ନୂଆଦିଲ୍ଲୀ: ବିହାରରେ ବିଜେପି କ୍ଷମତାକୁ ଆସିଲେ ମାଗଣା କରୋନା ଟିକା ବାଣ୍ଟିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତିରେ କହିଛି। ଏହାପରେ ସାରା ଦେଶରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ଦେଇ କରୋନା ଟିକା ବାବଦରେ କେନ୍ଦ୍ର ସରକାରର ମତ ସ୍ପଷ୍ଟ କରିଛନ୍ତି।
‘ଇକୋନୋମିକ୍ ଟାଇମ୍ସ’କୁ ପ୍ରଧାନମନ୍ତ୍ରୀ ସାକ୍ଷାତକାର ଦେଇ କହିଛନ୍ତି ଯେ ଦେଶକୁ କରୋନା ଟିକା ଆସିବା ପରେ ଏହା ସମସ୍ତଙ୍କ ପାଇଁ ଲାଗୁ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବେ। ଏହା ବ୍ୟତୀତ କରୋନା ପାଇଁ ଉପୁଜିଥିବା ସ୍ଥିତି ପାଇଁ ଅର୍ଥନୀତିକ କ୍ଷତି ହୋଇଛି ବୋଲି ସାକ୍ଷାତକାରରେ କହିଛନ୍ତି।
ସରକାର ପ୍ରଥମେ ଏହି ଟିକା କାହାକୁ ଦେବେ ତାହା ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମେ ମୁଁ ଦେଶବାସୀଙ୍କୁ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ କରୋନା ଟିକା ଉପଲବ୍ଧ ହେବା ମାତ୍ରେ, ସମସ୍ତଙ୍କୁ ଟିକା ଦିଆଯିବ। ସରକାର ସମସ୍ତଙ୍କୁ ଟିକା ଦେବାକୁ ପ୍ରୟାସ କରିବେ। ଯେଉଁମାନେ ବିପଦରେ ଥିବା ସେମାନଙ୍କୁ ପ୍ରଥମେ ଟୀକା ଦିଆଯିବ ବୋଲି ମୋଦି କହିଛନ୍ତି। ଏହି ଟିକା କିଭଳି ପ୍ରୟୋଗ କରାଯିବ ସେନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ବୋଲି ମୋଦି କହିଛନ୍ତି।
ଟିକା, ଏହାର ମାତ୍ରା ଏବଂ ଏହାକୁ କିପରି ପ୍ରୟୋଗ କରାଯିବ ସେ ବିଷୟରେ ଏବେ କହିହେବନି। ବିଶେଷଜ୍ଞଙ୍କ ନିଷ୍ପତ୍ତି ଆଧାରରେ ଏହି ଟିକା ଦେଶବାସୀଙ୍କ ପାଖକୁ ପଠାଯିବ। ସାରା ଦେଶରେ ଟିକା ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ୨୮,୦୦୦ ଶୀତଳ ଶୃଙ୍ଖଳା ତିଆରି କରାଯାଇଛି। ଦେଶର ଅନ୍ତିମ ନାଗରିକଙ୍କୁ ଟିକା ପହଞ୍ଚାଇବାକୁ ସରକାର ରୋଡମ୍ୟାପ ତିଆରି କରିଛନ୍ତି ବୋଲି ସେ କହିଛନ୍ତି। ନାଗରିକମାନଙ୍କୁ ଟିକାକରଣ, ମନିଟରିଂ ଏବଂ ବିତରଣ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ସାକ୍ଷାତକାରରେ କହିଛନ୍ତି।
ସୂଚନାଯୋଗ୍ୟ, ବିହାର ନିର୍ବାଚନରେ ବିଜେପି ମାଗଣା କରୋନା ଟିକା ପ୍ରତିଶ୍ରୁତି ଦେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ପ୍ରସଙ୍ଗ କରି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଜବାବ ମାଗିଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ସମସ୍ତଙ୍କୁ ମାଗଣାରେ କରୋନା ଟିକା ମିଳିବ।
The post କରୋନା ଟିକା ବିବାଦ: ସ୍ପଷ୍ଟୀକରଣ ରଖିଲେ ପ୍ରଧାନମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3oMB9R0
No comments:
Post a Comment