ପିପିଲି(ଦ୍ୱିତୀକୃଷ୍ଣ ପଟ୍ଟନାୟକ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପାଚେରି ଡେଇଁ ପଶିଥିବା ପଡ଼ୋଶୀ ସଦସ୍ୟ ମହିଳାଙ୍କୁ ଆକ୍ରମଣ କରିଥିଲେ। ମହିଳାଜଣକ ଏବେ ପିପିଲି ଡାକ୍ତରଖାନାରେ ଚିକିତ୍ସିତ ଥିବା ବେଳେ ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଛି।
ଗୁରୁତର ମହିଳା ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁରର କବିତା ପ୍ରଧାନ। ଏହି ଆକ୍ରମଣରେ କବିତାଙ୍କ ସ୍ୱାମୀ କାଳନ୍ଦୀ ପ୍ରଧାନ ଓ ପୁଅଝିଅ ମଧ୍ୟ ଆହତ ହୋଇଛନ୍ତି। ମହିଳାଙ୍କୁ ଆକ୍ରମଣ ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ୨୪ ଘଣ୍ଟା ପରେ ବି ପୁଲିସ୍ କୌଣସି ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି।
ପୁଲିସ୍ ସୂଚନା ଅନୁସାରେ, କବିତାଙ୍କ ପରିବାର ସହ ପଡ଼ିଶା ଘରର ଜମିବାଡ଼ି ବିବାଦ ଲାଗି ରହିଥିଲା । ଏହାକୁ ନେଇ ଗତକାଲି ସକାଳେ ପଡ଼ିଶା ଘର ଲୋକେ ପାଚେରି ଡେଇଁ ପଶି କବିତାଙ୍କୁ ଆକ୍ରମଣ କରିଥିଲେ । ପଡ଼ିଶା ଘରର ମହିଳାଙ୍କ ସମେତ ପ୍ରାୟ ୧୩ ଜଣ ସଦସ୍ୟ ଲୁହାଛଡ, ପାଣିପାଇପ, ଶାବଳ ଓ କଟୁରୀରେ କବିତାଙ୍କୁ ଆକ୍ରମଣ କରିଥିଲେ। ଏହାକୁ ମୋବାଇଲରେ ରେକର୍ଡିଂ କରୁଥିବାରୁ କବିତାଙ୍କ ଝିଅଙ୍କୁ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଆକ୍ରମଣରେ କବିତା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ କବିତାଙ୍କ ସ୍ୱାମୀ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।
କବିତାଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରୁ ମହିଳା ସଂଗଠନଗୁଡ଼ିକ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
ଗତକାଲି ରାତିରେ ପୁଲିସ୍ ହରିରାଜପୁର ଗାଁରେ ଚଢ଼ାଉ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାଯାଇଛି।
The post ମହିଳାଙ୍କୁ ନିର୍ଘାତ ପିଟିଲେ ପଡ଼ୋଶୀ appeared first on Odisha Reporter.
from Odisha Reporter https://ift.tt/2VnjwK4
No comments:
Post a Comment