ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସରେ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ ଏବଂ ଅତି ନିର୍ମମ ଭାବେ ହତ୍ୟା ଉଦ୍ୟମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି। ଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ଜଘନ୍ୟ କାଣ୍ଡ ବିରୁଦ୍ଧରେ ପ୍ରଦର୍ଶନ କରାଯାଉଛି। ଘଟଣାକୁ ନେଇ ୟୁପି ପୋଲିସ୍ ଏବଂ ଯୋଗୀ ସରକାରଙ୍କୁ ବିରୋଧୀ ଲଗାତର ଟାର୍ଗେଟ୍ କରୁଛନ୍ତି।
ଗୁରୁତର ପୀଡ଼ିତାଙ୍କର ଚିକିତ୍ସରତ ଅବସ୍ଥାରେ ହିଁ ମୃତ୍ୟୁ ଘଟିଛି। ଗୋଟିଏ ପଟେ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ତଥା ଫରେନ୍ସିକ୍ ରିପୋର୍ଟରେ ଗଣଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଥିବା ବେଳେ ଅନ୍ୟପଟେ ୟୁପି ପୁଲିସର ଜଣେ ଅଧିକାରୀଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ଗୁରୁବାର ଅଧିକାରୀ ଜଣକ କହିଛନ୍ତି ଯେ, ପୀଡ଼ିତା ଜଣକ ଘଟଣାର ଏକ ସପ୍ତାହ ପୂର୍ବରୁ ଦୁଷ୍କର୍ମ ହୋଇଥିବା କଥା କହିଥିଲେ।
ବରିଷ୍ଠ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ଥିବାବେଳେ ଫରେନ୍ସିକ ରିପୋର୍ଟରେ କିନ୍ତୁ ସ୍ପର୍ମ ମିଳିନାହିଁ ଅର୍ଥାତ୍ ଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଛି।
ସେ କହିଛନ୍ତି, ଅଭିଯୋଗ ରୁଜୁ ହେବା ଦିନଠାରୁ ପୀଡ଼ିତାଙ୍କ ବୟାନକୁ ବିଶ୍ୱାସ କରି ପୁଲିସ କାର୍ଯ୍ୟାନୁଷ୍ଠାନ କରୁଥିଲା। ସେପ୍ଟେମ୍ବର ୧୪ ଘଟଣାର ଏକ ଘଣ୍ଚା ପରେ ପୀଡ଼ିତା ନିଜ ଭାଇ ଏବଂ ମାଆଙ୍କ ସହ ଥାନାକୁ ଆସିଥିଲେ। ତାଙ୍କ ଅଭିଯୋଗ କ୍ରମେ ଉଚିତ୍ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ଏବଂ ପୀଡ଼ିତାଙ୍କୁ ହସ୍ପିଟାଲ ପଠାଯାଇଥିଲା।
ଅଧିକାରୀ ଜଣକ ପୁଣି କହିଛନ୍ତି, ପରବର୍ତ୍ତୀ ସମୟରେ ତାଙ୍କୁ ଆଲୀଗଡ଼ ମୁସଲିମ୍ ୟୁନିଭର୍ସିଟିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୨୨ରେ ପ୍ରଥମ ଥର ସେ ନିଜ ସହ ହୋଇଥିବା ଦୁଷ୍କର୍ମ ବାବଦରେ କହିଥିଲେ। ଏହାପରେ ପୁଲିସ ତୁରନ୍ତ ମାମଲାରେ ଆବଶ୍ୟକ ଧାରା ଯୋଡ଼ି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସେପ୍ଟେମ୍ବର ୨୫ରେ ଡାକ୍ତରୀ ମାଇନା ପାଇଁ ନମୁନା ପଠାଯାଇଥିଲା। ସେତେବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।
ତେବେ ଫରୋନ୍ସିକ୍ ରିପୋର୍ଟରେ ପୀଡ଼ିତାଙ୍କ ନମୁନାରେ କୌଣସି ସ୍ପର୍ମ କିମ୍ବା ଚିହ୍ନ ମିଳିଲା ନାହିଁ। ଏଣୁ ତଦନ୍ତକାରୀ ଅଫିସର ଏହି ସାକ୍ଷ ପ୍ରମାଣ ଆଧାରରେ ତଦନ୍ତ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି।
The post ହାଥରସ୍ ଗଣଦୁଷ୍କର୍ମ: ‘ଘଟଣାର ୭ ଦିନ ପରେ ଦୁଷ୍କର୍ମ ହୋଇଥିବା କହିଥିଲେ ପୀଡ଼ିତା’ appeared first on Odisha Reporter.
from Odisha Reporter https://ift.tt/3ioHtcM
No comments:
Post a Comment