖି ପଞ୍ଜାବ କ୍ରିକେଟ୍ ସଂଘ ସଂପାଦକ ତାଙ୍କୁ ଅବସର ନିଷ୍ପତ୍ତି ବଦଳାଇ ପୁଣି ଥରେ ପଞ୍ଜାବ ପାଇଁ ଖେଳିବାକୁ ଅନୁରୋଧ କରିଥିଲେ। ଏହା ପରେ ଅବସର ନିଷ୍ପତ୍ତିରେ ପରିବର୍ତ୍ତନ କରି ତାଙ୍କୁ ଘରୋଇ କ୍ରିକେଟ୍ ଖେଳିବା ପାଇଁ ଅନୁମତି ଦେବାକୁ ଯୁବି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହଙ୍କୁ ଚିଠି ଲେଖିଛନ୍ତି। ପଞ୍ଜାବ ପାଇଁ ଖେଳିବାର ବିକଳ୍ପ ମିଳିଲେ ଅନ୍ୟ କେଉଁଠାରେ ଲିଗ୍ ଖେଳିବାକୁ ସେ ଚାହିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି। ଆଉ ଅନୁମତି ମିଳିଲେ କେବଳ ଟ୍ୱେଣ୍ଟି-୨୦ ଖେଳିବେ ବୋଲି ବୁଧବାର କହିଛନ୍ତି।
ଏନେଇ ଯୁବରାଜଙ୍କ ମା’ ଶବନମ ସିଂହ କହିଛନ୍ତି ଯେ ଯୁବି ଆସନ୍ତା ଦିନେ ଦୁଇ ଦିନ ଭିତରେ ଦୁବାଇରୁ ଫେରିବେ। ଏହା ପରେ ଆମେ ଏହି ବିଷୟରେ ଆଲୋଚନା କରିବୁ। ସେହିଭଳି ଯୁବିଙ୍କ ବାପା ଯୋଗରାଜ ସିଂହ କହିଛନ୍ତି ‘‘ ଅବସର ତା’ର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା ଏବଂ ଏଥିରେ ମୁଁ ଆଦୌ ହସ୍ତକ୍ଷେପ କରି ନଥିଲି। ସେ ଜଣେ ଯୋଦ୍ଧା। ଏବେ ପିସିଏ ଷ୍ଟାଡିୟମ୍ରେ ସେ ଯେଭଳି ଭାବେ ଛକା ମାରୁଛି, ତାହା ଦେଖିବା ପରେ ସମସ୍ତେ ଚାହୁଛନ୍ତି ଯୁବରାଜ୍ କ୍ରିକେଟ୍କୁ ଫେରୁ। ଯଦି ସେ ମାତ୍ର ୩ ବର୍ଷ ପଞ୍ଜାବ ପାଇଁ ଖେଳନ୍ତି, ସେ ନିଶ୍ଚିତ ଭାବେ ଭାରତୀୟ ଦଳକୁ ଦୁଇ ଜଣ ବିଶ୍ବସ୍ତରୀୟ ଖେଳାଳି ଦେଇ ପାରିବେ’’।
ସୂଚନାଯୋଗ୍ୟ, ଯୁବରାଜ ଶେଷଥର ପାଇଁ ୨୦୧୭ରେ ଟିମ୍ ଇଣ୍ଡିଆ ପକ୍ଷରୁ ଖେଳିଥିଲେ। ଭାରତ ପକ୍ଷରୁ ସେ ୩୦୪ ଦିନିକିଆ, ୪୦ ଟେଷ୍ଟ୍ ଓ ୫୮ଟି ଟି -୨୦ ଖେଳିଛନ୍ତି।
The post କ୍ରିକେଟ୍ ମୈଦାନକୁ କମ୍ ବ୍ୟାକ୍ କରିବେ ଯୁବରାଜ୍ appeared first on Odisha Reporter.
from Odisha Reporter https://ift.tt/3m8q6Ak
No comments:
Post a Comment