ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଗତକାଲି ବିଧାନସଭା ସମ୍ମୁଖରେ ନିଜ ମା’ ବେକରେ ଛୁରୀ ଲଗାଇ ଜଣେ ଯୁବକ କିଛି ସମୟ ପାଇଁ ହଟଚମଟ ସୃଷ୍ଟି କରିଥିଲେ। ଏନେଇ କମିଶନରେଟ ପୁଲିସ୍ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇ ସମ୍ପୃକ୍ତ ଯୁବକ ଜିତେନ୍ଦ୍ର ପାଲଙ୍କ ମାନସିକ ସ୍ଥିତି ଭଲ ନ ଥିବା କୁହାଯାଇଥିଲା।
ମାନସିକ ରୋଗରେ ଆକ୍ରାନ୍ତ ପୁଅକୁ ଚିକିତ୍ସା ପାଇଁ ମା ଆଣିଥିବା ଗଣମାଧ୍ୟମକୁ କହିଥିବା ବେଳେ ପୁଅ ମାନସିକ ଭାରସାମ୍ୟ ହରାଇବା କଥା ଜାଣି ନ ଥିବା କହିଛନ୍ତି ଜିତେନ୍ଦ୍ରଙ୍କ ବାପା ରମେଶ ପାଲ। ଜିତେନ୍ଦ୍ରଙ୍କ ବାପା, ମା’ଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ଏପରି କାଣ୍ଡ ଘଟାଇଥିବା ଯୁବକଜଣକ ମାନସିକ ଭାରସାମ୍ୟ ହରାଇବା କଥା କେତେ ଦୂର ବିଶ୍ୱାସଯୋଗ୍ୟ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିତେନ୍ଦ୍ରଙ୍କ ବାପା ରମେଶଙ୍କ କହିବାନୁଯାୟୀ, ପୁଅ ଭୁବନେଶ୍ୱରର ଏକ ଘରୋଇ କମ୍ପାନିରେ କାମ କରୁଥିଲା। ଘର ଭଡ଼ା ନେଇ ରହୁଥିଲେ । ତା’ର ଏକ ଅପରେସନ ହେବ କହି ଗତକାଲି ମା’କୁ ଭୁବନେଶ୍ୱର ନେଇଯାଇଥିଲା। ତେବେ ଭୁବନେଣ୍ୱରରେ ପୁଅ କାହିଁକି ଏପରି କଲା, ତାହା ଜାଣିନଥିବା ବାପା ରମେଶ ପାଲ କହିଛନ୍ତି । ଜିତେନ୍ଦ୍ର ମାନସିକ ଭାରସାମ୍ୟ ହରାଇଥିବା କଥା ମଧ୍ୟ ସେ ଜାଣିନଥିବା କହିଛନ୍ତି ।
୨୦୧୪ରେ ଏକ ହତ୍ୟା ମାମଲାରେ ରମେଶ ଓ ସ୍ତ୍ରୀ ସଜ୍ଜା କାଟିଥିଲେ। ଏହି ମାମଲାରେ ପୁଅ ଜିତେନ୍ଦ୍ରଙ୍କ ନାଁ ବି ରହିଛି । ତେଣୁ ଏହି ସବୁ ଘଟଣା ଜିତେନ୍ଦ୍ର ଯୋଜନାବଦ୍ଧ ଭାବେ କରିଥିଲେ ନା ସତରେ ତାଙ୍କର ମାନସିକ ସମସ୍ୟା ଅଛି ତାକୁ ନେଇ ତର୍ଜମା ଆରମ୍ଭ କରାଯାଇଛି। ଗତକାଲିର ଘଟଣା ପରେ ତାଙ୍କୁ ଏସ୍ସିବି ମାନସିକ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ସକାଳେ ବିଧାନସଭା ଚାଲିଥିବା ବେଳେ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍ ସେଠାରେ ନିଜ ମା’ଙ୍କ ସହ ପହଞ୍ଚିଥିଲେ। ଏହାପରେ ନିଜ ମା’ଙ୍କ ବେକରେ ଛୁରି ଲଗାଇ ପାଗଳ ଭଳି ପ୍ରଳାପ କରିବାକୁ ଲାଗିଲେ। ଛୁରି ଲଗାଇ ତଣ୍ଟି କାଟିଦେବି, ପିଚ୍ ପିଚ୍ ରକ୍ତ ବାହାରିବ ବୋଲି ଧମକ ମଧ୍ୟ ଦେଲେ । ବହୁ କଷ୍ଟରେ ପୁଅ କବଳରୁ ମା’ଙ୍କୁ ଉଦ୍ଧାର କଲା ପୁଲିସ୍ । ମାଙ୍କୁ ଉଦ୍ଧାର ସହ ପୁଅକୁ ନିଜ ହେପାଜତକୁ ନେଲା ପୁଲିସ୍। ମାନସିକ ରୋଗରେ ଆକ୍ରାନ୍ତ ପୁଅକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଏପରି ଘଟଣା ଘଟି ଯାଇଥିବା ଉକ୍ତ ସମୟରେ ଗଣମାଧ୍ୟମକୁ କହିଥିଲେ ତାଙ୍କ ମା’।
ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଗତକାଲି କହିଥିଲେ, “ଚିକିତ୍ସା ପାଇଁ ମା’ ସହ ସଂପୃକ୍ତ ଯୁବକ ନୟାଗଡ଼ରୁ ଆସିଥିଲେ। ଯାହା ଜଣାପଡୁଛି ଯୁବକଙ୍କ ମାନସିକ ରୋଗ ରହିଛି। ତାଙ୍କ ମା’ ବି ଏହି କଥା କହୁଛନ୍ତି। ସଂପୃକ୍ତ ଯୁବକଙ୍କୁ ପଚରାଉଚରା କରାଯାଇଥିବା ବେଳେ ତାଙ୍କ କଥାରେ ତାଳମେଳ ରହୁନି। ତାଙ୍କର ମାନସିକ ଚିକିତ୍ସାର ଆବଶ୍ୟକତା ଥିବା ବେଳେ ସେଥିନିମନ୍ତେ ବ୍ୟବସ୍ଥା କରାଯାଉଛି। ସଂପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ SCB ପଠାଗଲା ବୋଲି । ”
ଯୁବକଙ୍କ ମା’ ଓ ପୁଲିସ୍ ପକ୍ଷରୁ ତାଙ୍କ ମାନସିକ ରୋଗ କଥା କୁହାଯାଉଥିବା ବେଳେ ଏ ସମ୍ପର୍କରେ ତାଙ୍କ ବାପା କିପରି କିଛି ଜାଣି ପାରି ନାହାନ୍ତି, ତାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି।
The post ପୁଅର ମାନସିକ ରୋଗ ବିଷୟରେ ଜାଣି ନାହାନ୍ତି ଜିତେନ୍ଦ୍ରଙ୍କ ବାପା appeared first on Odisha Reporter.
from Odisha Reporter https://ift.tt/33k1Wvg
No comments:
Post a Comment