ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଆନ୍ଦୋଳିତ କରିଛି। ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାରତ ଥିବା ବେଳେ ମଙ୍ଗଳବାର ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଏହାପରେ ଉତ୍ତରପ୍ରଦେଶ ପୁଲିସ ଅଧ ରାତିରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଯାଇଛି।
ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ରିପୋର୍ଟ ଅନୁଯାୟୀ, ପୀଡ଼ିତାଙ୍କ ଗଳରେ ଏକ ଆଘାତର ଚିହ୍ନ ରହିଛି ଏବଂ ହାଡ଼ ମଧ୍ୟ ଭାଙ୍ଗିଯାଇଛି। ପୀଡ଼ିତାଙ୍କ ସହ ଅମାନବୀୟ କାଣ୍ଡ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।
ସଫଦରଗଞ୍ଜ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଭିସେରା ରିପୋର୍ଟ ଆସିବା ପରେ ହିଁ ପୀଡ଼ିତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଗଳାରେ ଚିହ୍ନ ଥିବା ନେଇ ସ୍ପଷ୍ଟ କରାଯାଇଛି।
ଏହାସହ ପୀଡ଼ିତାଙ୍କ ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ମଧ୍ୟ କୁହାଯାଉଛି। ତେବେ ପୀଡ଼ିତାଙ୍କୁ ଏକାଧିକ ଥର ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ, ଘଟଣାଟି ସେପ୍ଟେମ୍ବର ୧୪ ସକାଳ ପ୍ରାୟ ୯ଟା ସମୟରେ। ତେବେ ଅପରାହ୍ନ ୪ଟା ସମୟରେ ପୀଡ଼ିତାଙ୍କୁ ଆଲିଗଡ଼ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ୨୮ ତାରିଖ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଚିକିତ୍ସା ଚାଲିଥିବା ବେଳେ ହିଁ ୨୯ ତାରିଖ ସକାଳ ୬.୫୫ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗ୍ରାମରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଏହାପରେ ଗମ୍ଭୀର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେପଟେ ୟୁପି ସରକାର ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଏହି ସ୍ୱତନ୍ତ୍ର ଟିମ୍ ହାଥରସ୍ ପହଞ୍ଚିସାରିଛନ୍ତି। ଏସଆଇଟି ଟିମ୍ ୭ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/2GpH9NT
No comments:
Post a Comment